ତିନି ପୃଷ୍ଠାର ଇସ୍ତଫା ଚିଠିରେ କଣ ଲେଖିଲେ ବୈଜୟନ୍ତ ! ଜାଣନ୍ତୁ ଗୋଟିଏ କ୍ଲିକରେ

54

କନକ ବ୍ୟୁରୋ : ଇସ୍ତଫା ନେଇ ମୁଖ୍ୟମନ୍ତ୍ରୀଙ୍କୁ ୩ ପୃଷ୍ଠା ସମ୍ବଳିତ ଚିଠି ଲେଖିଛନ୍ତି ବୈଜୟନ୍ତ ପଣ୍ଡା । ଦଳ ପାଇଁ ଅଲୋଡା ହୋଇ ପଡିଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି । ସେହିପରି ତାଙ୍କ ପିତା ବଂଶୀଧର ପଣ୍ଡାଙ୍କ ଅନ୍ତ୍ୟେଷ୍ଟି କ୍ରିୟାକୁ କୌଣସି ବିଜେଡି ନେତା ଆସିନଥିବାରୁ ତାଙ୍କୁ ମର୍ମାହତ କରିଛି ବୋଲି ଚିଠିରେ ଉଲ୍ଲେଖ ରହିଛି । ଆଜି ଦଳରୁ ଇସ୍ତଫା ଦେବା ପରେ ଖୁବ ଶୀଘ୍ର ସାଂସଦ ପଦରୁ ଇସ୍ତଫା ଦେବେ । ଏନେଇ ଖୁବଶୀଘ୍ର ବାଚସ୍ପତିକୁ ଚିଠି ଲେଖି ଅବଗତ କରାଇବେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ଚଳିତ ବର୍ଷ ଜାନୁୟାରୀ ୨୪ ତାରିଖ ଦିନ ବୈଜୟନ୍ତଙ୍କୁ ବିଜେଡିରୁ ନିଲମ୍ବିତ କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳ ବିରୋଧୀ କାର୍ଯ୍ୟ ପାଇଁ ବୈଜୟନ୍ତଙ୍କୁ ଦଳରୁ ନିଲମ୍ବନ କରିଥିଲା ବିଜେଡ଼ି ।

