ଯନ୍ତ୍ରଣା କୋଳରେ ଜୀବନ : ରୋଗକୁ ବଳିପଡୁଛି ଅଭାବୀ ପରିବାରକୁ ଅନ୍ନ ଯୋଗାଇବା ଚିନ୍ତା

30

କନକ ବ୍ୟୁରୋ : ରୋଗ ଯନ୍ତ୍ରଣାରେ ଛଟପଟ ହେଉଛି ଶରୀର । ହେଲେ ତାକୁ ବଳି ପଡୁଛି ଅଭାବୀ ପରିବାରକୁ ଅନ୍ନ ଯୋଗାଇବା ଚିନ୍ତା । ୫ ଜଣିଆ ଅଭାବୀ ପରିବାରକୁ ଚଳାଇବା ଯେଉଁଠି ଅସମ୍ଭବ ସେଠି ଚିକିତ୍ସା ପାଇଁ ଅର୍ଥ ଆସିବ କୁଆଡୁ । ଆମେ କହୁଛୁ କେନ୍ଦ୍ରାପଡା ଜିଲ୍ଲା ମୋହାଦେଇ ପାଟଣା ଗାଁର ମନୋଜ ଦାସଙ୍କ କଥା । ଦାରିଦ୍ର୍ୟର କଷାଘାତରେ ପୀଡିତ ମନୋଜଙ୍କ ପରିବାର ଉପରେ ସତେ ଯେମିତି ଛିଣ୍ଡି ପଡିଛି ଦୁଃଖର ପାହାଡ । ଆଉ ଏହି ଗରିବ ପରିବାରର କରୁଣ କାହାଣୀ ଯେକୌଣସି ଦରଦୀ ମଣିଷର ଆଖିରୁ ଝରାଇ ଦେବ ସମବେଦନାର ଲୁହ ।

ଦେହ ସାରା ଖାଲି କଙ୍କାଳ ସାର । ଯେମିତି ହାଡ ଉପରେ କେବଳ ଚମ ଛାଉଣୀ । ପେଟ ବି ଫୁଲି ଯାଇଛି । ଏ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ୍ ଅନ୍ତର୍ଗତ ବାଟିପଡା ପଂଚାୟତ ମୋହାଦେଇ ପାଟଣା ଗାଁର ମନୋଜ ଦାସ । କିଡନୀ ରୋଗ ସହ ମନୋଜଙ୍କ ପେଟରେ ପାଣି ଜମିଛି ଆଉ ତା ସହ ଟିବି ମଧ୍ୟ ଦାଉ ସାଧିଛି । ପତ୍ନୀ, ଦୁଇ ଝିଅଙ୍କ ସହ ଭିନ୍ନକ୍ଷମ ବାପାଙ୍କୁ ନେଇ ମନୋଜଙ୍କ ସଂସାର ଉପରେ ଭାଙ୍ଗି ପଡିଛି ଦୁଃଖର ପାହାଡ । ପେଟ ପାଇଁ ଦାନା ଯୋଗାଡ ଯେଉଁଠି କାଠିକର ପାଠ ସେଠି ଚିକିତ୍ସା ଯେମିତି ସାତ ସପନ ।

ଦିନ ଥିଲା, ହସଖୁସିରେ ଚଳି ଯାଉଥିଲା ଅଭାବୀ ସଂସାର । ହେଲେ ଦିଲ୍ଲୀରେ କାମ କରୁଥିବା ବେଳେ ରୋଗର ଶିକାର ହୋଇ ମନୋଜଙ୍କ ଘରକୁ ଫେରିବା ପରେ ବଦଳି ଯାଇଥିଲା ସବୁକିଛି । ଚିକିତ୍ସା ଖର୍ଚ୍ଚରେ ସୀମିତ ସମ୍ବଳ ଶେଷ ହୋଇଯାଇଥିଲା ସିନା ହେଲେ ଭଲ ହୋଇନଥିଲେ ମନୋଜ । ଆଉ ଏବେ ପେଟ ପାଟଣା ଚିନ୍ତା ସାଙ୍ଗକୁ ରୋଗ ଦାଉରେ ଛଟପଟ ହେଉଛନ୍ତି ୫ ଜଣିଆ ପରିବାର । ଗ୍ରାମବାସୀ ଚାନ୍ଦା କରି ମନୋଜଙ୍କୁ ଭଲ କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ସରକାରୀ ସାହାଯ୍ୟକୁ ଭରସା କରିଛନ୍ତି ।

ଏବେ ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି ମନୋଜଙ୍କ ପରିବାର । ଦୁଇ କୁନିଝିଅ ପାଠ ବି ପଢି ପାରୁନାହାଁନ୍ତି । ନା ଅଛି ରାସନ୍ କାର୍ଡ, ନା ମନୋଜଙ୍କ ଦିବ୍ୟାଙ୍ଗ ବାପା ଦୁର୍ଯ୍ୟୋଧନଙ୍କୁ ମିଳିଛି ଭତ୍ତା । ମୋ କୁଡିଆ ଭଳି ବାସଗୃହ ଯୋଜନା ବି ଏହି ଗରିବ ପରିବାର ପାଇଁ ସ୍ୱପ୍ନ ପାଲଟିଛି । ତେବେ ବିଡିଓଙ୍କୁ ପଚାରିବା ପରେ ସେ ଆଗରୁ ଜାଣି ନଥିବା କହି ସାହାଯ୍ୟ ପାଇଁ ଦେଇଛନ୍ତି ପ୍ରତିଶ୍ରୁତି ।

ମନୋଜଙ୍କ ଚିକିତ୍ସା ପାଇଁ ସରକାରୀ ସାହାଯ୍ୟ ମିଳିବ ତାକୁ ହିଁ ଅପେକ୍ଷା ।