ପୋଲିସ ବାବୁଙ୍କୁ ମୁଖିଆଙ୍କ ଫତୱା ! ଗଣମାଧ୍ୟମ ଠାରୁ ଦୂରେଇ ରୁହ ନହେଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

133

ଗଣମାଧ୍ୟମ ଠାରୁ ଦୂରେଇ ରୁହ ନହେଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ପୋଲିସ କର୍ମଚାରୀଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ମଧ୍ୟପ୍ରଦେଶ ଡିଜିପି ଋଷି କୁମାର ଶୁକ୍ଳା । ପୋଲିସ ଅଫିସର ଓ କର୍ମଚାରୀଙ୍କୁ ମିଡିଆ ଠାରୁ ଦୂରେଇ ରହିବା ପାଇଁ ଫତୱା ଜାରି କରିଛନ୍ତି ଖୋଦ ପୋଲିସ ମୁଖିଆ । ଯଦି ବିନା ଅନୁମତିରେ କୌଣସି ପୋଲିସ ଅଫିସର ଗଣମାଧ୍ୟମ ସହ ସର୍ମ୍ପକ ରଖନ୍ତି ତେବେ ଏହାକୁ ଅନୁଶାସନର ଉଲ୍ଲଂଘନ ବୋଲି ଧରିନେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ହଠାତ୍ ଗଣମାଧ୍ୟମ ଉପରେ ପୋଲିସ ମୁଖିଆ ରାଗିଲେ କାହିଁକି । କଣ ଏହା ପଛର କାରଣ । ଏପ୍ରିଲ ୨ରେ ଭାରତ ବନ୍ଦ ଆନ୍ଦୋଳନ ସମୟରେ ମଧ୍ୟପ୍ରଦେଶରେ ଯେଉଁ ହିଂସା ଦେଖା ଦେଇଥିଲା ତାହାକୁ ରୋକିବାରେ ପୋଲିସ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । ତେବେ ଗଣମାଧ୍ୟମ ଓ ସୋସିଆଲ ମିଡିଆକୁ ଏଥିପାଇଁ ଦାୟୀ କରାଯାଇଥିଲା । ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଭାରତ ବନ୍ଦ ନେଇ ବିଭିନ୍ନ ହିଂସା ସୃଷ୍ଟିକାରୀ ମେସେଜ ଭାଇରାଲ ହେବା ପରେ ଉଗ୍ର ହୋଇଥିଲା ହିଂସା । ତେଣୁ ଏହାପରେ ଗଣମାଧ୍ୟମ ସହ ସର୍ମ୍ପକ କାଟିବାକୁ ଫତୱା ଜାରି କରିଛନ୍ତି ପୋଲିସ ମୁଖିଆ ।

ଏହାଛଡା ମଧ୍ୟପ୍ରଦେଶ ଡିଜିପି ପୋଲିସ ଅଫିସର ଓ କର୍ମଚାରୀଙ୍କୁ ହ୍ୱାଟସଆପରେ କୌଣସି ପୋଷ୍ଟ ଉପରେ ସମର୍ଥନ ନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଫେସବୁକ, ଇନଷ୍ଟାଗ୍ରାମ, ୟୁଟ୍ୟୁବ, ବ୍ଲଗରେ ମଧ୍ୟ କୌଣସି ଆପତ୍ତିଜନକ ପୋଷ୍ଟ ନ କରିବାକୁ ଫତୱା ଜାରି କରିଛନ୍ତି ପୋଲିସ ମୁଖିଆ । ସୋସିଆଲ ମିଡିଆରେ ଧର୍ମ,ଲିଙ୍ଗ, ଜାତିକୁ ଭେଦଭାବ ଦେଖାଯାଉଥିବା ପୋଷ୍ଟକୁ ମଧ୍ୟ ସମର୍ଥନ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଡିଜିପି ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଫେସବୁକ, ହ୍ୱାଟସଆପ କିମ୍ବା ଅନ୍ୟ କୌଣସି ସୋସିଆଲ ସାଇଟରେ ପ୍ରୋଫାଇଲ ପେଜ କରନ୍ତୁ ନାହିଁ । ଖାସକରି ଯେଉଁ ଅଫିସର ବା କର୍ମଚାରୀ ଭିଆଇପି ସୁରକ୍ଷା ଦାୟିତ୍ୱରେ ରହିଛନ୍ତି ସେମାନେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଫଟୋ ସେୟାର କରନ୍ତୁ ନାହିଁ । ଏହାଦ୍ୱାରା ସୁରକ୍ଷା ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି ହେଉଛି ।