କାଶ୍ମୀରରେ ହ୍ୱାର୍ଟସ ଆପରୁ ହିଂସା ! ପଥର ଫିଙ୍ଗାଳିଙ୍କୁ ଏକାଠି କରିବାକୁ କାମ କରୁଥିଲା ୩୦୦ ହ୍ୱାର୍ଟସ ଆଫ ଗ୍ରୁପ

24

କନକ ବ୍ୟୁରୋ : କାଶ୍ମୀରରେ ପଥର ଫିଙ୍ଗାଳିଙ୍କୁ ଏକତ୍ରିତ କରିବା ପାଇଁ ବ୍ୟବହାର କରାଯାଉଛି ହ୍ୱାଟ୍ସ ଆପ୍ । ପ୍ରାୟ ୩ଶହ ହ୍ୱାଟ୍ସ ଆପ୍ ଗ୍ରୁପ ଜରିଆରେ ପଥର ଫିଙ୍ଗାଳିକୁ ଏକାଠି କରାଯାଉଥିଲା । ତେବେ ପୁଲିସ ଏହି ଗ୍ରୁପ ଗୁଡିକୁ ଏବେ ନିଜ ଆୟତକୁ ନେଇଥିବା ଦାବି କରିଛି । ଗତ ତିନି ସପ୍ତାହ ମଧ୍ୟରେ ଏହି ୩ଶହରୁ ପ୍ରାୟ ୯୦ପ୍ରତିଶତ ଗ୍ରୁପକୁ ବନ୍ଦ କରି ଦିଆଯାଇଥିବା ସୂଚନା ମିଳିଛି ।

ପଥର ଫିଙ୍ଗାଳିକୁ ଏକତ୍ରିତ କରାଯାଇ ସୁରକ୍ଷା କର୍ମୀଙ୍କ କାର୍ଯ୍ୟରେ ବାଧା ଦେବାରେ ବ୍ୟବହାର କରାଯାଉଥିଲା । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏହି ଗ୍ରୁପ ଗୁଡିକର ଆଡମିନଙ୍କୁ ଚିହ୍ନଟ କରାଯାଇ ତାଙ୍କୁ କାଉନସେଲିଂ କରୁଛି ପୁଲିସ । ତେବେ ପୁଲିସର ଏପରି ପଦକ୍ଷେପକୁ ଭଲ ପ୍ରତିକ୍ରିୟା ମିଳିଥିବା ଜଣାପଡିଛି । ଏପରିକି ହିଂସା ସମୟରେ ଇଂଟରନେଟ ସେବା ବନ୍ଦ କରିଦେବା ଯୋଗୁଁ ଅଧିକରୁ ଅଧିକ ଯୁବକ ଏକତ୍ରିତ ହୋଇପାରୁନାହାନ୍ତି ।

ଫଳରେ ହିଂସା କମିବାରେ ଲାଗିଛି । ଏପରିକି ଗତକାଲି ବଡଗାମରେ ହୋଇଥିବା ଏନକାଉଂଟରରେ ୨ଜଣ ଆତଙ୍କୀ ନିହତ ହେବା ପରେ ପଥର ଫିଙ୍ଗିବା ପାଇଁ ଖୁବ୍ କମ ଯୁବକ ଏକତ୍ରିତ ହୋଇଥିଲେ । ମାର୍ଚ୍ଚ ୨୮ରେ ଡୁରବୁଗ ଅଂଚଳରେ ଯେତେବେଳେ ଏନକାଉଂଟର କରାଯାଇଥିଲା ସେହି ସମୟରେ ଶତାଧିକ ପଥର ଫିଙ୍ଗାଳି ଏକତ୍ରିତ ହୋଇଥିଲେ । କାଶ୍ମୀରରେ ହିଂସାକୁ କାବୁ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କୁ ସାକ୍ଷାତ କରି ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ।