ସରିଗଲା ସମୟ, ଆଜି ନାମାଙ୍କନପତ୍ର ଦାଖଲ କରିପାରିଲେନି କେଜ୍ରିୱାଲ । ଆସନ୍ତାକାଲିକୁ ଅପେକ୍ଷା ।

582

କନକ ବ୍ୟୁରୋ : ବିଧାନସଭା ନିର୍ବାଚନ ପାଇଁ ଏବେ ଉଠୁଛି ପଡୁଛି ଦିଲ୍ଲୀ । ଆସନ୍ତାକାଲି ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ହୋଇଥିବାରୁ ଆଜି ଅଧିକାଂଶ ନେତା ନାମାଙ୍କନପତ୍ର ଦାଖଲ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ନାମାଙ୍କନପତ୍ର ଦାଖଲ କରିବାକୁ ଯାଇଥିଲେ ମଧ୍ୟ ନାମାଙ୍କନପତ୍ର ଦାଖଲ କରିପାରିନାହାନ୍ତି । ବିଶାଳ ଶୋଭାଯାତ୍ରା ଓ ଶହ ଶହ ସମର୍ଥକଙ୍କ ଗହଣରେ ନାମାଙ୍କନପତ୍ର ଦାଖଲ କରିବାକୁ ବାହାରିଥିଲେ କେଜ୍ରିୱାଲ । କିନ୍ତୁ ରୋଡ ସୋ’ରେ ଏତେ ଭିଡ ମଧ୍ୟରେ ଠିକ୍ ସମୟରେ ପହଞ୍ଚିପାରିନଥିଲେ । ତେବେ ଏନେଇ କେଜ୍ରିୱାଲ କହିଛନ୍ତି, ଦିନ ୩ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରିବାର ସମୟସୀମା ଥିଲା । ତେବେ ଏତେ ଲୋକଙ୍କୁ ରୋଡ ସୋ’ ଅଧାରୁ ଛାଡି ଯାଇପାରିନଥିଲି ତେଣୁ ଆସନ୍ତାକାଲି ନାମାଙ୍କନପତ୍ର ଦାଖଲ କରିବି ।

ନାମାଙ୍କନପତ୍ର ଦାଖଲ କରିବାକୁ ରୋଡ ସୋ’ରେ ବାହାରିବା ପୂର୍ବରୁ ବାଲ୍ମିକି ମନ୍ଦିରରେ ପହଞ୍ଚିଥିଲେ କେଜ୍ରିୱାଲ । ସେଠାରେ କିଛି ସମୟ ପୂଜା କରିବା ପରେ ରୋଡ ସୋ’ରେ ବାହାରିଥିଲେ କେଜ୍ରିୱାଲ । ହଜାର ହଜାର ସଂଖ୍ୟାରେ ସମର୍ଥକ ରୋଡ ସୋ’ରେ ସାମିଲ ହୋଇଥିଲେ । ଏପରିକି କେଜ୍ରିୱାଲଙ୍କ ପୂରା ପରିବାର ମଧ୍ୟ ତାଙ୍କ ସାଥୀରେ ରହିଥିଲେ । ଅଚ୍ଛେ ବିତେ ପାଞ୍ଚ ସାଲ, ଲଗେ ରହୋ କେଜ୍ରିୱାଲ ନାରାରେ କମ୍ପିଥିଲା ଦିଲ୍ଲୀ ରାଜରାସ୍ତା ।

ରୋଡ ସୋ’ରେ ଭିଡ ଏତେ ବଢି ଯାଇଥିଲା ଯେ, ଜାମନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିପାରିନଥିଲେ କେଜ୍ରିୱାଲ । ଆଉ ନିର୍ଦ୍ଧାରିତ ସମୟ ମଧ୍ୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନ ପାରିବାରୁ ନାମାଙ୍କନପତ୍ର ଦାଖଲ କରିପାରିନଥିଲେ କେଜ୍ରିୱାଲ । ନୂଆଦିଲ୍ଲୀ ଆସନରୁ କେଜ୍ରିୱାଲ ଲଢିବାକୁ ଥିବା ବେଳେ ଆସନ୍ତାକାଲି ନାମାଙ୍କନପତ୍ର ଦାଖଲ କରିବେ ।