ପଛୁଆ ଜିଲ୍ଲାର ଆଗୁଆ ପିଲା ! ସବୁଠାରୁ ଗରିବ ଅଂଚଳ କାଶୀପୁରର ସୁନନ୍ଦ ଝୋଡିଆ ସିଭିଲ୍ ସର୍ଭିସରେ ପାଇଲେ ସଫଳତା

146

କନକ ବ୍ୟୁରୋ : ପଛୁଆ ଅଂଚଳର ଆଗୁଆ ପୁଅ । ରାୟଗଡ଼ା ଜିଲ୍ଲାର ଯେଉଁ କାଶିପୁର ଅନାହାର, ଗରିବି ନେଇ ପରିଚିତ ହେଉଥିଲା, ସେହି ଆଦିବାସୀ ଅଂଚଳର ପୁଅ ଆଜି ସଫଳତାର ଶୀର୍ଷରେ ପହଁଚିଛନ୍ତି । ବିନା କୋଚିଂରେ ସିଭିଲ୍ ସର୍ଭିସ ପରୀକ୍ଷାରେ ସଫଳ ହୋଇଛନ୍ତି । ୟୁପିଏସସି ଦ୍ୱାରା ପରିଚାଳିତ ସର୍ବଭାରତୀୟ ପରୀକ୍ଷାରେ ୧୦୪୬ତମ ରାଙ୍କ୍ ପାଇଛନ୍ତି କାଶୀପୁରର ସୁନନ୍ଦ ଝୋଡିଆ ।

ସୁନନ୍ଦଙ୍କ ଘର କାଶିପୁର ଗୋରଖପୁର ପଂଚାୟତରେ । ପିଲାଦିନୁ ବାପାଙ୍କୁ ହରାଇଥିଲେ, ପରିବାର ଚଳାଇବା ଲାଗି ମାଆଙ୍କୁ ମୂଲ ମଜୁରୀ ଲାଗିବାକୁ ପଡୁଥିଲା । ହେଲେ ଆର୍ଥିକ ଅନାଟନ ଅଟକାଇ ପାରିନଥିଲା ସୁନନ୍ଦଙ୍କୁ । ଗାଁ ସ୍କୁଲରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ପଢିବା ପରେ କୋରାପୁଟ ନବୋଦୟ ବିଦ୍ୟାଳୟରୁ ପ୍ଲସ ଟୁ ଶେଷ କରିଥିଲେ । ଆର୍ଥିକ ଅବସ୍ଥା ଏପରି ଶୋଚନୀୟ ଥିଲା ଉଚ୍ଚ ଶିକ୍ଷା ପାଇଁ ବାଟ ବନ୍ଦ ହୋଇ ଯାଇଥିଲା । ହେଲେ ସହାୟତାରେ ହାତ ଲମ୍ବି ଆସିଥିଲା ସୁନନ୍ଦଙ୍କ ପାଇଁ । ବିଟେକ୍ କରିବା ପରେ ଅଫିସର ହେବାକୁ ସ୍ୱପ୍ନ ଦେଖିଥିଲେ । ତାଙ୍କର ଏହି ସଫଳ ଅଭିଯାନ ପଛରେ ମାଆଙ୍କୁ ଶ୍ରେୟ ଦେଇଛନ୍ତି ସୁନନ୍ଦ ।

ସେହିପରି ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ନବମ ସ୍ଥାନରେ ଅଛନ୍ତି ଓଡିଆ ପୁଅ ସୁମନ ସୌରଭ ମହାନ୍ତି । ୯୧ ସ୍ଥାନରେ ଅଛନ୍ତି ଅଭିଶ୍ୟାନ୍ତ ପଣ୍ଡା । ଅଭିଶାନ୍ତ କହିଛନ୍ତି ଦୃଢ ମନବଳ ଓ ଭଲ ପ୍ରସ୍ତୁତି ଥିଲେ ନିଶ୍ଚିତ ମିଳିବ ସଫଳତା ।

ଏବେ ସୁନନ୍ଦ ଓ ଅଭିଶ୍ୟାନ୍ତଙ୍କ ଇଚ୍ଛା ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିବା ଓଡ଼ିଆ ପିଲାଙ୍କୁ ସହାୟତା ଯୋଗାଇ ଦେବା ।