ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଥର ପାଇଁ ଶପଥ ନେଲେ କେସିଆର ।

76

କନକ ବ୍ୟୁରୋ : ଦ୍ୱିତୀୟ ଥର ପାଇଁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଟିଆରଏସ୍ ମୁଖ୍ୟ କେ. ଚନ୍ଦ୍ରଶେଖର ରାଓ । ଜନମଙ୍ଗଳକାରୀ ଯୋଜନାକୁ ପାଥେୟ କରି ନିର୍ବାଚନ ଲଢ଼ିଥିବା କେସିଆର ବିଧାନସଭା ନିର୍ବାଚନରେ ଦଳ ବହୁମତ ସହ ସରକାର ଗଢ଼ିଛନ୍ତି । ତେବେ ଟିଆରଏସ୍ ମୁଖ୍ୟଙ୍କ ଏହି ବିପୁଳ ଜନ ସମର୍ଥନ ପଛରେ କେଉଁ ସବୁ କାରଣ ପ୍ରମୁଖ ଭୂମିକା ନେଇଥିଲା ।

ଦ୍ୱିତୀୟଥର ଲାଗି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କେ. ଚନ୍ଦ୍ରଶେଖର ରାଓ । ପ୍ରଥମ ବିଧାନସଭାର ଅବଧି ପୁରିବା ଆଗରୁ ଏହାକୁ ଭାଙ୍ଗିଦେଇ ନିର୍ବାଚନକୁ ସାମ୍ନା କରିଥିଲେ ଟିଆରଏସ ମୁଖ୍ୟ । ଅନ୍ୟ ୪ଟି ରାଜ୍ୟସହ ଏକାଠି ନିର୍ବାଚନକୁ ଓହ୍ଲାଇବାର ନିଷ୍ପତ୍ତି ତେଲେଙ୍ଗାନାରେ ଟିଆରଏସକୁ ବଡ ଫାଇଦା ଦେଇଛି । ସ୍ୱତନ୍ତ୍ର ରାଜ୍ୟ ଗଠନ ପରଠାରୁ ଦ୍ୱିତୀୟଥର ଲାଗି ସର୍ବୋଚ୍ଚ ଆସନରେ ବସିଛନ୍ତି କେସିଆର । ତେଲେଙ୍ଗାନାରେ କେସିଆରଙ୍କୁ କ୍ଷମତାଚ୍ୟୁତ କରିବା ଲାଗି ମହା-କୁଟମୀ ବା ମହା ଗଠବନ୍ଧନ କରିଥିଲେ କଂଗ୍ରେସ, ଟିଡିପି, ସିପିଆଇ ଓ ତେଲେଙ୍ଗାନା ଜନ ସମିତି । ହେଲେ ଉଭୟ କଂଗ୍ରେସ ନେତୃତ୍ୱାଧୀନ ମେଂଟ ଓ ବିଜେପିକୁ ଚକମା ଦେଇ ତୁଇ ତୃତୀୟାଂଶ ଆସନରେ ବିଜୟୀ ହୋଇଥିଲା କେସିଆରଙ୍କ ତେଲେଙ୍ଗାନା ରାଷ୍ଟ୍ର ସମିତି ।

ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ସରକାରୀ ଦଳକୁ ଝଟକା ଲାଗିଛି । ସରକାର ବିରୋଧୀ ହାୱା ବିଜେପିକୁ କ୍ଷମତାଚ୍ୟୁତ କରିବା ପଛର ପ୍ରମୁଖ କାରଣ ବୋଲି କୁହାଯାଉଛି । ହେଲେ ତେଲେଙ୍ଗାନାରେ ଜନମତ ଟିଆରସ ସପକ୍ଷରେ ଥିବା ଅନୁଭବ କରି ଅବଧି ପୂର୍ବରୁ ବିଧାନସଭା ଭଙ୍ଗ କରିଦେଇ ନିର୍ବାଚନକୁ ସାମ୍ନା କରିବାର ବାଜି ଖେଳିଥିଲେ କେସିଆର । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ କୃଷି ପ୍ରଧାନ ରାଜ୍ୟ । ହେଲେ ଏସବୁ ରାଜ୍ୟରେ ସରକାରୀ ଦଳ ଚାଷ ଓ ଚାଷୀଙ୍କ ପାଇଁ କିଛି କରିନଥିବାରୁ ଭୋଟର ପ୍ରତ୍ୟାଖ୍ୟାନ କରିଥିବା କୁହାଯାଉଛି । କେନ୍ଦ୍ରରେ ବିଜେପି ସରକାର ମଧ୍ୟ ଶଶ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଓ ସ୍ୱାମୀନାଥନ କମିଟି ସୁପାରିଶକୁ କାର୍ଯ୍ୟକାରୀ କଲେ ନାହିଁ । ଯାହାର ଫଳ ଭୋଗିବାକୁ ପଡିଲା ।

