କେନ୍ଦ୍ରାପଡାରେ ପୁଣି ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଲିଟୁ ଆହତ, ବିଭିନ୍ନ ଜିଲ୍ଲାରେ ଲିଟୁ ନାମରେ ରହିଛି ମାମଲା

କେନ୍ଦ୍ରାପଡାରେ ପୁଣି ଏନକାଉଣ୍ଟର

98

କନକ ବ୍ୟୁରୋ : କିଛିଦିନ ତଳେ କେନ୍ଦ୍ରାପଡ଼ା ପୁଲିସର ଏନକାଉଣ୍ଟର ଘଟଣା ମନରୁ ନ ଲିଭୁଣୁ ଆଜି ପୁଣି କେନ୍ଦ୍ରାପଡ଼ା ପୁଲିସ କରିଛି ଆଉ ଏକ ଏନକାଉଣ୍ଟର। ଏହି ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲିଟୁ ଦାସ ଓରଫ ଦେବୀ ପ୍ରସାଦ ଦାସ ଆହତ ହୋଇଛି। ଏହି ଘଟଣା ପରେ ସ୍ପେଶାଲ ସ୍କ୍ଵାର୍ଡ ପୁଲିସ ଓ ମାର୍ଶାଘାଇ ପୁଲିସକୁ ମିଳିଛି ବହୁତ ବଡ଼ ସଫଳତା।

ସୂଚନାନୁସାରେ, ଲିଟୁ ଦାସ ପୁଲିସ ଆଖିରେ ଧୁଳି ଦେଇ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବୌଦ୍ଧ ଗଡ଼ାର ତିଖିରୀ ରାସ୍ତାରେ ଖସି ପଳାଉଥିବା ବେଳେ କେନ୍ଦ୍ରାପଡ଼ା ସ୍ପେଶାଲ ସ୍କ୍ଵାର୍ଡ ପୁଲିସ ଓ ମାର୍ଶାଘାଇ ପୁଲିସ ତାର ପିଛା କରିଥିଲେ। ହେଲେ ଲିଟୁ ଦାସ ପୁଲିସ ଉପରକୁ ପ୍ରଥମେ ଗୁଳି କରି ଖସିଯିବାକୁ ଚେଷ୍ଟା କରୁଥିବା ସମୟରେ ମାର୍ଶାଘାଇ ଆଇଆଇସିଙ୍କ ପାଲଟା ଆତ୍ମରକ୍ଷା ଗୁଳିରେ ଲିଟୁ ଦାସ ଆହତ ହୋଇଥିଲା। ଲିଟୁର ଡାହାଣ ଗୋଡରେ ଗୁଳି ବାଜିଛି। ଆହତ ଲିଟକୁ ପ୍ରଥମେ ମାର୍ଶାଘାଇ ମେଡିକାଲ ଏବଂ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଅଣାଯାଇଥିବା ଖବର ମିଳିଛି। ଆହତ ଦୁର୍ଦ୍ଦାନ୍ତ ଅପରାଧୀ ଲିଟୁ ଦାସଠାରୁ ପୁଲିସ ଗୋଟିଏ ବନ୍ଧୁକ ସହିତ ସେ ବ୍ୟବହାର କରୁଥିବା ମଟରସାଇକେଲକୁ ପୁଲିସ ଜବତ କରିଛି। ଲିଟୁ ଦାସ ନାମରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ମଧ୍ୟ ରହିଛି।