ପାଣି ବାଂଟିଲେ କୋର୍ଟ ! କାବେରୀ ଜଳ ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, କମିଲା ତାମିଲନାଡୁ ଭାଗ, ବଢିଲା କର୍ଣ୍ଣାଟକର ଜଳ ପରିମାଣ

33

କନକ ବ୍ୟୁରୋ: କାବେରୀ ଜଳ ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ଫଇସଲା । କାବେରୀ ନଦୀର ପାଣି ଭାଗବଂଟା କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏଣିକି ତାମିଲନାଡୁକୁ ୧୭୭ ଦଶମିକ ୨୫ ଟିଏମସି ଫୁଟ ପାଣି ମିଳିବ । ଫଳରେ ତାମିଲନାଡୁକୁ ପୂର୍ବରୁ ମିଳୁଥିବା ପାଣିର ପରିମାଣ କମିଛି । ଏଥିସହ ବେଙ୍ଗଳୁରୁବାସୀଙ୍କ ପିଇବା ପାଣି ଆବଶ୍ୟକତା ବଢିଯାଇଥିବା ଉପଲବ୍ଧି କରି କର୍ଣ୍ଣଟକକୁ ୧୪.୭୫ ଟିଏମସି ଫୁଟ ପାଣି ଅଧିକ ଯୋଗାଇଦେବା ପାଇଁ କହିଛନ୍ତି କୋର୍ଟ । ଫଳରେ କାବେରୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ, ତାମିଲନାଡୁ ପାଇଁ ଧାର୍ଯ୍ୟ କରିଥିବା ଜଳ ପରିମାଣକୁ କୋର୍ଟ କମାଇ ଦେଇଛନ୍ତି । ଟ୍ରିବ୍ୟୁନାଲ ୪୧୯ ଟିଏମସି ଫୁଟ ପାଣି ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତାମିଲନାଡୁକୁ ୪୦୪ ଦଳମିକ ୨୫ ଟିଏମସି ଫୁଟ ପାଣି ମିଳିବ । ସେହିପରି ଟ୍ରିବ୍ୟୁନାଲଙ୍କ ନିଷ୍ପତିକୁ କାଏମ ରଖି ପୁଡୁଚେରୀକୁ ୩୦ ଟିଏମସି ଫୁଟ ଓ କେରଳକୁ ୭ ଟିଏମସି ଫୁଟ ପାଣି ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ କୋର୍ଟଙ୍କ ନିର୍ଦ୍ଦେଶ କର୍ଣ୍ଣାଟକରେ କଂଗ୍ରେସ ସରକାରଙ୍କ ପାଇଁ ବଡ ଆଶ୍ୱସ୍ତି ହୋଇଛି । ଆଗକୁ କର୍ଣ୍ଣଟକରେ ବିଧାନସଭା ନିର୍ବାଚନ ଥିବାବେଳେ ଏହାକୁ ରାଜନୈତିକ ବିଜୟ ବୋଲି ମଧ୍ୟ ବିଚାର କରାଯାଉଛି ।

ସେପଟେ, କାବେରୀ ଜଳ ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ମହାନଦୀ ବିବାଦ ନେଇ ଆଶା ସଂଚାର ହୋଇଛି । କାରଣ ମହାନଦୀକୁ ନେଇ ଓଡିଶା ଓ ଛତିଶଗଡ ମଧ୍ୟରେ ବିବାଦ ରହିଛି । ଉପର ମୁଣ୍ଡରେ ଏକାଧିକ ଡ୍ୟାମ ଓ ବନ୍ଧ ନିର୍ମାଣ କରି ମହାନଦୀ ପାଣିକୁ ରମଣ ସିଂ ସରକାର ଅଟକାଇ ଦେଉଥିବା ଅଭିଯୋଗ କରି ସୁପ୍ରିମକୋର୍ଟ ଯାଇଛନ୍ତି ଓଡିଶା ସରକାର । ଗୋଟିଏ ପଟେ ଦଳ ବିବାଦର ସମାଧାନ ନେଇ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ।

ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଟ୍ରିବ୍ୟୁନାଲ ଗଠନ କରିବାକୁ ରାଜି ହୋଇଛନ୍ତି । ସେପଟେ ନିଜ ହକ ପାଇଁ ନ୍ୟାୟିକ ଲଢେଇ ଜାରି ରଖିଛନ୍ତି ଓଡିଶାରେ ନବୀନ ସରକାର । ତେଣୁ କାବେରୀ ଜଳ ବିବାଦ କରି ଓଡିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ବିବାଦର ସମାଧାନ ସୁପ୍ରିମକୋର୍ଟରେ ହୋଇପାରିବ କି ତାକୁନେଇ ଏକ ବଡ ସମ୍ଭାବନା ଦେଖାଦେଇଛି ।