କାଳିଆ ପାଖରେ ପୁଣି ଲାଗିହେବ କସ୍ତୁରୀ !

165

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଏବେ ଦେଖାଦେଇଛି ଦୁର୍ମୁଲ୍ୟ କସ୍ତୁରୀର ଅଭାବ । ଶ୍ରଜୀଉଙ୍କ ଅଙ୍ଗରେ ଲାଗି ହେଉଥିବା ଏହି କସ୍ତୁରୀ ଆସିଥାଏ ନେପାଳରୁ । କିନ୍ତୁ ପ୍ରାୟ ୧୫ ବର୍ଷ ହେଲା ଏହା ଆଉ କାଠମାଣ୍ଡୁରୁ ଆସିନାହିଁ । କିନ୍ତୁ ଆଜି ନେପାଳ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ବେଳେ ପୁଣି ଦେଖାଦେଇଛି ସମ୍ଭାବନା । କସ୍ତୁରୀ ମିଳିବା ନେଇ ଆଜି ପ୍ରତିଶ୍ରୁତି ଦେଇଛନ୍ତି ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ।

୨୦୦୨ରେ ଶେଷଥର ଲାଗି ଶ୍ରୀମନ୍ଦିରକୁ ଆସିଥିଲା କସ୍ତୁରୀ , ଯାହା ଏବେ ସରିବାକୁ ବସିଲାଣି । ଆଉ କସ୍ତୁରୀ ସରିଯିବାରୁ ଚିନ୍ତାରେ ଅଛି ଶ୍ରୀମନ୍ଦିର ପ୍ରଶାସନ । କିନ୍ତୁ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ରକ୍ଷା ଲାଗି ନେପାଳ ରାଷ୍ଟ୍ରପତ ଶ୍ରୀମନ୍ଦିରକୁ କସ୍ତୁରୀ ଦେବାକୁ ଆଶ୍ୱସନା ଦେଇଛନ୍ତି ।

ତେବେ ଜାଣନ୍ତୁ କଣ ଏହି କସ୍ତୁରୀ । କସ୍ତୁରୀ ହେଉଛି ଏକ ଦୁର୍ଲଭ ଦ୍ରବ୍ୟ । ଏକ ନିର୍ଦ୍ଦିଷ୍ଟ କୃଷ୍ଣସାର ମୃଗର ନାଭିରୁ ଆସିଥାଏ ଏହି କସ୍ତୁରୀ । ଅଣସର ସମୟରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ଫିଟା ଲାଗି ଏହି କସ୍ତୁରୀକୁ ବ୍ୟବହାର କରିଥାନ୍ତି ଦଇତାପତି । ଏହାଛଡା ନବକଳେବର ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଥାଏ ଦୁର୍ଲଭ କସ୍ତୁରୀ । ୨୦୦୮ରେ ନେପାଳରୁ ରାଜତନ୍ତ୍ର ହଟିବା ପରେ ନେପାଳରେ କସ୍ତୁରୀ ଉତ୍ପାଦନ ପ୍ରଭାବିତ ହୋଇଥିଲା । ଆଉ କସ୍ତୁରୀ କମିବା ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଭକ୍ତମାନେ ଦେଉଥବା କସ୍ତୁରୀ ଶ୍ରୀମନ୍ଦିରକୁ ଆସୁଛି ,କିନ୍ତୁ ଏହା ନେପାଳର କସ୍ତୁରୀ ଭଳି ଉଚମାନର ହେଉନାହିଁ ।

ନେପାଳ ରଷ୍ଟ୍ରପତିଙ୍କ ଆଶ୍ୱାସନା ଓ ସେବାୟତଙ୍କ ସହ ଆଲୋଚନା ପରେ ନେପାଳ ରାଷ୍ଟ୍ରଦୂତ ଶ୍ରୀମନ୍ଦିରକୁ କସ୍ତୁରୀ ଦେବାକୁ ହଁ ଭରିଛନ୍ତି । ଶ୍ରୀମନ୍ଦିରର ସଂସ୍କୃତି ଓ ପରମ୍ପରା ସହ ଅଙ୍ଗାଙ୍ଗ ଭାବେ ଯୋଡି ହୋଇଛି କସ୍ତୁରୀ । ତେଣୁ ନେପାଳ ସରକାରଙ୍କ ପ୍ରତିଶ୍ରୃତି ପରେ କସ୍ତୁରୀ ସମସ୍ୟା ଦୂର ହେବା ଆଶା କରାଯାଉଛି ।