ଏହି ୩ପୃଷ୍ଠା ସମ୍ବଳିତ ଇସ୍ତଫାପତ୍ରର ବୈଜୟନ୍ତ ଲେଖିଛନ୍ତି ଯେ, ବିଜେଡିରେ ରାଜନୀତି ଯେଉଁସ୍ତରକୁ ଯାଇଛି ସେଭଳି ପରିସ୍ଥିତିରେ ମୁଁ ଅତ୍ୟନ୍ତ କ୍ଷୋଭ, ମର୍ମାହତ ଓ ମନସ୍ତାପ ସହ ଦଳ ଛାଡିବାକୁ ନିଷ୍ପତି ନେଇଛି । ବିଗତ ୪ ବର୍ଷ ହେବ ମୁଁ ଅନୁଭବ କରୁଛି କି ବିଜେଡ଼ି ଦଳର ବ୍ୟବହାରରେ ଅନେକ ପରିବର୍ତ୍ତନ ହୋଇଛି । ଯାହା ମୋତେ ଅଧିକ ବାଧିଛି । ଏପରିକି ମୋ ପିତା ସ୍ୱର୍ଗତ ବଂଶୀଧର ପଣ୍ଡାଙ୍କ ଶେଷ ଦର୍ଶନ ପାଇଁ ବିଜେଡିର କୌଣସି ନେତା ଆସି ନଥିଲେ । ମୋ ବାପା ବିଜୁ ଅଙ୍କଲଙ୍କର ଅତି ଘନିଷ୍ଠ ବନ୍ଧୁ, ସମର୍ଥକ ଏବଂ ଅନେକ ବର୍ଷଧରି ତାଙ୍କ ସହିତ କାର୍ଯ୍ୟ କରିଥିଲେ । ତେବେ ବିଜେଡି ଦଳକୁ ଛାଡି ଅନ୍ୟାନ୍ୟ ଦଳର ବରିଷ୍ଠ ନେତାଙ୍କ ସହ ହଜାର ହଜାର କର୍ମୀ ଓ ଶୁଭଚିନ୍ତକ ମାନେ ଶେଷ ଦର୍ଶନ ପାଇଁ ଆସିଥିଲେ । ଅପରପକ୍ଷେ ଅନେକ ବିଜେଡି ନେତା ଏବଂ ମୋ ଦଳର ଅନ୍ତରଙ୍ଗ ବନ୍ଧୁମାନଙ୍କୁ ମୋ ବାପାଙ୍କ ଶେଷ ଦର୍ଶନ ପାଇଁ ମନା କରାଯାଇଥିଲ ବୋଲି କିଛି ବିଜେଡ଼ି ନେତା କହିଥିଲେ । ଯାହା ମୋତେ ଖୁବ କଷ୍ଟ ଦେଇଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ, ବିଜେଡି ଦଳ ପାଇଁ ମୁଁ ଅଲୋଡା ଓ ଅଦରକାରୀ ହୋଇପଡିଛି । ଦୀର୍ଘ ଚାରି ବର୍ଷ ହେବ ଦଳ ମୋତେ ଅନେକ ଥର ଅପମାନ ସହ ଲଜ୍ଜିତ କରିଛି । କିନ୍ତୁ ମୋ ପିତାଙ୍କ ଦେହାନ୍ତରେ ଯେଉଁ ଘଟଣା ଘଟିଲା ତାହା ସବୁସୀମା ଟପିଛି । ଦଳରେ ଥିବା ନିଚ୍ଚ ମାନସିକତା ଏବଂ ଶିଷ୍ଠାଚାର ନଗ୍ନତାକୁ ପଦାରେ ପକାଇଛି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ବୈଜୟନ୍ତ । ତେଣୁ ମୋ ସ୍ୱାଭିମାନ ମୋତେ ବିଜେଡି ଦଳର ଥିବା ବାତାବରଣ ସହିତ ଆଗକୁ ବଢ଼ିବା ପାଇଁ କହୁ ନାହିଁ ।

bjd vs baijayantaଦଳ ହୁଏତ ଭୂଲି ଯାଇଛି ମୋ ପରିବାର ସହିତ ବିଜୁ ଅଙ୍କଲଙ୍କ ନିବିଡ ସମ୍ପର୍କ ଯୋଗୁଁ ସେ ମୋତେ ତାଙ୍କ ଜୀବନର ଅନ୍ତିମ ଦୁଇ ବର୍ଷ ୧୯୯୫ ରୁ ୧୯୯୭ ରାଜନୀତି କ୍ଷେତ୍ରରେ ସାମିଲ କରାଇଥିଲେ । କିନ୍ତୁ ମୋ ପାଇଁ ଗର୍ବର କଥା ଥିଲା ଯେ ମୁଁ ତାଙ୍କ ଅଧିନରେ ୧୯୯୭ ମସିହାରୁ ରାଜନୀତି କ୍ଷେତ୍ରରେ ମୋ ପ୍ରଥମ ଦିନ ଆରମ୍ଭ କରିଥିଲି । ବିଜୁ ଜନତା ଦଳର ପ୍ରତିନିଧିଭାବେ ଲଢ଼ିବାକୁ ସୁଯୋଗ ମିଳିଥିଲା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟଙ୍କ ଉଦ୍ଦେଶ୍ୟରେ ବୈଜୟନ୍ତ କହିଛନ୍ତି ଯେ ମୁଁ ରାଜନୀତି ବିଷୟରେ ଅନେକ କିଛି ଆପଣଙ୍କ ଠାରୁ ଶିଖିଛି । କିନ୍ତୁ ଦଳର ଉତଥାନ, ପତନ ଏବଂ ଅନେକ ସମୟରେ ଦଳ ସମ୍ନା କରିଥିବା ଜଟିଳ ପରିସ୍ଥିତିରେ ମୁଁ ଛିଡା ହୋଇଥିଲିି । ସଂସଦୀୟ ଦଳ ୨୦୦୨ ରେ ଭାଙ୍ଗି ପଡିଥିବା ଘଟଣା ଠାରୁ ଆରମ୍ଭ କରି ୨୦୧୨ ମେ ୨୯ ଘଟଣା ପର୍ଯ୍ୟନ୍ତ ଦଳ ପାଇଁ ଅନେକ ସମସ୍ୟା ଦେଖାଦେଇଥିଲା । ସେତେବେଳେ ମୁଁ ଦିଲ୍ଲୀରେ ଆପଣଙ୍କୁ ଏ ସବୁ ସମସ୍ୟାରୁ ବାହାରକୁ ଆଣିଥିଲି । ମୁଁ ସେତେବେଳେ କୌଣସି ସ୍ୱାର୍ଥ ନ ଦେଖି ବରଂ ମୋର ନୀତି ଆଦର୍ଶ ଏବଂ ଆପଣଙ୍କ ପ୍ରତି ଥିବା ସର୍ତ୍ତବିହୀନ ଭଲପାଇବା ସହ ଓଡିଶାକୁ ପ୍ରଗତି ପଥରେ ଆଗେଇ ନେବାର ଆଶା ସହ ଦଳରେ ରହିଥିଲି ।

