ବ୍ୟାଣ୍ଡ୍ ବଜାଇଲେ ବିଧାୟକ ! ଚଂଚକତା କରି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଲେ କିଶୋର ତରାଇ

29

କନକ ବ୍ୟୁରୋ : ତମାମ ନିୟମକାନୁନର ବ୍ୟାଣ୍ଡ ବଜାଇଲେ ବିଜେଡି ବିଧାୟକ । କେନ୍ଦ୍ରାପଡା ବିଧାୟକଙ୍କ ନାଁରେ ଆସିଥିବା ସଂଗୀନ ଅଭିଯୋଗ ଏବେ ପଂଚାୟତ ରାଜନୀତିକୁ ସରଗରମ କରିଛି । ସ୍ତ୍ରୀଙ୍କୁ ସମିତି ସଭ୍ୟା କରାଇଦେବାକୁ ବିରୋଧୀ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର କରିବାକୁ ଚକ୍ରାନ୍ତ କରିଛନ୍ତି କିଶୋର ତରାଇ । ଏହି ଅଭିଯୋଗ ନେଇ ଆଜି କେନ୍ଦ୍ରାପଡାରେ ନିଆଁ ଜଳିଛି । ସେପଟେ କନକ ନ୍ୟୁଜ୍ ଷ୍ଟୁଡିଓରେ ଦୁଇ ବିରୋଧୀ ପ୍ରାର୍ଥୀ ରଖିଛନ୍ତି ବୟାନ ।

vlcsnap-2017-01-24-18h58m03s536ଗାୟତ୍ରୀ ସେଠୀ ଓ ପ୍ରମିଳା ମଲ୍ଲିକ୍ , ଏ ଦୁହେଁ ହେଲେ ସେହି ଦୁଇ ଦଳିତ ମହିଳା ଯିଏ ରାଜନୀତି କରିବା ପୂର୍ବରୁ ଦୁଃସ୍ଥ ରାଜନୀତିର ଶିକାର ହୋଇଛନ୍ତି । ଏମାନେ ହେଲେ ସେହି ପ୍ରାର୍ଥିନୀ ଯେଉଁମାନଙ୍କ ଜାଲ୍ ଦସ୍ତଖତ କରାଇ ନାମାଙ୍କନ ପ୍ରତ୍ୟାହାର କରି ନିଆଯାଇଛି । ଆଉ ପୁରା ମାମଲାର ଖଳନାୟକ ହେଲେ କିଶୋର ତରାଇ । କେନ୍ଦ୍ରାପଡାର ବିଜେଡି ବିଧାୟକ । ନିଜ ସ୍ତ୍ରୀକୁ ସମିତି ସଭ୍ୟ କରାଇବାକୁ କିଶୋର ବିଛାଇଥିଲେ ଷଡଯନ୍ତ୍ରର ଜାଲ୍ । କାରଣ ଲୋଭ ରହିଛି ସମିତି ସଭ୍ୟା ପରେ ବିଧାୟକ ନିଜ ସ୍ତ୍ରୀଙ୍କୁ ବସାଇବେ ଅଧ୍ୟକ୍ଷା ଚୌକିରେ ।

ଶାସନତନ୍ତ୍ରକୁ ଅସ୍ତ୍ର କରି ଗଣତନ୍ତ୍ରର ହତ୍ୟା କରିଛନ୍ତି ଶାସକ ଦଳର ବିଧାୟକ । ଏମିତି କିଛି ଅଭିଯୋଗ ନେଇ ଆଜି କେନ୍ଦ୍ରାପଡାରେ ଜଳିଛି ବିରୋଧର ନିଆଁ । ପେଣ୍ଠପାଳ ପଂଚାୟତ ଅଫିସ୍ ଓ ପଟ୍ଟାମୁଣ୍ଡାଇ ବିଡିଓଙ୍କ କାର୍ଯ୍ୟାଳୟ ଆଗରେ ଟାୟାର୍ ଜାଳି ବିକ୍ଷୋଗ ପ୍ରଦର୍ଶନ କରିଛି କଂଗ୍ରେସ୍ । ଉଭୟ ବିଧାୟକ ଓ ବିଡିଓଙ୍କ ଗିରଫ ଦାବି କରିଛି ଦଳ । କିନ୍ତୁ ଏସବୁ ଭିତରେ ବିଧାୟକ କିଶୋର ତରାଇ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ସେପଟେ ଏହି ମାମଲାରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି କଂଗ୍ରେସ । ଦାବି କରିଛି ଘଟଣାର ତଦନ୍ତ କରିବା ସହ ଏହି ଦୁଇ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ପୁଣିଥରେ ଗ୍ରହଣ କରି ନିର୍ବାଚନ ଲଢିବାକୁ ସୁଯୋଗ ଦିଆଯାଉ । ସେପଟେ ମାମଲା ଜଟିଳ ହେଉଥିବା ବେଳେ ପଟାମୁଣ୍ଡାଇ ବିଡିଓଙ୍କ ପତା ନମିଳିବା ଘଟଣାକୁ ଆହୁରି ରହସ୍ୟମୟ କରି ଦେଇଛି । କାରଣ ସେ ହିଁ ଖୋଲିପାରିବେ ନାମାଙ୍କନପତ୍ର ପ୍ରତ୍ୟାହାର ପଛର ଗୁମର ।