ଶ୍ରାବଣ ସୋମବାରରେ ଚଳଚଂଚଳ ଶୈବପୀଠ : ଶୈବାଳୟରେ ଶ୍ରାବଣୀ ଲିଙ୍ଗରେ ଜଳାଭିଷେକ କଲେ କାଉଡିଆ

153

କନକ ବ୍ୟୁରୋ : ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଶ୍ରାବଣ ସୋମବାରରେ ଆଠଗଡର ବାବା ଧବଳେଶ୍ୱରଙ୍କ ପୀଠରେ କାଉଡିଆମାନେ ଜଳାଭିଷେକ କରିଛନ୍ତି । ପ୍ରାତଃ ସକାଳ ପୂଜକ ସମାଜ ପକ୍ଷରୁ ମହାଦେବଙ୍କର ସମସ୍ତ ନୀତିକାନ୍ତି କରାଯିବା ପରେ ସର୍ବସାଧାରଣ ଦର୍ଶନ ପାଇଁ ଦ୍ୱାର ଫିଟା ଯାଇଥିଲା । ଏହାପରେ କାଉଡିଆମାନେ ମନ୍ଦିର ବେଢା ଭିତରେ ଥିବା ଶ୍ରାବଣୀ ଲିଙ୍ଗରେ ଜଳ ଲାଗି କରିଥିଲେ । ଶାନ୍ତି ଶୃଙ୍ଖଳାର ସହ ଜଳାଭିଷେକ ଓ ଦର୍ଶନ ପାଇଁ ଦେବତ୍ତୋର ଏବଂ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା ।

 

ଶ୍ରାବଣ ସୋମବାରରେ ଭଦ୍ରକର ବାବା ଆଖଣ୍ଡଳମଣୀଙ୍କ ପୀଠରେ ୨୦ହଜାର କାଉଡ଼ିଆଙ୍କ ଭିଡ ହୋଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ ପାଣି ଭାର ଆଣିି ଆସିଥିବା କାଉଡିଆ ହରହର ମହାଦେବଙ୍କ ଶ୍ରାବଣୀ ଲିଙ୍ଗରେ ଜଳାଭିଷେକ କରିଛନ୍ତି । ପବିତ୍ର ନଦୀର ଜଳ ଆଣି ମହାପ୍ରଭୁଙ୍କୁ ଲାଗି କରିବା ପାଇଁ ଧାଡ଼ିରେ ଛିଡ଼ା ହୋଇଥିଲେ । ଭୋର ୫ଟାରେ ବାବାଙ୍କ ପହଡ଼ ଖୋଲିବା ପରେ ବାବାଙ୍କର ନୀତିଦିନ ନୀତି କରାଯାଇଥିଲା । ଏହା ପରେ ବାବାଙ୍କୁ ବେଶ ଲାଗି କରାଯାଇ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ଦିଆଯାଇଥିଲା । ଏହାପରେ କାଉଡିଆମାନେ ଶ୍ରବଣୀ ମହାଦେବଙ୍କୁ ଜଳ ଲାଗି କରିଥିଲେ । ହଜାର ହଜାର କାଉଡ଼ିଆଙ୍କ ଭିଡ଼କୁ ଦେଖି ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ବାଲେଶ୍ୱରର ନୀଳଗିରି ପଂଚଲିଙ୍ଗେଶ୍ୱର ମନ୍ଦିରରେ ସକାଳୁ ସକାଳୁ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଥିଲା । ଗତକାଲି ରାତିରୁ ପଂଚଲିଙ୍ଗେଶ୍ୱର ପୀଠରେ ପହଂଚିଥିବା କାଉଡିଆମାନେ ଜଳ କଳସି ଧରି ଲମ୍ବା ଲାଇନରେ ଠିଆ ହୋଇଥିଲେ । ଉଭୟ ମହିଳା ଓ ପୁରୁଷ ଭକ୍ତ ଧାଡିରେ ଯାଇ ରାତି ୧୨ଟା ଠାରୁ ବାବାଙ୍କ ଉପରେ ଜଳାଭିଷେକ କରିଛନ୍ତି ।

ବଲାଙ୍ଗିର ଜିଲ୍ଲାର ପବିତ୍ର ହରିଶଙ୍କର ପୀଠରେ ଶ୍ରାବଣ ମାସରେ ବୋଲବମ୍ କାଉଡିଆଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । କାଉଡିଆ ଭକ୍ତ ମାନେ ଗାଧୋଇ ସାରି ରୀତି ଅନୁସାରେ ପୁଜା କରି ନୂତନ ଗେରୁଆ ବସ୍ତ୍ର ପରିଧାନ କରି କାନ୍ଧରେ କାଉଡି ଧରି ମନ୍ଦିରରେ ପହଂଚିଥିଲେ । ଏହାପରେ ହରିଶଙ୍କରଙ୍କ ପୀଠରେ ମହାଦେବଙ୍କ ଲିଙ୍ଗରେ ଜଳଲାଗି କରିଛନ୍ତି ।

ଶ୍ରାବଣ ସୋମବାର ପାଇଁ ଉତ୍ସବ ମୁଖର ସୁବର୍ଣ୍ଣପୁର ସହର । ସହରର ତେଲନଦୀ, ମହାନଦୀ ଓ କର୍ପୁର ନଦୀର ତ୍ରୀବେଣୀ ସଙ୍ଗମରୁ ହଜାର ହଜାର ଶ୍ରଦ୍ଧାଳୁ ପାଣି ନେଇ ଅଷ୍ଟଶମ୍ଭୁଙ୍କ ମନ୍ଦିରରେ ଜଳାଭିଷେକ କରିଛନ୍ତି । କାଉଡିଆମାନେ ଧାଡିିରେ ଯାଇ ବାବା ରାମେଶ୍ୱର, ଚନ୍ଦ୍ରଶେଖର, ସୁବର୍ଣ୍ଣମେରୁ, ଗୋକୁନେଶ୍ୱର, ପଶ୍ଚିମ ସୋମନାଥଙ୍କ ଉପରେ ପାଣି ଢାଳିଛନ୍ତି । ସେହିପରି ତ୍ରୀବେଣୀ ସଙ୍ଗମରୁ କାଉଡିଆମାନେ ପାଣି ନେଇ ଜିଲ୍ଲାର ଚରଦା କପିଳେଶ୍ୱର, ବୈଦନାଥ କୋଶଳେଶ୍ୱର, ଚମ୍ପାମାଳ ଚମ୍ପେଶ୍ୱର ଓ ଗୋଧନେଶ୍ୱର ପ୍ରାଚୀନ ଶୈବପୀଠ ହରହର ମହାଦେବଙ୍କ ଲିଙ୍ଗରେ ଢାଳିଛନ୍ତି ।

ଯାଜପୁରର ବିଭିନ୍ନ ଶୈବପୀଠରେ ପ୍ରଭୁ ଭୋଳାନାଥଙ୍କୁ ଜଳ ଲାଗି ପାଇଁ ବୋଲବମ୍ ଭକ୍ତଙ୍କ ପ୍ରବଳ ଭିଡ ହୋଇଛି । ମହାଦେବଙ୍କ ଠାରେ ଜଳ ଲାଗି କରିବା ପାଇଁ ସକାଳୁ ସକାଳୁ ପାଣି ଭାର ଧରି ମନ୍ଦିରରେ ପହଂଚିଥିଲେ । ଶ୍ରାବଣ ସୋମବାରରେ ଶିବଶଙ୍କରଙ୍କ ଉପରେ ଜଳ ଲାଗି କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବିଶ୍ୱାସ ରହିଛି ।