ଏହା ସତ୍ୟ ଯେ ଯେଉଁମାନେ ପ୍ରମୁଖ ବିରୋଧୀ ଭାବେ ବିଜେଡି ଶାସନର ପ୍ରଥମ ବାର ବର୍ଷ ଧରି ବିଜେଡିକୁ ସମାଲୋଚନା କରିଥିଲେ ସେମାନେ ଆଜି ଦଳରେ ଏକ ପ୍ରମୂଖ ଭୂମିକାରେ ଅବତୀର୍ଣ୍ଣ ଅଛନ୍ତି । ଯେଉଁମାନେ ଦଳ ପାଇଁ ଭଲ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ଦଳରେ ସ୍ଥାନ ପାଇବା ପାଇଁ ସଂଘର୍ଷ କରିବା ପାଇଁ ପଡୁଛି । ଶେଷରେ ତୃତୀୟ ପୃଷ୍ଠାରେ ବୈଜୟନ୍ତ ଲେଖିଛନ୍ତି ମୁଁ ସଦା ସର୍ବଦା ଅନ୍ତରର ସହିତ କେନ୍ଦ୍ରାପଡା ଜିଲ୍ଲାର ବିକାଶ ଏବଂ ଉନ୍ନତି ପାଇଁ ଉତ୍ସର୍ଗୀକୃତ ରହିବି । ମୁଁ ଅତ୍ୟନ୍ତ ଖୁସି ଯେ ଆମ ଜିଲ୍ଲାରେ ପ୍ରଥମ ରେଳ ଲାଇନ କାର୍ଯ୍ୟ ଚାଲୁ ରହିଛି । ଏହାସହ କେନ୍ଦ୍ରପଡାରେ ସର୍ବାଧିକ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଗୁଡିକ ସାଂସଦ ପାଣ୍ଠିରୁ ବିନିଯୋଗ କରି କାର୍ଯ୍ୟକ୍ଷମ କରିଛି । କିନ୍ତୁ ଅନେକ ସ୍ଥାନରେ ମୋତେ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବା ପାଇଁ ମଧ୍ୟ ରୋକିବା ପାଇଁ ଅପଚେଷ୍ଟା କରାଯାଇଥିଲା ।

