ବଢ଼ିଲା ରାଜନୀତିର ପାରଦ ! ନବୀନ ନିବାସରେ ରାତି କାଟିପାରନ୍ତି କେସିଆର୍, ମୋଦିଙ୍କ ଗସ୍ତ ପୂର୍ବରୁ ଭେଟଘାଟକୁ ନେଇ ଚର୍ଚ୍ଚା

267

କନକ ବ୍ୟୁରୋ : ଡିସେମ୍ବର ୨୪ ପାଇଁ ରାଜ୍ୟ ରାଜନୀତି ସରଗରମ । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ଓ ଅନ୍ୟପଟେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ବିଭିନ୍ନ କାର୍ଯ୍ୟକ୍ରମ । ଗୋଟିଏ ଦିନରେ ହିଁ ଓଡ଼ିଶାରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । କିପରି ରହିବ ରାଜନୈତିକ ପାଣିପାଗ ? ରାଜ୍ୟ ରାଜନୀତିରେ ଏହା ଉପରେ ବିତର୍କ ଆରମ୍ଭ ହୋଇଗଲେଣି । କିଏ କେଉଁ ଦିଗରେ ଆଲୋଚନା କରିବ ସେ ଉପରେ ସମସ୍ତଙ୍କ ନଜର ।

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ । ୨୩ତାରିଖ ରବିବାର ସଂଧ୍ୟା ୬ଟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସବୁଠାରୁ ରୋଚକ ହେଉଛି ନବୀନ ନିବାସରେ ରାତ୍ରୀଯାପନ କରିପାରନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ଯାହା ଆହୁରୀ ରାଜନୈତିକ ହଟଚମଟ ସୃଷ୍ଟି କରିଛି । କାରଣ ପୂର୍ବରୁ ନେତାମାନେ କାର୍ଯ୍ୟକ୍ରମରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ନବୀନ ନିବାସରେ ରାତ୍ରୀଯାପନ କରିବାର ନଜିର ନାହିଁ । ଯଦିଓ ଏନେଇ ନବୀନ ନିବାସ କିମ୍ବା ସିଏମଓଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । କିନ୍ତୁ ଏଭଳି ଚର୍ଚ୍ଚା ସାମ୍ନାକୁ ଆସିଛି । ୨୪ ତାରିଖ ଦିନ କେସିଆର ପୁରୀ ଓ କୋଣାର୍କ ପରିଦର୍ଶନ କରିବା ପରେ ଭୁବନେଶ୍ୱର ଫେରିଆସିବେ ଏବଂ ଏଠାରେ ମଧ୍ୟାହ୍ନ ଭୋଜନ କରିବେ । ସେହିଦିନ ସନ୍ଧ୍ୟାରେ ସେ ବିମାନ ଯୋଗେ କୋଲକାତା ଯିବେ ।

Modi_
https://www.livehindustan.com

 

ଅନ୍ୟପଟେ ଆସନ୍ତା ୨୪ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଦିନିକିଆ ଗସ୍ତ କାଳରେ ଜଟଣୀର ଅରଗୁଳସ୍ଥିତ ‘ଆଇଆଇଟି’ର ନୂତନ ପରିସରକୁ ଲୋକାର୍ପଣ କରିବେ। ସେହିପରି ସେ ବ୍ରହ୍ମପୁରସ୍ଥିତ ‘ଆଇଆଇଏସଇଆର’ ପରିସର ପାଇଁ ଶିଳାନ୍ୟାସ କରିବେ। କେନ୍ଦ୍ର ସରକାରଙ୍କ ଦ୍ୱାରା ଐତିହାସିକ ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଉଛି। ଏହି ଅବସରରେ ମୋଦି ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ପାଇକ ବିଦ୍ରୋହର ଇତିହାସକୁ ମନେ ପକାଇ ଡାକ ଟିକେଟ ଓ ମୁଦ୍ରା ଉନ୍ମୋଚନ କରିବେ ।ପ୍ରଧାନମନ୍ତ୍ରୀ ମୋଦି ଖୋର୍ଦ୍ଧାରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଆସନ୍ତାମାସ ୫ ଓ ୧୬ ତାରିଖରେ ପୁଣି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ବାରିପଦା ଓ ଗଂଜାମ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି । ଅର୍ଥାତ୍ ଦୁଇ ମାସରେ ତିନି ତିନି ଥର ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ମୋଦିଙ୍କ ଘନ ଘନ ଓଡିଶା ଗସ୍ତକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି ।

ଉଭୟ ନେତାଙ୍କ ଓଡ଼ିଶା ଗସ୍ତ କ’ଣ ନୂଆ ରଣନୀତି ପ୍ରସ୍ତୁତ କରିବ ସେ ଉପରେ ନଜର । ଜାତୀୟ ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମହାଗଠବନ୍ଧନ ପ୍ରସ୍ତୁତି ଜାରି ରହିଥିବା ବେଳେ କେସିଆରଙ୍କ ଏହି କାର୍ଯ୍ୟକ୍ରମ ରାଜନୈତିକ ମହଲକୁ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି । ଏହାସହ ଗୋଟିଏ ଦିନରେ ମୋଦି ଓ କେସିଆରଙ୍କ କାର୍ଯ୍ୟକ୍ରମ ମଧ୍ୟ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି ।