‘ଆପ୍’ର ଫୁର୍ମଲା ଫିଟ୍…ଦିଲ୍ଲୀରେ କେଜ୍ରିୱାଲ ହିଟ୍ । କେଜ୍ରିୱାଲଙ୍କ ଲୋକାଭିମୁଖୀ ଯୋଜନା ଆଗରେ ଫେଲ୍ ମାରିଲା ମୋଦି ମ୍ୟାଜିକ୍ ।

170

କନକ ବ୍ୟୁରୋ : ‘ଆପ୍’ର ଫୁର୍ମଲା ଫିଟ୍ । ଦିଲ୍ଲୀରେ କେଜ୍ରିୱାଲ ହିଟ୍ । କୁହାଯାଏ, କାହାଣୀ ଦମଦାର ତ’ ଫିଲ୍ମ ହିଟ୍ ହେବ ହିଁ ହେବ । ଦିଲ୍ଲୀ ଫଳାଫଳ ବି ଠିକ୍ ସେଭଳି କିଛି ପରିଣାମ ନେଇ ଆସିଛି । ଦିଲ୍ଲୀରେ ହିଟ୍ ହୋଇଛି କେଜ୍ରିୱାଲଙ୍କ ନିର୍ବାଚନୀ ଫର୍ମୁଲା । ଲୋକାଭିମୁଖୀ ଯୋଜନାକୁ ଦିଲ୍ଲୀ ଲୋକଙ୍କ ପାଖରେ ପହଞ୍ଚାଇ ତୃତୀୟଥର ପାଇଁ ସରକାର ଗଢିବାକୁ ସକ୍ଷମ ହୋଇଛନ୍ତି ଅରବିନ୍ଦ କେଜ୍ରିୱାଲ । ପରିଣାମ ଆପଣଙ୍କ ଆଗରେ ଏବେ ନଜର ପକାନ୍ତୁ ଆପର ଫର୍ମୁଲା ଉପରେ ।

ମାଗଣା ପାଣି, ମାଗଣା ବିଜୁଳି, ମାଗଣା ୱାଇଫାଇ, ମହିଳାଙ୍କ ପାଇଁ ମାଗଣା ବସ୍ ସେବା, ମୋହଲ୍ଲା କ୍ଲିନିକ୍, ଶିକ୍ଷାରେ ସୁଧାର, ଗଳିକନ୍ଦିରେ ସିସିଟିଭି, ଝୁମ୍ପୁଡିରୁ କୋଠାଘର, ଅଡ୍ ଇଭେନ୍ ଫର୍ମୁଲା, ଦୁର୍ନୀତିରେ ଲଗାମ । କମ୍ ସମୟ ଭିତରେ କେଜ୍ରିୱାଲ ସରକାରଙ୍କ ଲମ୍ବା ଯୋଜନାର ଲମ୍ବା ତାଲିକା ।

ଦ୍ୱିତୀୟ ଥର କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ୩ରୁ ସାଢ଼େ ୩ବର୍ଷ, କେବଳ ଲଢ଼େଇରେ କଟିକଲା । କେତେବେଳେ କେନ୍ଦ୍ର ବନାମ ଦିଲ୍ଲୀ ସରକାର, ତ ଆଉ କେତେବେଳେ ଉପ-ରାଜ୍ୟପାଳ ବନାମ କେଜ୍ରିୱାଲ । ହେଲେ ଅନ୍ତିମ ଦେଢ଼ ବର୍ଷରୁ ୨ବର୍ଷ ଆପ୍ କର୍ମୀ ଏମିତି ପରିଶ୍ରମ କଲେ ଯେ, ୨୦୧୫ର ସଫଳତା ଦୋହରାଇଲା ଟିମ୍ କେଜ୍ରିୱାଲ ।

ନାୟକ ଫିଲ୍ମର ଗୋଟିଏ ଦିନର ମୁଖ୍ୟମନ୍ତ୍ରୀ ଭଳି ମାତ୍ର ୪୯ ଦିନ ଦିଲ୍ଲୀ ଗାଦିରେ ବସି ପ୍ରମାଣିତ କରିଦେଇଥିଲେ ଯେ, କେଜ୍ରିୱାଲ ହେଉଛନ୍ତି ଲମ୍ବା ରେସର ଘୋଡ଼ା । ୨୦୧୩-୧୪ର ସେହି ରାମଲୀଲା ମୈଦାନର କଥା ମନେ ପକାନ୍ତୁ । ପ୍ରଶାସକରୁ ସମାଜିକକର୍ମୀ ସାଜି ଲୋକପାଳ ଆନ୍ଦୋଳନର ଏକ ପ୍ରମୁଖ ଚେହେରା, ଏବେ ରାଜନୀତିର ପୋଖତ ଖେଳାଳି ।

ଦିଲ୍ଲୀରେ ଆପର ସଫଳତା ଏବଂ କଂଗ୍ରେସର ବିଫଳତା ଭିତରେ ଦୀର୍ଘ ୨୨ ବର୍ଷ ହେଲା ଦିଲ୍ଲୀ ଗାଦିରୁ ଦୂରେଇ ରହିଛି, ବିଶ୍ୱର ଶ୍ରେଷ୍ଠ ଦଳ ଭାବେ ଦାବି କରୁଥିବା ଭାରତୀୟ ଜନତା ପାର୍ଟି । ୧୯୯୮ରୁ ୨୦୧୯ ଦିଲ୍ଲୀର ଛାତି ଉପରେ ବିଜେପିକୁ ଚକମା ଦେଇଛନ୍ତି ପ୍ରତିପକ୍ଷ ଦଳ । ୨୦୧୪ ଏବଂ ୨୦୧୯ରେ ସାତ-ସାତଟି ଲୋକସଭା ଆସନ ଜିତି ଦିଲ୍ଲୀ ଦଖଲର ସ୍ୱପ୍ନ ଦେଖୁଥିବା ମୋଦି-ଶାହାଙ୍କ ରଣନୀତିକୁ ଧୁଳି ଚଟାଇ ଦେଇଛନ୍ତି ଅଣରାଜନୈତିକ ପୃଷ୍ଠଭୂମୀରୁ ଆସିଥିବା ଅରବିନ୍ଦ କେଜ୍ରିୱାଲ ।