କେସିଆରଙ୍କୁ ପସନ୍ଦ ଆସିଲା ନବୀନଙ୍କ ‘କାଳିଆ’ ଯୋଜନା ! ନବୀନଙ୍କ ୧୮ ବର୍ଷର ଶାସନ ଓ ନେତୃତ୍ୱକୁ କଲେ ଭୁରି ଭୁରି ପ୍ରଂଶସା

383

କନକ ବ୍ୟୁରୋ : ଦେଶର ରୋଲ ମଡେଲ ହେଉଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ନବୀନଙ୍କୁ ଭେଟିବା ପରେ ନବୀନଙ୍କ ସରକାରଙ୍କ କାମକୁ ପ୍ରଂଶସାରେ ପୋତି ପକାଇଛନ୍ତି । ଦେଶର ବଡ ନେତାଙ୍କ ତାଲିକାରେ ନବୀନଙ୍କ ନାଁକୁ ଯୋଡିଛନ୍ତି କେସିଆର ।

ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ କେସିଆର ନିଜ ପ୍ରତିକ୍ରିୟାରେ ବିଜେଡି ସରକାରର ୧୮ ବର୍ଷ ଶାସନକୁ ବେଶ ପ୍ରଂଶସା କରିଛନ୍ତି । ଖାସକରି କୃଷକ ମାନଙ୍କ ପାଇଁ ନବୀନ ଯେଉଁ ଯୋଜନା କରୁଛନ୍ତି ତାହା ବାସ୍ତବରେ ପ୍ରଂଶସନୀୟ । ଏପରିକି ଦୁଇ ଦିନ ପୂର୍ବେ ଘୋଷଣା ହୋଇଥିବା କାଳିଆ ଯୋଜନାକୁ ମଧ୍ୟ ଭୁରି ଭୁରି ପ୍ରଂଶସା କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ଓଡିଶା ପାଇଁ ନବୀନ ଅନେକ ଗୁଡିଏ ଭଲ କାମ କରିଛନ୍ତି ଖାସକରି କୃଷକଙ୍କ ପାଇଁ ନବୀନ ଯେଉଁ ପଦକ୍ଷେପ ନେଇଛନ୍ତି ସେଥିପାଇଁ ଧନ୍ୟବାଦ ଜଣାଇଛନ୍ତି କେସିଆର । ନବୀନଙ୍କ ଭଳି ନିସ୍ୱାର୍ଥପର ମୁଖ୍ୟମନ୍ତ୍ରୀ ଦେଶ ପାଇଁ ରୋଲ୍ ମଡେଲ ବୋଲି କହିବାକୁ ପଛାଇନାହାନ୍ତି କେସିଆର । ନବୀନଙ୍କ ଭଳି ନେତା ପାଇଁ ସେ ଗର୍ବିତ ବୋଲି କହିଛନ୍ତି କେସିଆର ।

ଏହାଛଡା ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ରଖିିବାକୁ ନବୀନ ଯେଉଁ ଦାବି ଉଠାଇଛନ୍ତି ତାହାକୁ ମଧ୍ୟ ସମର୍ଥନ କରିଛନ୍ତି କେସିଆର । ଏହି ଭେଟଘାଟ ପରେ ୨୦୧୯ ପୂର୍ବରୁ ଫେଡରାଲ ଫ୍ରଣ୍ଟର ଗଠନ ନେଇ ଚର୍ଚ୍ଚା ଜୋର ଧରିଛି । ଏପରିକି ଦେଶରେ ପରିବର୍ତ୍ତନ ଆବଶ୍ୟକ ଓ ବିଜେପି ଓ କଂଗ୍ରେସର ବିକଳ୍ପ ଆବଶ୍ୟକ ବୋଲି କେସିଆର କହିଛନ୍ତି । ଆଉ ଏହି ଚର୍ଚ୍ଚାକୁ ଆଉ ଟିକିଏ ଖୋରାକ ଯୋଗାଇଛି ନବୀନଙ୍କ ବୟାନ । ନବୀନ କହିଛନ୍ତି, ସମଭାବାପନ୍ନ ଦଳ ଗୁଡିକ ସହ ବନ୍ଧୁତା ନେଇ ଆଲୋଚନା ହୋଇଛି । ଆଉ ଏଭଳି କହି ଫେଡରାଲ ଫ୍ରଣ୍ଟ ଗଠନକୁ ଆଉ ଟିକିଏ ଜାଳେଣି ଦେଇଛନ୍ତି ନବୀନ । ସିଧାସଳଖ ଫେଡରାଲ ଫ୍ରଣ୍ଟ ଗଠନ ନେଇ କେହି ମୁହଁ ଖୋଲିନଥିଲେ ମଧ୍ୟ ବିଜେପି ଓ କଂଗ୍ରେସ ବିକଳ୍ପ ଭାବେ ସବୁ ଆଞ୍ଚଳିକ ଦଳ ଏକାଠି ହେବା ଆବଶ୍ୟକ ବୋଲି କହିଛନ୍ତି କେସିଆର ।

ଅନ୍ୟପଟେ କେସିଆରଙ୍କ ଟିଆରଏସକୁ ବିଜେପି ଓ କଂଗ୍ରେସର ବି ଟିମ୍ କୁହାଯାଉଥିବା ପ୍ରଶ୍ନର ଉତ୍ତରରେ କେସିଆର କହିଛନ୍ତି ଏହା ହେଉଛି ଦେଶର ସବୁଠୁ ବଡ ଜୋକ । ଆଉ କଥା ମଝିରେ ନବୀନ କହିଛନ୍ତି ଆମେ କାହାର ବି ଟିମ୍ ନୁହେଁ । ଆମେ ସମସ୍ତେ ହେଉଛୁ ଷ୍ଟେଟ ଟିମ୍ । ଆଉ ଏଭଳି କହି ଫେଡରାଲ ଫ୍ରଣ୍ଟ ଚର୍ଚ୍ଚାକୁ ଉଜ୍ଜୀବୀତ କରିଛନ୍ତି ନବୀନ । ଏହାପୂର୍ବରୁ ହକି ବିଶ୍ୱକପର ଆୟୋଜନ କରି ନବୀନ ବାହାବା ନେଇଥିବା ବେଳେ ଏବେ ୧୮ ବର୍ଷର ଶାସନର ସାର୍ଟିଫିକେଟ ଦେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ମହିଳା ଓ କୃଷକଙ୍କ ପ୍ରସଙ୍ଗରେ ନବୀନ ସରକାରଙ୍କୁ ଢେର ପ୍ରଂଶସା କରିଛନ୍ତି କେସିଆର ।