ତେଲେଙ୍ଗାନାରେ କିନ୍ତୁ ଚାଷୀମାନଙ୍କୁ ପ୍ରାଥମିକତା ଦେଉଥିଲେ କେସିଆର । ରାଜ୍ୟର ଚାଷୀଙ୍କୁ ସିଧାସଳଖ ଟଙ୍କା ଯୋଗାଇ ଦେଇ ସେମାନଙ୍କ ସୁଖ, ଦୁଃଖର ସାଥୀ ବନିଥିଲେ । ଦେଶକୁ ଭାତ ଯୋଗାଉଥିବା ଏହି ବଡ ବର୍ଗର ବିଶ୍ୱସ ଜିତି ଭୋଟରେ ପରିଣତ କରିବାକୁ ସମର୍ଥ ହେଲେ ।

ଚାଷୀଙ୍କୁ ପଇସା
– ଚାଷୀଙ୍କୁ ଏମଏସପି ବା ପରୋକ୍ଷ ସବସିଡ ଉପରେ ଭରସା କରୁନଥିଲେ କେସିଆର
– ବରଂ ଚାଷୀଙ୍କୁ ସିଧାସଳଖ ଟଙ୍କା ବାଂଟୁଥିଲେ ଟିଆରଏସ ମୁଖ୍ୟ କେ. ଚନ୍ଦ୍ରଶେଖର ରାଓ
– ଏକର ପିଛା ୪ ହଜାର ଟଙ୍କା ଲେଖାଏଁ ବର୍ଷକୁ ଦୁଇଥର ଦେଉଥିଲେ ତେଲେଙ୍ଗାନା ସରକାର
– ରବି ଋତୁରେ ୪ ହଜାର ଓ ଖରିଫ ଋତୁରେ ୪ ହଜାର ବର୍ଷକୁ ୮ ହଜାର ପାଉଥିଲେ ଚାଷୀ
– ଅର୍ଥାତ ଚାଷୀ ନିକଟରେ ୫ ଏକର ଜମି ଥିଲେ ବର୍ଷକୁ ୪୦ ହଜାର ଟଙ୍କା ସିଧାସଳଖ ପାଉଥିଲେ

ଖାଲି ଚାଷୀଙ୍କୁ ଟଙ୍କା ଦେଉଥିଲେ ତାହାନୁହେଁ, ସାଧାରଣ ଗରିବ ପରିବାରରେ ଝିଅ ବାହାଘର ଏକ ବଡ ସମସ୍ୟା । ଆଉ ଏଥିପାଇଁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇ ବଡ ବାଧା ଦୂର କରିଥିଲେ । ହିନ୍ଦୁଙ୍କ ପାଇଁ କଲ୍ୟାଣ ଲକ୍ଷ୍ମୀ ଓ ମୁସଲମାନଙ୍କ ପାଇଁ ସାଦି ମୁବାରକ ଭଳି ଯୋଜନା ଚଳାଇଥିଲେ ରାଜ୍ୟ ସରକାର । ଏସବୁ ଯୋଜନା ବାଦ ଅନେକ ଲୋକାଭିମୁଖୀ ଯୋଜନା କେସିଆରଙ୍କୁ ଲୋକପ୍ରିୟତାର ଶୀର୍ଷରେ ରଖିଥିଲା । ପ୍ରତ୍ୟେକ ଘରକୁ ସ୍ୱଚ୍ଛ ପିଇବା ପାଣି ଓ ଗରିବଙ୍କ ପାଇଁ ଟୁ ବିଏଚକେ ଆପାର୍ଟମେଂଟ ଭଳି ଘୋଷଣା ଇଭିଏମରେ ପ୍ରତିଫଳିତ ହେଲା ।