ଜେଲ ନେଇଯିବ ଅଚଳ ନୋଟ୍ ! ଡିସେମ୍ବର ୩୦ ପରେ ବ୍ୟାନ୍ ନୋଟ୍ ରଖିଲେ ଜେଲଦଣ୍ଡ

33

କନକ ବ୍ୟୁରୋ : ବର୍ତ୍ତିପାରିବେନି ଅଚଳ ନୋଟ୍ ଜମାକାରୀ । ନୋଟ୍ ବନ୍ଦ ନେଇ ଆସିଛି ସରକାରଙ୍କ ନୂଆ ଅଧ୍ୟାଦେଶ । ଏଣିକି ନିର୍ଦ୍ଧାରିତ ପରିମାଣରୁ ଅଧିକ ପୁରୁଣା ୫ଶହ ଏବଂ ହଜାରେ ଟଙ୍କିଆ ନୋଟ୍ ରଖିଲେ ହେବ ଜେଲଦଣ୍ଡ । ବେଆଇନ ଭାବେ ଏହି ଅଚଳ ନୋଟ୍ ଜମା ରଖିଲେ ୪ ବର୍ଷ ଜେଲ ଏବଂ ୫ ହଜାର ଟଙ୍କା ଜରିମାନା ହେବାକୁ ପଡ଼ିବ ।

ଅଚଳ ନୋଟ୍ ନେଇ ଆସିଥିବା ଅଧ୍ୟାଦେଶକୁ କ୍ୟାବିନେଟ୍ ମଂଜୁରୀ ମିଳିଛି । ୫ଶହ ଏବଂ ହଜାରେ ଟଙ୍କିଆ ପୁରୁଣା ନୋଟ୍ ରଖିବା ଉପରେ ନିର୍ଦ୍ଧିଷ୍ଟ ସୀମା ନିର୍ଦ୍ଧାରଣ ହେବ । ଏହି ସରକାରୀ ଅଧ୍ୟାଦେଶ ଅନୁସାରେ ଆସନ୍ତାବର୍ଷ ମାର୍ଚ୍ଚ ୩୧ ପରେ ନିର୍ଦ୍ଧାରିତ ପରିମାଣ ଠାରୁ ଅଧିକ ପୁରୁଣା ୫ଶହ ଏବଂ ହଜାରେ ଟଙ୍କିଆ ନୋଟ୍ ରଖିଲେ ହେବ କାର୍ଯ୍ୟାନୁଷ୍ଠାନ ।

ଅଚଳ ନୋଟ୍ ନିଜପାଖରେ ରଖିଲେ କିମ୍ବା ଏହି ଟଙ୍କାର କାରବାର କଲେ ୪ ବର୍ଷ ଜେଲ ଏବଂ ୫ ହଜାର ଟଙ୍କାର ଜରିମାନା ଦେବାକୁ ହେବ । ଡିସେମ୍ବର ୩୦ ତାରିଖ ପରେ ବ୍ୟାଙ୍କ ଗୁଡିକରେ ଏହି ପୁରୁଣା ନୋଟ୍ ଗୁଡ଼ିକ ଗ୍ରହଣ ହେବ ନାହିଁ । ମାତ୍ର ଆସନ୍ତା ବର୍ଷ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏକ ଘୋଷଣାପତ୍ର ଦେଇ ରିର୍ଜଭ ବ୍ୟାଙ୍କ ଗୁଡ଼ିକରେ ଏହି ପୁରୁଣା ନୋଟ୍ ଜମା କରିହେବ । ଏହା ପରେ ନୂଆ ଅଧ୍ୟାଦେଶ ମୁତାବକ ଅଚଳ ନୋଟ୍ ରଖୁଥିବା ଲୋକଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।