କାଠଯୋଡି ଷ୍ଟେସନ ରେଳ ଦୁର୍ଘଟଣା ମାମଲା : ଫେରାର ଗାର୍ଡଙ୍କୁ ଭୁବନେଶ୍ୱରରୁ ଗିରଫ କଲା ଜିଆରପି

24

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କଟକ କାଠଯୋଡି ଷ୍ଟେସନରେ ହୋଇଥିବା ରେଳ ଦୁର୍ଘଟଣାରେ ଫେରାର ଥିବା ଗାର୍ଡଙ୍କୁ ଗିରଫ କରିଛି ଜିଆରପି । ଭୁବନେଶ୍ୱର ଇଷ୍ଟକୋଷ୍ଟ ମୁଖ୍ୟାଳୟରୁ ଗାର୍ଡ ଜଳଧର ବେହେରାଙ୍କୁ ଗିରଫ କରାଯାଇଛି । ଦୁର୍ଘଟଣା ପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସେପଟେ ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

କଟକ ରେଳ ଷ୍ଟେସନ ସ୍ଥିତ ରେଳବାଇ ଗେଷ୍ଟ ହାଉସରେ ତଦନ୍ତ କମିଶନ ବସିଛି । ସୋମବାର ୧୨ ଜଣ ହାଜର ହୋଇ କମିଶନଙ୍କ ନିକଟରେ ବୟାନ ରଖିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଖୋର୍ଦ୍ଧା ରେଳ ସିଗନାଲ ବିଭାଗର ଦୁଇ ଅଧିକାରୀ, ବାରଙ୍ଗ, ବାଲିକୁଦା ,ଏବଂ କାଠଯୋଡି ରେଳ ଷ୍ଟେସନର କିଛି କର୍ମଚାରୀ ।

ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ସେଦିନ ଷ୍ଟେସନରେ ଭୁଲ ସିଗନାଲ ନୁହେଁ ବରଂ ଗାଡି ର ବେଗ ଅଧିକ ଥିବା କାରଣରୁ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ଫେରାର ଟ୍ରେନ ଚାଳକ, ସହ ଚାଳକ, ଏବଂ ଗାର୍ଡ ହାଜର ହୋଇ ନଥିଲେ । ତଦନ୍ତ କମିଶନ ସୁରେନ୍ଦ୍ର ନାୟକ ତଦନ୍ତ ଆରମ୍ଭରୁ ଘଟଣାର ନିର୍ଦ୍ଦିଷ୍ଟ କାରଣ ପ୍ରକାଶ କରିବାକୁ ଉଚିତ୍ ମନେ କରିନାହଁନ୍ତି ।

କିନ୍ତୁ ସେ କହିଛନ୍ତି ଫେରାର ତିନି ଜଣ ହେଉଛନ୍ତି ଘଟଣାର ମୁଖ୍ୟ ସାକ୍ଷୀ । ତେଣୁ ସେମାନେ ହାଜର ହୋଇ ବୟାନ ରଖିଲେ ବହୁ କିଛି ତଥ୍ୟ ମିଳିପାରିବ । ଆସନ୍ତା ୧ ମାସ ମଧ୍ୟରେ ଚୂଡାନ୍ତ ରିପୋର୍ଟ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।