କେନ୍ଦ୍ରାପଡା : ଭଙ୍ଗା ଚାଳ ଛପର ଘରେ ପାଠ ପଢି ଭବିଷ୍ୟତର ସ୍ୱପ୍ନ ଦେଖୁଛନ୍ତି କୁନିକୁନି ପିଲା

43

କନକ ବ୍ୟୁରୋ : ଭଙ୍ଗା ଚାଳ ଛପର ଘରେ ପାଠ ପଢି ଭବିଷ୍ୟତର ସ୍ୱପ୍ନ ଦେଖୁଛନ୍ତି କୁନିକୁନି ପିଲା । ଫଟା ଏବଂ ଅଧା କାନ୍ଥ ସାଙ୍ଗକୁ କଣା ନଡ଼ାଛପର ଭିତରେ ଚାଲିଛି ସ୍କୁଲ । ଏମିତି ଚାଲିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଗୁହାଳକଣି ପ୍ରାଥମିକ ବିଦ୍ୟାଳୟ । ଭଙ୍ଗା ଦଦରା ଘରେ ପଢୁଛନ୍ତି କୁନିକୁନି ପିଲା । ଏହା ଆମ ଶିକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ର । ତେବେ ଏହା କେଉଁ ପାହାଡିଆ ଅଞ୍ଚଳର ନୁହେଁ, ଉପକୂଳ କେନ୍ଦ୍ରାପଡା ଜିଲ୍ଲାର ସ୍କଲ ଅବସ୍ଥା ।

୧୧ ବର୍ଷ ହେବ ଖରା, ବର୍ଷା ଶୀତରେ ଏମିତି ଚାଲିଛି ମହାକାଳପଡା ବ୍ଲକ ଗୁହାଳକଣି ପ୍ରାଥମିକ ବିଦ୍ୟାଳୟ । ସ୍କୁଲରେ ପ୍ରଥମରୁ ପଂଚମ ଶ୍ରେଣୀ ଯାଏଁ ୪୩ ଜଣ ଛାତ୍ରଛାତ୍ରି ପଢୁଥିବା ବେଳେ ୨ ଜଣ ଶିକ୍ଷକ ଅଛନ୍ତି । ବ୍ଲକ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯାଳୟ ନିକଟରୁ ମାତ୍ର ପ୍ରାୟ ୩ କିଲୋମିଟର ଦୁରହେ ଥିବା ଗୁହାଳକଣି ସ୍କୁଲର ଅବସ୍ଥା ଗୁହାଳଠୁ ବି ହୀନ ।

ସ୍କୁଲ ଘର ନିର୍ମାଣ ପାଇଁ ୨୦୦୮ରୁ ୪ ଲକ୍ଷ ୮୦ ହଜାର ଟଙ୍କା ଅନୁଦାନରେ ଜାଗା ଚିହ୍ନଟ ହୋଇ ଶୁଭ ଦିଆଯାଇଛି । ହେଲେ ଘର ତ ଦୂରରେ ଥାଉ ଆଜି ଯାଏଁ ଇଟା ଖଣ୍ଡେ ବି ପଡିନି । ସେପଟେ ସ୍କୁଲର ଶ୍ରେଣୀଗୃହ ନିର୍ମାଣକୁ ନେଇ ସ୍କୁଲ ପ୍ରଧାନ ଶିକ୍ଷକ ଓ ବ୍ଲକ ଶିକ୍ଷାଧିକାରୀଙ୍କ କଥାରେ ତାଳମେଳ ରହୁନାହିଁ । ମହାକାଳପଡା ବ୍ଲକ ଗୁହାଳକଣି ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଉଜୁଜା ଶିକ୍ଷା ବ୍ୟବସ୍ଥାର ନଗ୍ନ ନମୂନା ।