ମୁଁ ୨୦୧୪ ମସିହା ଠାରୁ ଏଭଳି ଘଟଣା ସମ୍ବନ୍ଧରେ ଆପଣଙ୍କ ଦୃଷ୍ଟି ଗୋଚରକୁ ଆଣିବା ପାଇଁ ପ୍ରୟାସ କରିଛି । ଏପରିକି ଜନସାଧାରଣଙ୍କ ନିକଟରେ ଆପଣଙ୍କ ବିନା ଅନୁମତିରେ ମୋ ପ୍ରତି ହୋଇଥିବା ଅନ୍ୟାୟର କୌଣସି ମତ ରଖି ନ ଥିଲି । କିନ୍ତୁ ମୋତେ ବାରମ୍ବାର ଆକ୍ରମଣ କରିବା ପାଇଁ ଟାର୍ଗେଟ କରାଗଲା ଶାରୀରିକ ଭାବେ ଟେକା, ପଥର ଓ ଅଣ୍ଡା ମାଡ ମଧ୍ୟ କରାଗଲା । ହେଲେ ଆପଣ ନା ଦୁଃଖ ପ୍ରକାଶ କଲେ ନା ବ୍ୟଥିତ ହୋଇ ଯେଉଁମାନେ ଆକ୍ରମଣ ରଚିଥିଲେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଲେ । ଯାହାକି ମୋତେ ବହୁତ ଆଶ୍ଚର୍ଯ୍ୟ କରିଥିଲା ।

Baijayanta pandaଏହାସହ ମୋ ସମର୍ଥକମାନଙ୍କୁ ବାରମ୍ବାର ଧମକ ମଧ୍ୟ ଦିଆଗଲା । ମୋ ବିରୋଧରେ ସରକାରୀ କଳର ଅପବ୍ୟବହାର କରି ଷଡଯନ୍ତ୍ର ରଚି ମୋତେ ଅପମାନ କରାଗଲା । ଯାହାକି ବରଦାସ୍ତ ବାହାରେ ହୋଇପଡିଛି । ମୁଁ ପ୍ରୟାସ କରିଛି ଯେ ମୁଁ ସ୍ୱାଭିମାନ ସହ ଏକ ସମାଜର ମର୍ଯ୍ୟାଦାପୂର୍ଣ୍ଣ ବ୍ୟକ୍ତି ଭାବେ ଅତିବାହିତ କରିବି । ନାଁ ମୋ ଉପରେ କୌଣସି ପ୍ରଶାସନିକ କଳର ପ୍ରଭାବ, ନାଁ କୌଣସି ରାଜ୍ୟସ୍ତରୀୟ ନେତା ନା କେନ୍ଦ୍ରସ୍ତରୀୟ ରାଜନେତାଙ୍କ ପ୍ରଭାବ ରହିବ । ମୁଁ ମର୍ମାହତ କି, ଆପଣ କରିଥିବା ପ୍ରତିଜ୍ଞା ଏବଂ ଆପଣ ମୋ ଉପରେ ରଖିଥିବା ଥିବା ବିଶ୍ୱାସ ଏବେ ଆଉ ନାହିଁ ।

ଶେଷରେ ସ୍ପଷ୍ଟ ଭାବେ ଲେଖୁଛି ଯେ ଆପଣଙ୍କ ନିରବତା ଏବଂ ଦଳର ଗତିିବିଧିରୁ ଜଣା ପଡୁଛି ଯେ, ମୁଁ ଦଳ ପାଇଁ ଅଲୋଡା ହୋଇ ପଡିଛି । ଆଉ ଏହା ମୋତେ ଖୁବ ବାଧିଛି ଓ ସ୍ୱାଭିମାନୀ ମଣିଷ ଭାବେ ମୁଁ ଦଳ ଛାଡିବାର ନିଷ୍ପତି ନେଇଛି । ଏହାସହ ବାପାଙ୍କ ଦଶାହ ପରେ କେନ୍ଦ୍ରାପଡ଼ା ସାଂସଦ ପଦରୁ ଇସ୍ତଫା ଦେବାପାଇଁ ମାନ୍ୟବର ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖି ମୋ ଇସ୍ତଫା ପତ୍ର ଗହଣ କରିବା ପାଇଁ ଜଣାଇବି ବୋଲି ବୈଜୟନ୍ତ ଚିଠିରେ ଲେଖିଛନ୍ତି ।