ଓଡିଶା ଆସୁଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ! ନବୀନ ନିବାସର ଅତିଥି ବନିବେ କେସିଆର, ନୂଆ ରାଜନୈତିକ ସମୀକରଣ ନେଇ ବଢିଲା ଚର୍ଚ୍ଚା ।

131

କନକ ବ୍ୟୁରୋ : ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ । ଏହି ଗ୍ରସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ନବୀନ ନିବାସରେ ରାତ୍ରୀ ଯାପନ କରିବେ । ଦେଶର ରାଜନୈତିକ ଦୃଶ୍ୟପଟ୍ଟରେ କେସିଆରଙ୍କ ଏହି ଗସ୍ତ ବେଶ ଗୁରୁତ୍ୱ ରଖୁଛି । କାରଣ ନବୀନଙ୍କୁ ଦେଖା କରିବା ପରେ ପରଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ କେସିଆର । ମମତାଙ୍କ ସହ ସାକ୍ଷାତ ପରେ ୨୫ ତାରିଖରେ ବିଏସପି ମୁଖ୍ୟ ଏବଂ ସପା ମୁଖ୍ୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ୨୦୧୯ ପୂର୍ବରୁ କେସିଆର୍ ଆଂଚଳିକ ଦଳର ନେତାଙ୍କୁ ଭେଟିବା ହୁଏତ ଏକ ବଡ ବାର୍ତ୍ତା ନେଇ ଆସୁଛି ।

କେ. ଚନ୍ଦ୍ରଶେଖର ରାଓ, ନବୀନ ପଟ୍ଟନାୟକ ଏବଂ ମମତା ବାନାର୍ଜୀ ବାନାର୍ଜୀ । ନିଜ ନିଜ ରାଜ୍ୟରେ କଂଗ୍ରେସ ଓ ବିଜେପିକୁ ଅଟକାଇ ରଖିବାରେ ସଫଳ ହୋଇଥିବା ୩ ପ୍ରମୁଖ ନେତା । ଆଉ ଏହି ତିନି ନେତା ଯଦି ୨୦୧୯ ନିର୍ବାଚନ ପୂର୍ବରୁ ଏକାଠି ଗୋଟିଚାଳନା କରନ୍ତି, ତେବେ ବିଜେପିର ପୂର୍ବାଚଂଳ ଦଖଲକୁ ଏକ ବଡ ଚେକ୍୍ ଦେଇପାରିବେ, ଏଥିରେ କୌଣସି ସନ୍ଦେହ ନାହିଁ ।

ଦମ୍ ଦେଖାଇବ କି ଆଂଚଳିକ ଶକ୍ତି? ୧୯ ପୂର୍ବରୁ ପ୍ରସ୍ତୁତ ହେବ କି ନୂଆ ଖସଡ଼ା ? ନବୀନ ନିବାସରେ କେବଳ ଅତିଥି ବନିବେନି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ  । ବରଂ ପ୍ରଥମ ରାଜନେତା ଭାବରେ ରାତ୍ରୀ ଯାପନ ମଧ୍ୟ କରିବେ । କୁହାଯାଉଛି, କେସିଆର୍ ମୁଖ୍ୟମନ୍ତ୍ରୀଙ୍କ ସହ ଆଗାମୀ ନିର୍ବାଚନ ସଂକ୍ରାନ୍ତରେ ମଧ୍ୟ ଆଲୋଚନା କରିବେ । ଆଉ ଏହି ଚର୍ଚ୍ଚା-ଆଲୋଚନା ଭିତରେ ଏକ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ନହେବ, ତାହା ବି କହିବା ମୁସ୍କିଲ । କାରଣ ନବୀନଙ୍କୁ ଭେଟିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିିବେ କେସିଆର୍ ।

ଉଭୟ ବିଜେପି ଓ କଂଗ୍ରେସଠାରୁ ବିଜେଡି ସମଦୂରତ୍ୱ ବଜାୟ ରଖି ଆସୁଥିବା ବେଳେ କେସିଆର୍ ଜାତୀୟ ରାଜନୀତି ଅପେକ୍ଷା ରାଜ୍ୟ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଆସିଛନ୍ତି । ଆଉ ଯଦି ଆଂଚଳିକ ଦଳର କସରତ ଏକ ନୂଆ ସମୀକରଣ ସୃଷ୍ଟି କରେ, ତେବେ ୨୦୧୯ରେ ଏକ ପ୍ରମୁଖ ଶକ୍ତି ଭାବେ ଉଭା ହେବ ଏଥିରେ କୌଣସି ସନ୍ଦେହ ନାହିଁ ।

ଓଡ଼ିଶା, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ଦଳ ଗୁଡ଼ିକ ଅପେକ୍ଷା ଆଂଚଳିକ ଶକ୍ତି ଅଧିକ ପ୍ରଭାବଶୀଳ । ଆଉ ଏହି ୩ଟି ରାଜ୍ୟର ରାଜନୈତିକ ଶକ୍ତି ଯଦି ଏକାଠି ହୁଅନ୍ତି, ତେବେ ରାଜ୍ୟର ସ୍ୱାର୍ଥ ପାଇଁ କେନ୍ଦ୍ର ନିକଟରେ ଏକ ବଡ ଧରଣ ମୂଳଚାଳ କରିବାରେ ସମର୍ଥ ହେବେ । କାରଣ ଓଡ଼ିଶାର ୨୧, ତେଲେଙ୍ଗାନାର ୧୭ ଏବଂ ପଶ୍ଚିମବଙ୍ଗର ୪୨ ଲୋକସଭା ଆସନ ମିଶିଲେ ୮୦ଟି ଆସନ ହେଉଛି । ଯାହା କେନ୍ଦ୍ରରେ କୌଣସି ଦଳକୁ ପୂର୍ଣ୍ଣ ବହୁମତ ନମିଳିଲେ ଏକ ପ୍ରମୁଖ ଭୂମିକା ନେବାର ସଫଳ ହୋଇପାରିବ ।