ସୁପ୍ରିମକୋର୍ଟରେ କେଜରିୱାଲ ସରକାରଙ୍କ ଅଜବ ଯୁକ୍ତି ! ଦିଲ୍ଲୀ ଭାରତର ରାଜଧାନୀ ବୋଲି ସମ୍ବିଧାନରେ ନାହିଁ

55

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଏଥର କୌଣସି ରାଜନୈତିକ ମନ୍ତବ୍ୟ ଦେଇ ନୁହେଁ ବରଂ ଭାରତର ରାଜଧାନୀକୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ଚର୍ଚ୍ଚା । ସୁପ୍ରିମକୋର୍ଟରେ ଏକ ଅଜବ ପ୍ରଶ୍ନ ଉଠାଇଛନ୍ତି ଅରବିନ୍ଦ କେଜରିୱାଲ ସରକାର। ଦିଲ୍ଲୀ ଭାରତର ରାଜଧାନୀ ବୋଲି ଭାରତର ସମ୍ବିଧାନ କିମ୍ବା ସଂସଦରେ କୌଣସି ବିଲ ପାରିତ ହୋଇଛି କି ସେ କହିଛନ୍ତି । ମଙ୍ଗଳବାର ଦିନ ଅରବିନ୍ଦ କେଜ୍ରିଓ୍ଵାଲ ସରକାର ସୁପ୍ରିମକୋର୍ଟରେ ବିଚିତ୍ର ପ୍ରଶ୍ନ ଉପସ୍ଥାପନ କରିଛି ।

ଦିଲ୍ଲୀ ସରକାରଙ୍କ ଅଖଣ୍ଡ  କ୍ଷମତା ଜାହିର କରିବା ନିମନ୍ତେ ନିର୍ଦ୍ଦିଷ୍ଟ ଅଞ୍ଚଳର ରୂପରେଖ ବାହାର କରିବାକୁ ଉଦ୍ୟମ କରି ତାଙ୍କ ତରଫରୁ ଯୁକ୍ତି ବାଢ଼ି ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ସୁପ୍ରିମକୋର୍ଟରେ ଯୁକ୍ତି ବାଢିଥିଲେ । ପ୍ରଧାନ ବିଚାରପତି ଦୀପକ ମିଶ୍ର ଏବଂ ବିଚାରପତି ଏ. କେ. ସିକ୍ରି, ଏ. ଏମ.ଖାନକିଲଓ୍ଵାର, ଡି. ଓ୍ଵାଇ. ଚନ୍ଦ୍ରଚୂଡ଼ ଏବଂ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କୁ କହିଛନ୍ତି ଯେ ଦିଲ୍ଲୀ ଭାରତର ରାଜଧାନୀ ବୋଲି ସମ୍ବିଧାନ ଅଥବା କୌଣସି ଆଇନରେ ଉଲ୍ଲେଖ ନାହିଁ।

କୈାଣସି ନିୟମରେ ରାଜଧାନୀ ବୋଲି କୁହାଯାଇନାହିଁ । କେନ୍ଦ୍ର ଆସନ୍ତାକାଲି ଏହାକୁ ଅନ୍ୟକୌଣସି ସ୍ଥାନକୁ ଉଠାଇପାରନ୍ତି । ଦିଲ୍ଲୀ ଭାରତର ରାଜଧାନୀ ବୋଲି ସମ୍ବିଧାନ ମଧ୍ୟ କହିନାହିଁ । ଆମେ ଜାଣିଛୁ ବ୍ରିଟିଶ ସରକାର ରାଜଧାନୀକୁ କୋଲକାତାରୁ ଦିଲ୍ଲୀକୁ ଆଣିଥିଲେ । ଏହା କେନ୍ଦ୍ରଶାସିତ ଅଂଚଳ ଦିଲ୍ଲୀର ରାଜଧାନୀ ବୋଲି ଆମେ ଜାଣିଛୁ କିନ୍ତୁ ଏହା ଭାରତର ରାଜଧାନୀ ବୋଲି ମାନେ ନାହିଁ । ଏ ନେଇ ଖଣ୍ଡପୀଠ କୌଣସି ବିବୃତ୍ତି ଦେଇନାହାନ୍ତି ।

ଜୟସିଂହ କହିଛନ୍ତି, ଖଣ୍ଡପୀଠଙ୍କ ଆଗରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଲା: ଜାତୀୟ ରାଜଧାନୀ ଅଞ୍ଚଳ ଉପରେ ଦୁଇଟି ଆଧିପତ୍ୟ ରହିପାରିବ କି ? ବିଧାନସଭା ଏବଂ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ ମନ୍ତ୍ରୀମଣ୍ଡଳ ଥିବାରୁ ଦିଲ୍ଲୀ ଏକ ରାଜ୍ୟ ବୋଲି ମୁଁ ଦାବି କରୁନାହିଁ। କିନ୍ତୁ ରାଜ୍ୟ ଓ କେନ୍ଦ୍ରର କାର୍ୟ୍ୟପାଳିକା କ୍ଷମତା ନିର୍ଦ୍ଧାରିତ କରାଯାଇ ସ୍ୱତନ୍ତ୍ର କରାଯିବା ଭଳି ସମାଧାନ ଦିଲ୍ଲୀ ପାଇଁ ଆବଶ୍ୟକ। ସେ କହିଛନ୍ତି କେନ୍ଦ୍ର ସରକାରଙ୍କ ବିନା ହସ୍ତକ୍ଷେପରେ କେଜ୍ରିଓ୍ଵାଲ ସରକାରଙ୍କୁ ସୁଚାରୁରୂପେ ଶାସନ ଚଳାଇବାକୁ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କ ମଧ୍ୟରେ କାର୍ଯ୍ୟପାଳିକାର ବଣ୍ଟନ ହେବା କଥା । ବିଶେଷକରି ମହିଳା ମଙ୍ଗଳ, କର୍ମସଂସ୍ଥାନ, ଶିକ୍ଷା, ସ୍ୱାସ୍ଥ୍ୟପରିମଳ ଆଦି ସାମାଜିକ ମଙ୍ଗଳ କାର୍ୟ୍ୟକ୍ରମରେ।

ଖଣ୍ଡପୀଠ କହିଲେ ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟପାଳିକା କ୍ଷମତା ବର୍ଗୀକରଣ କରି ସମ୍ବିଧାନ ତିନିଟି ଭିନ୍ନ ଭିନ୍ନ ତାଲିକା ଯୋଗାଇ ଦେଇଛି। ସବୁ ରାଜ୍ୟ ଓ କେନ୍ଦ୍ର ସହ ସହଯୋଗ କରି କାର୍ୟ୍ୟ କରିବେ। କାର୍ଯ୍ୟପାଳିକା କ୍ଷମତାର ପ୍ରତ୍ୟକ୍ଷ ବିଭାଗୀକରଣ ଦର୍ଶାଇ କୌଣସି ଆଇନ ନାହିଁ।