କେନ୍ଦ୍ରାପଡ଼ା ପାଟକୁରା ନିକଟରେ ନାଳକୁ ଖସିଲା ଯାତ୍ରୀବାହୀ ବସ୍ : ଡ୍ରାଇଭର, ହେଲପର ଫେରାର

43

କନକ ବ୍ୟୁରୋ : କଟକ ଏସସିବିକୁ ଆସିଲେ ପାଟକୁରା ବସ୍ ଦୁର୍ଘଟଣାରେ ଆହତ ଯାତ୍ରୀ । ୨୦ରୁ ଉର୍ଦ୍ଧ ଆହତ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ କଟକ ଅଣାଯାଇଛି । ସକାଳେ ବସଟି କଟକରୁ କୋରୁଆ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଅର୍ଜ୍ଜୁନପୁର ନିକଟରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାରେ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଆହତ ଯାତ୍ରୀ ମାନଙ୍କୁ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କେତେକଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଅର୍ଜ୍ଜୁନପୁର ନିକଟରେ ବସଟି ନିୟନ୍ତ୍ରଣ ହରାଇ ନାଳ ଭିତରକୁ ଖସି ପଡିଛି । ବସ୍ ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯିବା ସହ ଦୁର୍ଘଟଣାରେ କଣ୍ଡକ୍ଟର ଗୁରୁତର ଆହତ ହୋଇଛି । ଦୁର୍ଘଟଣାରେ ଜଣେ କଲେଜ ଛାତ୍ରର ମୃତ୍ୟୁ ହୋଇଥିବାରୁ ସ୍ଥାନୀୟ କଲେଜର ଛାତ୍ରଛାତ୍ରୀମାନେ ରାସ୍ତା ଅବରୋଧ କରିଛନ୍ତି । କ୍ଷତିପୂରଣ ଦାବିରେ ରାସ୍ତା ଉପରେ ଶବକୁ ରଖି ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ ।