ଜାମ୍ମୁକାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଲେ ବୁରହାନ ଗ୍ୟାଙ୍ଗର ଟପ କମାଣ୍ଡରଙ୍କ ସହ ୫ ଆତଙ୍କବାଦୀ ! ୩୬ ଘଣ୍ଟା ତଳେ ଅଧ୍ୟାପନା ଛାଡି ଆତଙ୍କୀ ପାଲଟିଥିଲା ମହମ୍ମଦ ରଫି ଭଟ୍ଟ ।

24

କନକ ନ୍ୟୁଜ : ଭାରତୀୟ ଯବାନମାନେ ବୁରହାନ୍ ବାନୀ ଗ୍ୟାଙ୍ଗକୁ ମୁଳପୋଛ କରିବାରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି । ଅଧ୍ୟାପକରୁ ଆତଙ୍କବାଦୀ ବନିଥିବା କାଶ୍ମୀର ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ଭାରତୀୟ ସେନାର ଏନକାଉଣ୍ଟରରେ ଟଳି ପଡିଛନ୍ତି । ମାତ୍ର ୩୬ ଘଣ୍ଟା ତଳେ ହିଜବୁଲ ମୁଜାହିଦ୍ଦିନରେ ଯୋଗ ଦେଇଥିଲେ ଏହି ପ୍ରଫେସର ମହମ୍ମଦ ରଫି ଭଟ୍ଟ । ଗତ ଶୁକ୍ରବାର ଅପରାହ୍ନରେ ହଠାତ ଗାଏବ ହୋଇଯିବା ପରେ ସେ ଆତଙ୍କବାଦୀ ହୋଇଯାଇଥିବା ନେଇ ଜଣାପଡିଥିଲା ।

ମହମ୍ମଦ ରଫି ଭଟ୍ଟ ହେଉଛନ୍ତି କାଶ୍ମୀର ବିଶ୍ୱବିଦ୍ୟାଳୟର ସୋସିଓଲୋଜି ବିଭାଗର ପ୍ରଫେସର । ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ ପାଇଁ ଉପଦେଶ ଦେଉଥିବା ଏହି ପ୍ରଫେସର ବୋଧହୁଏ ବିଶ୍ୱର ସବୁଠାରୁ କମ ଦିନର ଆତଙ୍କବାଦୀ । ଗତ ଶୁକ୍ରବାର ପ୍ରାୟ ସାଢେ ୩ଟାରେ ହଠାତ ଗାଏବ ହୋଇଯାଇଥିବା ଏହି ପ୍ରଫେସର ହିଜବୁଲ ମୁଜାହିଦ୍ଦିନ ଗ୍ୟାଙ୍ଗରେ ଯୋଗଦେବାର ମାତ୍ର ୩୬ ଘଣ୍ଟା ଭିତରେ ଭାରତୀୟ ସେନା ହାବୁଡରେ ପଡିଥିଲା । ଆଉ ଆତଙ୍କବାଦୀ ବନିବାର ନିଶା ସବୁଦିନ ପାଇଁ ଓହ୍ଲାଇଗଲା ।

 

ସୋପିଆରେ ଯବାନଙ୍କ ଅପରସେନରେ ହିଜବୁଲର ଟପ କମାଣ୍ଡର ସଦ୍ଦାମ ପାଦେରଙ୍କ ସମେତ ୫ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନିହତ ହୋଇଛନ୍ତି । ବିଲାଲ ମୌଲବୀ, ଆଦିଲ ମଲ୍ଲିକ ଓ ତବସିଫ ସେଫ ମଧ୍ୟ ଅପରେସନରେ ପ୍ରାଣ ହରାଇଛନ୍ତି । ସବୁଠାରୁ ବଡ କଥା ହେଲା ପାଦେରର ମୃତ୍ୟୁ ପରେ ଘାଟିରେ ବୁରହାନ ଗ୍ୟାଙ୍ଗର ଖେଳ ଏକପ୍ରକାର ଖତମ ହୋଇଛି ।

ସୋପିଆ ଅପରେସନରେ ସୁରକ୍ଷାବାହିନୀ ଓ ଆତଙ୍କୀଙ୍କ ଗୁଳିମାଡରେ ଜଣେ ସାଧାରଣ ନାଗରିକଙ୍କ ଜୀବନ ବି ବଳି ପଡିଛି । ଏଥିସହ ୨ ସୁରକ୍ଷାବାହିନୀ ମଧ୍ୟ ଆହତ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ଦକ୍ଷିଣ କାଶ୍ମୀରରେ ମୋବାଇଲ ସେବାକୁ ଠପ୍ କରିଦିଆଯାଇଛି ।