ମାଫି ମୁଡରେ ଅରବିନ୍ଦ କେଜ୍ରିୱାଲ ! କିନ୍ତୁ ଜେଟଲୀଙ୍କ ମନ ଜିଣିପାରିଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ

43

ମାଫି ମୁଡରେ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସେହିମାନଙ୍କୁ କ୍ଷମା ମାଗୁଛନ୍ତି, ଯେଉଁମାନଙ୍କ ବିରୁଦ୍ଧରେ ସେ ସଙ୍ଗୀନ ଆରୋପ ଲଗାଇଥିଲେ ଏବଂ ଆଗକୁ ମଧ୍ୟ ବଢିଥିଲେ । ଏହି କ୍ରମରେ କେଜ୍ରିୱାଲ, ପଞ୍ଜାବର ପୂର୍ବତନ ମନ୍ତ୍ରୀ ଏବଂ ଅକାଳୀ ଦଳର ନେତା ବିକମ୍ର ସିଂହ ମଜୀଠିଆ, ବିଜେପି ନେତା ନିତିନ ଗଡକରୀ ଏବଂ କଂଗ୍ରେସ ନେତା ସିବଲଙ୍କ ଠାରୁ କ୍ଷମା ମାଗିଥିଲେ ।

ଏବେ ଚର୍ଚ୍ଚା ଜୋର ଧରିଛି ଯେ, କଣ କେଜ୍ରିୱାଲ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ବି କ୍ଷମା ମାଗିବେ । କିନ୍ତୁ ଏପର୍ଯ୍ୟନ୍ତ ଏମିତି କୌଣସି ବି ସୂଚନା ନାହିଁ ଯେ, କେଜ୍ରିୱାଲ ଅରୁଣ ଜେଟଲୀଙ୍କୁ କୌଣସି ପତ୍ର ପଠାଇଛନ୍ତି କି ନାହିଁ । କିନ୍ତୁ ଖବର ମୁତାବକ, ଆମ୍ ଆଦମୀ ପାର୍ଟି ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ଓକିଲ ଏହି ମାମଲା ସହ ଯୋଡି ହୋଇ ରହିଥିବା ଅରୁଣ ଜେଟଲୀଙ୍କ ଓକିଲଙ୍କ ସହ ସମ୍ପର୍କରେ ଅଛନ୍ତି ।

ସୁଚନା ଅନୁଯାୟୀ, କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି କେଜ୍ରିୱାଲଙ୍କ କ୍ଷମାକୁ ସ୍ୱୀକାର କରିବେ ନାହିଁ । ଏହି ମାମଲାରେ ଆପ୍ ନେତା ଅଲକା ଲାମ୍ବା କହିଛନ୍ତି, କେଜ୍ରିୱାଲଙ୍କ ଏହି କ୍ଷମା ମାଗିବାରେ ଦିଲ୍ଲୀ ସନ୍ତୁଷ୍ଟ ଅଛି । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଏହା ଭାବନା ଥିଲା ଯେ, କ୍ଷମା ମାଗିଲେ କେହି ଛୋଟ ହୋଇନଥାନ୍ତି । ଦିଲ୍ଲୀର ସ୍ୱାର୍ଥକୁ ନଜରରେ ରଖି କ୍ଷମା ମାଗିବାରେ କିଛି ବି ଭୁଲ ନାହିଁ । ଜେଟଲୀ କ୍ଷମା ନଦେବାର ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, କାହାଠୁ ଜୋର ଜବରଦସ୍ତ କ୍ଷମା ଅଣାଯାଇନଥାଏ ।

କଣ ଥିଲା ପୁରା ଘଟଣା ?
ଡିଡିସିଏ ର ଅଧ୍ୟକ୍ଷ ପଦରେ ରହି ମଧ୍ୟ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଭ୍ରଷ୍ଟାଚାର କରୁଥିବା ଆମ ଆଦମୀ ପାର୍ଟି ଅଭିଯୋଗ କରିଥିଲା । ଏହା ପରେ ଅରୁଣ ଜେଟଲୀ, ଆପ୍ ର ନେତା ମାନଙ୍କ ଉପରେ ୧୦କୋଟି ଟଙ୍କାର ମାନହାନି ମୋକଦ୍ଦମା ଦାୟର କରିଥିଲେ । କେଜ୍ରିୱାଲଙ୍କ ସମେତ ଆଶୁତୋଷ, କୁମାର ବିଶ୍ୱାସ, ସଞ୍ଜୟ ସିଂହ,ରାଘବ ଚଡ୍ଡା ଏବଂ ଦୀପକ ବାଜପେୟୀଙ୍କ ବିରୁଦ୍ଧରେ ଜେଟଲୀ ମାନହାନି ମୋକଦ୍ଦମା ଦାୟର କରିଥିଲେ ।

ଏହି ମାମଲାରେ ଅରବିନ୍ଦ କେଜ୍ରିୱାଲ ଏବଂ ଅରୁଣ ଜେଟଲୀ ଅନେକ ଥର କୋର୍ଟରେ ହାଜର ହୋଇ ସାରିଛନ୍ତି ।ଦୁଇଜଣଙ୍କୁ ପଚରାଉଚୁରା ମଧ୍ୟ ସରିଛି ।କିନ୍ତୁ ଏପର୍ଯ୍ୟନ୍ତ କୌଣସି ସମାଧାନର ବାଟ ବାହାରି ପାରିନାହିଁ । ଆଉ ଏଥି ମଧ୍ୟରେ ଆଶା ରଖାଯାଉଥିଲା ଯେ, କ୍ଷମା ମାଗିଲା ପରେ ଯେମିତି ବିକ୍ରମ ମଜୀଠିଆ, ନିତିନ ଗଡକରୀ, କପିଲ ସିବଲ ଏବଂ ତାଙ୍କ ପୁଅ ମାମଲାକୁ ଫେରାଇ ନେବାକୁ ସ୍ଥିର କରିଥିଲେ । ଠିକ୍ ସେମିତି ଅରୁଣ ଜେଟଲୀଙ୍କ ମାମଲାରେ ମଧ୍ୟ ଦେଖିବାକୁ ମିଳିବ ବୋଲି ଆଶା ରଖାଯାଇଥିଲା । ତେବେ କେଜ୍ରିୱାଲଙ୍କ ପାଇଁ ଆସିଥିବା ସୂଚନା ତାଙ୍କୁ ଆଶ୍ୱସ୍ତି ଦେବ ନାହିଁ ।