ବିଜେଡି ପାଇଁ ବିଡିଓ ମୋହରା ! ଧରା ପଡିଲା ବିଧାୟକ କିଶୋର ତରାଇଙ୍କ ଚଂଚକତା

35

କନକ ବ୍ୟୁରୋ : ଖସିଗଲେ ବିଧାୟକ, ଫସିଗଲେ ବିଡିଓ । ଜିତିଗଲେ ବିଧାୟକଙ୍କ ପତ୍ନୀ ବବିତା ତରାଇ । ହାରିଗଲେ ଦୁଇ ଦଳିତ ପ୍ରାର୍ଥୀ ଗାୟତ୍ରୀ ଓ ପ୍ରମିଳା । ଆଉ ଧରା ପଡିଗଲା ବିଜେଡି ବିଧାୟକ କିଶୋର ତରାଇଙ୍କ ଚଞ୍ଚକତା । ହେଲେ ମୋହରା ସାଜିଲେ ସରକାରୀ ବାବୁ । ପଟ୍ଟାମୁଣ୍ଡାଇ ବିଡିଓ ପ୍ରଶାନ୍ତ ରାଉତ । ଯିଏ ନିଜ କ୍ଷମତାର ଅପବ୍ୟବହାର କରି ଦୁଇ ଦଳିତ ମହିଳା ନିଜ ନାମାଙ୍କନ ପ୍ରତ୍ୟାହାର କରିଥିବା ଦର୍ଶାଇଥିଲେ ।ଏମିତି ଏକ ଅଜବ ପରିସ୍ଥିତି ସୃଷ୍ଟି ହୋଇଛି କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ପେଣ୍ଠପାଳ ପଂଚାୟତରେ ।

ହେଲେ ଏ ଚଞ୍ଚକତାକୁ ଧରି ପାରିଛନ୍ତି ଜିଲ୍ଲାପାଳ ଓ ଜିଲ୍ଲା ନିର୍ବାଚନ ପର୍ଯ୍ୟବେକ୍ଷକ । ବାରି ପାରିଛନ୍ତି ବିଡିଓଙ୍କ ସନ୍ଦେହପୂର୍ଣ୍ଣ ଭୂମିକାର ଗନ୍ଧ । ଆଉ ଜିଲ୍ଲା ପ୍ରଶାସନର ରିପୋର୍ଟକୁ ଆଧାର କରିଏବେ ବିଡିଓଙ୍କ ବଦଳି ପଞ୍ଚାୟତରାଜ ବିଭାଗକୁ ନିର୍ବାଚନ କମିଶନ ଦେଇଚନ୍ତି ନିର୍ଦ୍ଦେଶ ।

ହେଲେ କଣ ହେବ ନିର୍ବାଚନ ଲଡିବାରୁ ବଞ୍ଚିତ ହୋଇଥିବା ଦୁଇ ଦଳିତ ମହିଳାଙ୍କ ଭାଗ୍ୟ । ପୁଣି ନାମାଙ୍କନ ପାଇଁ ପ୍ରକାଶ ପାଇବ କି ବିଜ୍ଞପ୍ତି । ପୁଣି ହେବକି ନିର୍ବାଚନ । ଏ ତମାମ ପ୍ରଶ୍ନର ଉତ୍ତର ବଡ ଶୂନ । କାରଣ ଥରେ ବିଜୟୀ ବୋଲି ଘୋଷଣା କରିବା ପରେ ତାକୁ ରଦ୍ଦ କରିବାକୁ କ୍ଷମତା ନାହିଁ ନିର୍ମାଚନ କମିଶନଙ୍କ ପାଖରେ ।

ସେପଟେ ଏ ବିଚିତ୍ର ବ୍ୟବସ୍ଥାକୁ ଦେଖି ନ୍ୟାୟ ମାଗୁଥିବା କଂଗ୍ରେସ ଏବେ ଯିବ ଆଇନ ଅଦାଲତକୁ । ହେଲେ ନିୟମ ଅନୁଯାୟୀ ନିର୍ବାଚନ ଫଳ ଘୋଷଣା ପର୍ଯ୍ୟନ୍ତ ଏଥିପାଇଁ ଅପେକ୍ଷା କରିବାକୁ ପଡିବ । ଆଉ ଏସବୁ ଭିତରେ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବିଧାୟକଙ୍କ ପତ୍ନୀ ବନି ସାରିଥିବେ ସମିତ ସଭ୍ୟାରୁ ବ୍ଲକ ଚେୟାରମ୍ୟାନ୍ ।

ଏବେ ପ୍ରଶ୍ନ ଉଠୁଛି ଯହି ଚଂଚକତା ସତ । ତେବେ ବିଧାୟକଙ୍କୁ ଆନୁଗତ୍ୟ ଦେଖାଇବାକୁ ବିଡିଓ କରିଥିଲେ କି ବେଆଇନ କାମ । ନା ଶାସକ ଦଳରେ ପଡି ସରକାରୀ ବାବୁ ଲଗାଇ ଦେଇଥିଲେ ନିଜ ଚାକିରୀକୁ ବାଜି ।