ସରକାରଙ୍କ ସୁବିଧାରୁ ବଞ୍ଚିତ ହେଉଛନ୍ତି କଟଣାବଣିଆର ଚାଷୀ : ସବସିଡି ଅର୍ଥ ନ ପାଇଲେ ରାଜରାସ୍ତାରେ ଆନ୍ଦୋଳନ କରିବା ପାଇଁ ଚେତାବନୀ

37

କନକ ବ୍ୟୁରୋ : ରାଜ୍ୟ ସରକାର କୃଷକଙ୍କ ଉନ୍ନତି ପାଇଁ ଅନେକ ଯୋଜନା କରିଛନ୍ତି । ଏପରିକି ପ୍ରଥମ ରାଜ୍ୟ ଭାବେ କୃଷକଙ୍କ ପାଇଁ ସ୍ୱତନ୍ତ୍ର ବଜେଟ କରୁଥିବା କହି ଦିଣ୍ଡିମ ପିଟୁଛନ୍ତି । କିନ୍ତୁ ପ୍ରକୃତରେ ଚାଷାମାନେ ଅନେକ ସମସ୍ୟା ମଧ୍ୟରେ ଗତି କରୁଥିବା ସୂଚନା ମିଳିଛି । କେବେ ସରକାର ଏହାରି ମଧ୍ୟରେ ଘୋଷଣା କରିଛନ୍ତି ଯେ, ଯେଉଁ ଚାଷୀମାନଙ୍କର ବର୍ଷାରେ ବିହନ ନଷ୍ଟ ହୋଇଯାଇଛି ସେମାନଙ୍କୁ ସରକାର ପୁଣି ଥରେ ନୂଆ କରି ବିହନ ଯୋଗାଇ ଦେବେ । ବିହନ ପାଇଁ ରାଜ୍ୟ ରାଜକୋଷରୁ ଅନେକ ଅର୍ଥମଧ୍ୟ ବ୍ୟୟବରାଦ ହୋଇଥିବା ଜଣାପଡିଛି । କିନ୍ତୁ ପ୍ରକୃତରେ ଚାଷୀମାନଙ୍କୁ କୈାଣସି ସୁବିଧା ମିଳୁନଥିବା ଅଭିଯୋଗ ହୋଇଛି କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ କଟଣାବଣିଆ ପଞ୍ଚାୟତରେ । ଶତାଧିକ ଚାଷୀ ଶହଶହ ଟଙ୍କା ଖର୍ଚ୍ଚକରି ହେକ୍ଟର ହେକ୍ଟର ଜମି ଚାଷ କରିଥିଲେ । ତେବେ ଅଦିନିଆ ବର୍ଷାରେ ସମସ୍ତ ତଳା ନଷ୍ଟ ହୋଇଥିବା ସୂଚନା ମିଳିଛି ।

ସରକାରଙ୍କ ସବସିଡି ଟଙ୍କା ନା ବିହନ କୈ।ଣସି ସୁବିଧା ପାଇ ନାହାନ୍ତି ସେଠାକାର ଚାଷୀ । ସରକାରଙ୍କ ନିୟମ ଅନୁସାରେ ସବସିଡି ଟଙ୍କା ପାଇବା ଲାଗି ଯାହା କାଗଜ ପତ୍ରର ଆବଶ୍ୟକତା ରହିଛି ତାହା ଅଫିସରେ ଦାଖଲ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୈାଣସି ସାହାଯ୍ୟ ପାଇପାରି ନାହାନ୍ତି ଚାଷୀ । ତେବେ ବାରମ୍ବାର ସରକାରୀ ବାବୁମାନଙ୍କ ପାଖକୁ ଯାଇ ଟଙ୍କା କେବେ ମିଳିବ ପଚାରିବାରୁ ସେମାନେ କହିଥିଲେ ଯେ, ତୁମର କୈାଣସି କାଗଜ ଏଠାରେ ନାହିଁ । ତେଣୁ ସରକାରଙ୍କ ଟଙ୍କା ମିଳିପାରିବ ନାହିଁ ବୋଲି ଚାଷୀମାନେ କହିଛନ୍ତି । ଏପରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସ୍ଥାନୀୟ ତହସିଲଦାରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବାହାରେ ଏକ ଅଭିଯୋଗ ଦାଖଲ କରିବା ପାଇଁ ବକ୍ସ ରଖାଯାଇଛି । ସେହିଠାରେ ଦରଖାସ୍ତ ଲେଖି ପକାନ୍ତୁ । ଏହାପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି । ଏପଟେ ସରକାରୀ ବାବୁଙ୍କ ଏପରି ଦାୟିତ୍ୱହୀନ ମନ୍ତବ୍ୟକୁ ସହଜରେ ଗ୍ରହଣ କରିନାହାନ୍ତି ଚାଷୀ । ସେମାନେ କହିଛନ୍ତି ଯେ, ଯଦି ସେମାନଙ୍କୁ ସରକାର ଦେଉ ଥିବା ଟଙ୍କା ନମିଳିବ ତେବେ କଟଣାବଣିଆ ଅଞ୍ଚଳର ସମସ୍ତ ଚାଷୀ ଏକତ୍ରିତ ହୋଇ ରାଜରାସ୍ତାରେ ଆନ୍ଦୋଳନ କରିବେ ବୋଲି ଚାଷୀମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।