କେନ୍ଦ୍ରାପଡ଼ା : ଶିକୁଳିରୁ ମୁକୁଳିଲେ ଅଭିନେତ୍ରୀ, ଉଦ୍ଧାର କରି କଟକ ମେଡ଼ିକାଲରେ ଭର୍ତ୍ତି କଲା ଜିଲ୍ଲା ପ୍ରଶାସନ

26

କନକ ବ୍ୟୁରୋ : ୩ ବର୍ଷ ଧରି ଶିକୁଳି ବନ୍ଧନରୁ ମୁକ୍ତ ହୋଇଛନ୍ତି ମଞ୍ଚ ଅଭିନେତ୍ରୀ ବଦନି ସାମଲ । କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ତାଙ୍କୁ ଉଦ୍ଧାର କରି କଟକ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ଏହି ଜିଲ୍ଲାର ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ବରଜ ଗାଁର ଶିବ ସାମଲ ଓ ପୁଷ୍ପା ସାମଲଙ୍କ ଝିଅ ବଦନି ୫ମ ଶ୍ରେଣୀ ପାଠ ଛାଡ଼ିଲା ପରେ ଯାତ୍ରା ପାର୍ଟିରେ ମିଶିଥଲେ। ଘରର ଏକମାତ୍ର ରୋଜଗାରିଆ ଝିଅ ଭାବେ ପରିବାର ପ୍ରତିପୋଷଣ ମଧ୍ୟ କରୁଥିଲେ। କିନ୍ତୁ ୩ ବର୍ଷ ପୂର୍ବେ ଦିନେ ଯାତ୍ରା ଚାଲିଥିବା ବେଳେ ହଠାତ୍‌ ତାଙ୍କ ମାନସିକ ସ୍ଥିତି ବିଗିଡ଼ିଗଲା । ଶେଷକୁ ଅତିଷ୍ଠ ହୋଇ ବାପାମା’ ତାଙ୍କ ହାତରେ ମୋଟା ଲୁହା ଶିକୁଳି ବାନ୍ଧି ଘରେ ପକାଇ ରଖୁଥିଲେ।

ବଦନିଙ୍କ କରୁଣ କାହାଣୀ ସମ୍ପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରେଘୁ ଜୀଙ୍କ ହସ୍ତକ୍ଷେପ କରିଥିଲେ। ଆଜି ଜିଲ୍ଲା ସାମାଜିକ ଅଧିକାରୀ ପ୍ରଭାସ ରଂଜନ ଦାସ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଇଛନ୍ତି । ମହାକାଳପଡ଼ା ବିଡ଼ିଓ ପ୍ରଶାନ୍ତ ରାଉତ ଓ ବ୍ଲକ୍‌ ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା ବଦନି ଓ ତାଙ୍କ ପରିବାର ଲୋକଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ କୌଣସି ମାନସିକ ରୋଗ ବିଶେଷଜ୍ଞ ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ତେବେ, ବଦନିଙ୍କୁ ନେଇ ଯାଇଥିବା ଟିମ୍‌ କଟକ ଏସ୍‌ସିବିରେ ମଧ୍ୟ ବେଶ୍‌ ହଇରାଣ ହୋଇଛନ୍ତି । ୬ ଘଣ୍ଟା ଧରି ବାରଣ୍ଡାରେ ଅପେକ୍ଷା କଲା ପରେ ସଂଧ୍ୟା ୫ଟାରେ ସେଠାକାର ମାନସିକ ରୋଗ ନିଦାନ ବିଭାଗର ମହିଳା ଓ୍ଵାର୍ଡ଼ରେ ଭର୍ତ୍ତି କରିବାର ସୁଯୋଗ ମିଳିଥିଲା । ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପ ବଦନିଙ୍କ ପରିବାର ପାଇଁ ଭାସି ଯାଉଥିବା କୁଟାଖିଅ ସଦୃଶ ବୋଲି କହି କାନ୍ଦକାନ୍ଦି କହିଛନ୍ତି ମା’ ପୁଷ୍ପା । ବାପାମା’ ଏବେ ମାନସିିକ ରୋଗ ବିଭାଗର ଓ୍ଵାର୍ଡ଼ ବାହାରେ ଝିଅକୁ ଜଗି ରହିଛନ୍ତି।