ବଢୁଛି ତାତି ଓ ଉତ୍କଟ ହେଉଛି ଜଳ ସମସ୍ୟା ! କେନ୍ଦ୍ରାପଡା ଓ ବୌଦ୍ଧରେ ପାଣି ପାଇଁ ଆଉଟ ପାଉଟୁ ଲୋକେ

70

କନକ ବ୍ୟୁରୋ : ବଢ଼ୁଚି ଖରାର ପାର୍ଦୁଭାବ । କିନ୍ତୁ ଖରା ଦିନ ଆରମ୍ଭରୁ ବିଭିନ୍ନ ସ୍ଥାନରେ ଦେଖାଦେଇଛି ଜଳକଷ୍ଟ । ଗୋଟିଏ ପଟେ ସରକାର ଆଦର୍ଶଗ୍ରାମ ଓ ଡ଼ିଜିଟାଲ ଭିଲେଜର ସ୍ୱପ୍ନ ଦେଖୁଥିବା ବେଳେ ଅନ୍ୟପଟେ ପାଣି ଟୋପାଏ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି । କୌଣସି ଉପାୟ ନପାଇ ନଦୀର ଜଳକୁ ଆଣି ବ୍ୟବହାର କରୁଛନ୍ତି ଲୋକ । ଟୋପେ ପାଣି ପାଇଁ ଯିବାକୁ ପଡୁଛି ମାଇଲ ମାଇଲ ଦୂର ।

ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଳକ କୁମାରପଡ଼ା ଗାଁରେ । ଗାଁରେ ନଳକୂପ ଥାଇ ମଧ୍ୟ ଏଥିରୁ ବାହାରୁଛି ଲୁଣା ଓ ଆଇରନ ମିଶା ପାଣି । ପାଣି ଟ୍ୟାଙ୍କରରେ କଳଙ୍କି ଲାଗି ନଷ୍ଟ ହେଉଛି । କୂଅ, ପୋଖରୀ, ନାଳ ଶୁଖିଯାଇଥିବାରୁ ଶେଷରେ ନିରାଶ ହୋଇ ନଦୀର ଜଳକୁ ଆଣି ବ୍ୟବହାର କରୁଛନ୍ତି ଲୋକ ।

ବୌଦ୍ଧ ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳୁଛି । ପାଣି ଟୋପେ ପାଇଁ ଡ଼ହଳ ବିକଳ ହେଉଛନ୍ତି ଲୋକ । ଜିଲ୍ଲାର ୫ଟି ୱାର୍ଡ଼ର ଲୋକ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ଷ୍ଟାଣ୍ଡ ପୋଷ୍ଟ ବସିଛି ପାଇପ ଲାଇନ ମଧ୍ୟ ବିଛା ହୋଇଛି ହେଲେ ଲୋକଙ୍କୁ ପାଣି ମିଳୁନି । ପାଣି ଟ୍ୟାଙ୍କର ଦୁଇ ଦିନରେ ଥରେ ଆସୁଛି ।

ଯାହା ସମୁଦ୍ରକୁ ଶଙ୍ଖେ ପରି । ଏନେଇ ଗ୍ରାମବାସୀ ମାନେ ଜିଲ୍ଳା ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ପ୍ରଚଣ୍ଡ ଖରା ସାଙ୍ଗକୁ ପାନୀୟ ଜଳ ଅଭାବରେ ଲୋକେ ଘାଂଟି ହେଉଥିବା ବେଳେ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଏହାର ସ୍ଥାୟୀ ସମାଧାନ କରିବା ଜରୁରୀ ହୋଇପଡିଛି ।