କେନ୍ଦ୍ରାପଡାରେ କାହାର କେତେ କାଟତି? ତୁଳସୀକ୍ଷେତ୍ରରେ ଶୁଭିବ ଶଙ୍ଖନାଦ ନା ଫୁଟିବ ପଦ୍ମ ନା ୧୯ ବର୍ଷ ପରେ ଉଠିବ ହାତ?

764

କନକ ବ୍ୟୁରୋ : କେନ୍ଦ୍ରାପଡା ନିର୍ବାଚନମଣ୍ଡଳୀ । ଅନେକ ଟାଣୁଆ ନେତାଙ୍କୁ ଜନ୍ମ ଦେଇଥିବା କେନ୍ଦ୍ରାପଡ଼ା ପୂର୍ବରୁ ମନ୍ତ୍ରୀପଡା ଭାବେ ଜଣା ଯାଉଥିଲା । ଏପରିକି ପ୍ରବାଦ ପୁରୁଷ ବିଜୁ ବାବୁଙ୍କର କର୍ମଭୂମି କୁହାଯାଉଥିବା କେନ୍ଦ୍ରପଡା ଆସନରେ ଚଳିତ ଥର ବିଗ୍ ଫାଇଟ୍ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ଖାସକରି ୨୦୧୪ରୁ ୨୦୧୯ ମଧ୍ୟରେ କେନ୍ଦ୍ରାପଡା ରାଜନୀତିରେ ଅନେକ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଯାହା ରାଜ୍ୟ ରାଜନୀତିକୁ ପ୍ରଭାବିତ କରିବାର ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି । ଗୋଟିଏ ପଟେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେଡି ଛାଡି ବିଜେପି ଶିବିରକୁ ଏଣ୍ଟ୍ରି କରିଛନ୍ତି ଅନ୍ୟପଟେ ବିଜେପି ଶିବିରରୁ ମୁହଁ ଫେରାଇ ଆଣିଛନ୍ତି ଭେଟରାନ ନେତା ବିଜୟ ମହାପାତ୍ର । ତେଣୁ କେନ୍ଦ୍ରାପଡା ରାଜନୀତିର ପାଣିପାଗ କେଉଁ ଆଡକୁ ମୁହାଁଉଛି ତାହା ଏବେଠୁ କହିବା ମୁସ୍କିଲ ।

ପାଖାପାଖି ଗତ ଦୁଇ ଦଶନ୍ଧୀରୁ ଅଧିକ ସମୟ ଧରି ଅଣକଂଗ୍ରେସ ଗଡର ଟ୍ୟାଗ୍ ହାସଲ କରିଛି କେନ୍ଦ୍ରାପଡା । ୨୦୦୦ ମସିହାରେ ବିଜେପି-ବିଜେଡି ମେଣ୍ଟରେ ବେଦପ୍ରକାଶ ଅଗ୍ରୱାଲ ଏଠାରେ ପଦ୍ମ ଫୁଟାଇବାକୁ ସକ୍ଷମ ହୋଇଥିଲେ । ତେବେ ୨୦୦୪ରେ ବେଦପ୍ରକାଶଙ୍କୁ ଓଜିପି ପ୍ରାର୍ଥୀ ଉତ୍କଳ କେଶରୀ ପରିଡା ପରାଜିତ କରିଥିଲେ । ତେବେ ୨୦୦୯ ମସିହାରେ ଏହି ଆସନଟି ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ହେବା ପରେ ଏହାକୁ ଗଡ ଭାବେ ଗଢି ତୋଳିଛି ବିଜେଡି । ୨୦୦୯ରେ ସିପ୍ରା ମଲ୍ଲିକ ଓ ୨୦୧୪ରେ କିଶୋର ଚନ୍ଦ୍ର ତରାଇ କଂଗ୍ରେସର ହେଭିୱେଟ ନେତା ଗଣେଶ୍ୱର ବେହେରାଙ୍କୁ ହରାଇ ସବୁଜ ବାନା ଉଡାଇଥିଲେ । ଏସବୁ ଭିତରେ ଲଗାତାର ଦୁଇଥର ବିଜୟ ହାସଲ କରିଥିବା ବିଜେଡି ଚଳିତ ନିର୍ବାଚନ ଜିତି ହ୍ୟାଟ୍ରିକ ମାରିବା ଲକ୍ଷ୍ୟରେ ରହିଛି ।

ତେବେ ବିଜେଡିକୁ ହ୍ୟାଟ୍ରିକ ବିଜୟ ଦେବା ପାଇଁ ବର୍ତ୍ତମାନ ବିଧାୟକ ଥିବା କିଶୋର ଚନ୍ଦ୍ର ତରାଇ ଅଣ୍ଟା ଭିଡିଛନ୍ତି । ପୁଣିଥରେ ଟିକେଟ ଆଶାୟୀ ଧାଡିରେ କିଶୋର ପ୍ରଥମ ସ୍ଥାନରେ ରହିଥିବା ଚର୍ଚ୍ଚା ହେଉଛି । ତେବେ ପଞ୍ଚାୟତ ନିର୍ବାଚନରେ ପତ୍ନୀଙ୍କ ପ୍ରାର୍ଥୀପତ୍ର ବିବାଦରେ ଫଶିବା, କିଶୋରଙ୍କ ରାଜନୈତିକ କ୍ୟାରିୟରରେ ଏକ ବ୍ଲାକସ୍ପଟ ହୋଇ ରହିଥିବା ବେଳେ ଏହା ତାଙ୍କ ଟିକେଟ ପାଇବା ବାଟରେ ଲକ୍ଷ୍ମଣରେଖା ସାଜି ଛିଡା ହୋଇପାରେ । ତେଣୁ ବିଜେଡି ଏଠାରେ କାହାକୁ ଟିକେଟ ଦେବ ତାହା ଜାଣିବା ପାଇଁ ଭୋଟରଙ୍କ ମଧ୍ୟରେ ଉକ୍ରଣ୍ଠା ବଢିଚାଲିଛି । କାରଣ ନବୀନଙ୍କ ଲୋକପ୍ରିୟତା ସହ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ହିଁ ଏଠାରେ ବିଜେଡିକୁ ବଡ ବିଜୟ ଦେଇପାରିବ । କାରଣ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ପାଇଁ ଦୀର୍ଘ ୧୯ ବର୍ଷ ଧରି ବିଜେଡି ଶାସନ କ୍ଷମତାରେ ରହିଥିବା ବେଳେ ବିବାଦରେ ଫଶି ରହିଥିବା ନେତାଙ୍କୁ ଦଳ ଟିକେଟ ଦେଇ ରିସ୍କ ନେଇ ନପାରେ ବୋଲି ଚର୍ଚ୍ଚା ହେଉଛି ।

ତେବେ ବିଜେଡିର ଗୋଟିଏ ଗୋଷ୍ଠୀ ଦାବି କରୁଛନ୍ତି, ବିଧାୟକଙ୍କ ଟିକେଟ୍ କଟିବା ଆଶା କ୍ଷୀଣ। ଆଉ ଗୋଟିଏ ଗୋଷ୍ଠୀର କହିବା କଥା, ଏଥର କିଶୋରଙ୍କ ବିଜୟ ମୁସ୍କିଲ ଥିବାରୁ ମୁଖ୍ୟମନ୍ତ୍ରୀ ନୂଆ ନେତାଙ୍କୁ ସାମ୍ନାକୁ ଆଣିପାରନ୍ତି। ତେବେ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେବା ପରେ ଜିଲ୍ଲା ରାଜନୈତିକ ଗତିବିଧି ଚଳଚଞ୍ଚଳ ହୋଇଛି। ବିଜେଡିର ପ୍ରାର୍ଥୀ ଚୟନକୁ ଦଳ ହାଲକା ଭାବେ ନେବ ନାହିଁ ବୋଲି ରାଜନୈତିକ  ମହଲରେ ଚର୍ଚ୍ଚା ଜୋର ଧରିଛି ।

ଏହାଛଡା ବିଜେଡି ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କଥା କହୁଥିବାରୁ ଏହି ଆସନରେ ମହିଳା ପ୍ରାର୍ଥୀଙ୍କୁ ମୈଦନାକୁ ଓହ୍ଲାଇପାରେ ବିଜେଡି । ତେଣୁ ନବୀନଙ୍କ ଏହି ଅସ୍ତ୍ରକୁ ପାଥେୟ କରି ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ମଧ୍ୟ ବିଜେଡି ଟିକେଟ ପାଇଁ ଲବି ଆରମ୍ଭ କରିଛନ୍ତି । କେବଳ ସିପ୍ରା ନୁହଁନ୍ତି ତାଙ୍କ ଭଉଣୀ ମଧ୍ୟ ସୁପ୍ରିୟା ମଲ୍ଲିକ ମଧ୍ୟ ବିଜେଡି ପ୍ରାର୍ଥୀ ହେବା ପାଇଁ ଚାକିରି ଛାଡି ଜନସର୍ମ୍ପକ ଅଭିଯାନ ଆରମ୍ଭ କରିଛନ୍ତି । ସେହିଭଳି ବେଦପ୍ରକାଶ ଅଗ୍ରୱାଲଙ୍କ ରାଜନୈତିକ ଶିଷ୍ୟ ତଥା ବିଜେଡିର ରାଜ୍ୟ ସମ୍ପାଦକ ରାଜେଶ ଦାସ ମଧ୍ୟ ଏହି ରେସରେ ନିଜକୁ ସାମିଲ କରିଛନ୍ତି । ଦୀର୍ଘଦିନ ଧରି ଛାତ୍ର ଓ ଯୁବ ସଙ୍ଗଠନର ଦାୟିତ୍ୱ ନିଜ ହାତରେ ରଖିଥିବା ରାଜେଶ ଏହା ମଧ୍ୟରେ ନିର୍ବାଚନମଣ୍ଡଳୀରେ ବୁଲିବା ସହ ନିଜକୁ ବିଜେଡିର ପ୍ରମୁଖ ଟିକେଟ ଦାବିଦାର ଭାବେ ସାମ୍ନାକୁ ଆଣିଛନ୍ତି । ସେହିଭଳି ମୁରଲୀଧର ସେଠୀ, ଦୁଷ୍ମନ୍ତ ମଲ୍ଲିକ, ପୂର୍ବତଟ ରେଳପଥର ବରିଷ୍ଠ ଲୋକ ସର୍ମ୍ପକ ଅଧିକାରୀ ନିରାକାର ଦାସ ବିଜେଡି ଟିକେଟରେ ମୈଦାନକୁ ଓହ୍ଲାଇବାକୁ ଆଶା ବାନ୍ଧିଛନ୍ତି ।

ଅନ୍ୟପଟେ କଂଗ୍ରେସ ଏଠାରେ ଲଗାତାର ପରାଜିତ ହେଉଥିବା ବେଳେ ଏଥର ଏହି ଧାରାରେ ବ୍ରେକ ଲଗାଇବାକୁ ପ୍ରାଣମୂର୍ଚ୍ଛା ଊଦ୍ୟମ ଆରମ୍ଭ କରିଛି । ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରାପଡା କଂଗ୍ରେସର ହେଭିୱେଟ ନେତା ଗଣେଶ୍ୱର ବେହେରା ଟିକେଟ ଆଶାୟୀ ରେସରେ ସବୁଠୁ ଆଗରେ ରହିଛନ୍ତି । ଏପରିକି ଗଣେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରେ ନିଜର ସଙ୍ଗଠନକୁ ସଦୃଢ କରିବା ସହ ବିଜୟ ସିଡି ଚଢିବା ପାଇଁ ଭୋଟରଙ୍କ ଭରସା ଜିତିବାକୁ କୌଣସି ସୁଯୋଗ ହାତଛଡା କରୁନାହାନ୍ତି । ତେବେ ଗଣେଶ୍ୱରଙ୍କ ବ୍ୟତୀତ ମତ୍ସ୍ୟଜୀବୀ ସେଲର ସଭାପତି ହଳଧର ସେଠୀ, ମାନସ ମଲ୍ଲିକଙ୍କ ଭଳି କେତେକ ନେତା ପ୍ରାର୍ଥୀ ହେବାକୁ ଆଶା ବାନ୍ଧିଛନ୍ତି ।

ଅନ୍ୟପଟେ ଗତ ୨ଟି ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା ବିଜେପି ବୈଜୟନ୍ତ ଦଳରେ ଯୋଗଦେବା ପରେ ଅଧିକ ଉତ୍ସାହିତ ହୋଇପଡିଛି । ମୋଦିଙ୍କ ମ୍ୟାଜିକ ଓ ବୈଜୟନ୍ତଙ୍କ ହାତ ଧରି ବିଜେପି ଏଠାରେ ପଦ୍ମ ଫୁଟାଇବାକୁ ଅଙ୍କ କଷୁଛି । ତେବେ ବିଜୟ ଦଳର ହାତ ଛାଡି ଦେଇଥିବାରୁ ଏହି ଟାର୍ଗେଟ ବିଜେପି ପାଇଁ କଷ୍ଟକର ହୋଇପାରେ ବୋଲି ଚର୍ଚ୍ଚା ହେଉଛି । କାରଣ କେନ୍ଦ୍ରାପଡାରେ ବିଜୟଙ୍କର ନିଜସ୍ୱ କିଛି ଭୋଟ ରହିଛି ଯାହା ପୂରା ନିର୍ବାଚନ ଫଳାଫଳକୁ ଓଲଟପାଲଟ କରିପାରେ । ବିଜେପି ଟିକେଟରୁ ଲଢିବା ପାଇଁ ଜିଲ୍ଲା ସମ୍ପାଦିକା ଗୀତାରାଣୀ ସେଠୀ, ଉର୍ମିଳା ସେଠୀ ଓ ସୁନାକର ବେହେରାଙ୍କ ନାଁ ଆଶାୟୀ ପ୍ରାର୍ଥୀ ତାଲିକାରେ ଯୋଡି ହୋଇଛି । ତେବେ କେନ୍ଦ୍ରାପଡା କୁରୁକ୍ଷେତ୍ରରେ କାହାକୁ ଭୋଟର ବିଜୟ ଟୀକା ପିନ୍ଧାଇବେ ତାହା ଉପରେ ସମସ୍ତଙ୍କର ନଜର ରହିବ ।