ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡା ଗସ୍ତକୁ ନେଇ ରାଜନୀତି ସରଗରମ : ଅତନୁ ଓ ବୈଜୟନ୍ତ ଗୋଷ୍ଠୀ ମୁହାଁମୁହିଁ

42

କେନ୍ଦ୍ରାପଡା : ମୁଖ୍ୟମନ୍ତ୍ରୀଙ୍କ ଗସ୍ତର କେଇ ଘଣ୍ଟା ପୂର୍ବରୁ କେନ୍ଦ୍ରାପଡ଼ାର ଦୁଇ ‘ହେଭିୱେଟ୍‌’ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଶିବିର ମୁହାଁମୁହିଁ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମହାକାଳପଡ଼ା କାର୍ଯ୍ୟକ୍ରମରେ ବୈଜୟନ୍ତଙ୍କୁ ପୂରାଇ ଦିଆଯିବ ନାହିଁ ବୋଲି ଅତନୁଙ୍କ ସମର୍ଥକମାନେ ଖୋଲାଖୋଲି ଘୋଷଣା କରିଛନ୍ତି । ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି  ସାଂସଦ ବୈଜୟନ୍ତ । କାର୍ଯ୍ୟକ୍ରମରେ ନିଶ୍ଚିତ ଯୋଗଦେବେ ବୋଲି ସେ ଦୃଢ଼ତାର ସହିତ କହିଛନ୍ତି ।

ଆଜି ଦିନିକିଆ କେନ୍ଦ୍ରାପଡା ଜିଲ୍ଲା ଗସ୍ତର ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିିଲ୍ଲାକୁ ଗସ୍ତ କରିବା ସହିତ ବିଭିନ୍ନ ପ୍ରକଳ୍ପକୁ ଉଦ୍‌ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଜିଲ୍ଲାର ୩ଟି ସ୍ଥାନରେ ଆୟୋଜନ କରାଯାଇଛି । ମାତ୍ର, ସମସ୍ତଙ୍କ ନଜରରେ ରହିଛି ମହାକାଳପଡ଼ା କଲେଜ ପଡ଼ିଆଠାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମ ଉପରେ, ସ୍ଥାନୀୟ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଏବଂ ସାଂସଦ ବୈଜୟନ୍ତଙ୍କ ମଧ୍ୟରେ ରହିଥିବା ବିବାଦ ଏହି ସଭାସ୍ଥଳରେ ପ୍ରତିଫଳନ ହେବ ବୋଲି ଅନୁମାନ କରାଯାଉଛି ।

ଅନ୍ୟପକ୍ଷରେ, ଯେ କୌଣସି ସ୍ଥିତିରେ ମହାକାଳପଡ଼ା କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ବୈଜୟନ୍ତ ସ୍ପଷ୍ଟ କରିଛନ୍ତି । ଏଥିସହିତ, ବିଶୃଙ୍ଖଳା ଆଶଙ୍କା ଥିବାରୁ ତାଙ୍କ ଶିବିର ପକ୍ଷରୁ ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଯାଇଛି । ଉଭୟ ଗୋଷ୍ଠୀ ନିଜ ନିଜ ସମ୍ମାନ ରକ୍ଷା ପାଇଁ ପ୍ରଚେଷ୍ଟିତ ଥିବାରୁ ଆସନ୍ତାକାଲି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି ।