ପ୍ରଦୀପ ମାଝିଙ୍କ ଗିରଫ ପ୍ରତିବାଦରେ ଆଜି କେବିକେ ବନ୍ଦ : କଂଗ୍ରେସ ପକ୍ଷରୁ ୧୨ ଘଂଟିଆ ବନ୍ଦ ପାଳନ

25

କଳାହାଣ୍ଡି : ପ୍ରଦୀପ ମାଝିଙ୍କ ଗିରଫ ପ୍ରତିବାଦରେ ଆଜି କେବିକେ ବନ୍ଦ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଆଦିବାସୀ ସେଲ ପକ୍ଷରୁ ଏହି ବନ୍ଦ ଡାକରାର ପ୍ରଭାବ ସମସ୍ତ କେବିକେ ଜିଲ୍ଲାରେ ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଳାରେ ସମସ୍ତ ଯାନବାହନ ଚଳାଚଳ ଓ ଦୋକନ ବଜାର ବନ୍ଦ ରହିଛି । କଂଗ୍ରେସ କର୍ମୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଫଳରେ ଯାତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପୁଲିସ ପକ୍ଷରୁ ବିଭିନ୍ନ ଛକ ମାନଙ୍କରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କଂଗ୍ରେସ ଅଭିଯୋଗ କରିଛି ଯେ ୨୦୦୬ ଜଙ୍ଗଲ ଜମି ଅଧିକାର ଆଇନକୁ ରାଜ୍ୟ ସରକାର ଠିକ୍ ଭାବେ କାର୍ଯ୍ୟକାରୀ କରିନାହାନ୍ତି । ରାଜ୍ୟ ସରକାର ୩ ଲକ୍ଷରୁ ଅଧିକ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ବାଂଟିଥିବା ନେଇ ବାଃ ବାଃ ମାରୁଥିବା ବେଳେ ବାସ୍ତବରେ ଏହି ଆଇନକୁ ରାଜ୍ୟ ସରକାର ଠିକ୍ ଭାବରେ କାର୍ଯ୍ୟକାରୀ କରିନାହାନ୍ତି ବୋଲି ଭକ୍ତ ଦାସ କହିଛନ୍ତି । ଆଦିବାସୀଙ୍କ ଅଧିକାର ପାଇଁ ପ୍ରଦୀପ ମାଝି ଲଢ଼େଇ କରୁଥିବା ବେଳେ ରାଜ୍ୟ ସରକାର ଆକ୍ରୋଶମୂଳକ ଭାବେ ଗିରଫ କରିଥିବା ସେ ଅଭିଯୋଗ କରିଛନ୍ତି ।