ମରିନା ବିଚରେ କରୁଣାନିଧିଙ୍କ ସମାଧିସ୍ଥଳ ନେଇ ବିବାଦ ! ଜାଗା ଦେବାପାଇଁ ତାମିଲନାଡୁ ସରକାର ଅରାଜି,ମାଡ୍ରାସ ହାଇକୋର୍ଟରେ ଶୁଣାଣି ।

43

କନକ ବ୍ୟୁରୋ : ଚେନ୍ନାଇର ମରିନା ବିଚରେ ପରଲୋକଗତ ଡିଏମକେ ମୁଖ୍ୟଙ୍କ ସମାଧି ହେବ ନା ନାହିଁ, ଏ ନେଇ ମାଡ୍ରାସ ହାଇକୋର୍ଟ ଆଉ କିଛି ସମୟ ପରେ ନିଷ୍ପତି ନେବେ । ଏ ବାବଦରେ ହାଇକୋର୍ଟରେ ଶୁଣାଣି ଜାରି ରହିଛି । କରୁଣାଙ୍କ ମୃତ୍ୟୁ ପରେ ମରିନା ବିଚରେ ଡିଏମକେ ସମାଧିସ୍ଥଳ କରିବାକୁ ଚାହୁଁଛନ୍ତି କିନ୍ତୁ ତାମିଲନାଡୁ ସରକାର ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି । ଏହା ପରେ ମାମଲା ମାଡ୍ରାସ ହାଇକୋର୍ଟରେ ଯାଇ ପହଂଚିଛି । ତାମିଲନାଡୁ ସରକାର ଅନ୍ୟ ସ୍ଥାନରେ ସମାଧି ପାଇଁ ଜାଗା ଦେବାକୁ ରାଜି ଅଛନ୍ତି, କିନ୍ତୁ ଡିଏମକେ ମରିନା ବିଚରେ ସମାଧି କରିବାକୁ ଚାହୁଁଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଶେଷ ସଂସ୍କାର ଓ ସମାଧି ମରିନା ବିଚରେ ହୋଇଥିବାରୁ କରୁଣାନିଧିଙ୍କର କାହିଁକି ହେବନି ବୋଲି ଅଡି ବସିଛି ଡିଏମକେ । ଏପଟେ ରାଜ୍ୟ ସରକାର ଯୁକ୍ତି ବାଢୁଛନ୍ତି ଡିଏମକେ ଯେଉଁ ସ୍ଥାନରେ ସମାଧି କରିବା ପାଇଁ ଚାହୁଁଛି ତାହା ବିବାଦୀୟ ସ୍ଥଳ । ତେଣୁ ଗାନ୍ଧି ମଣ୍ଡପମ୍ ସ୍ଥାନରେ ୨ ଏକର ଜାଗାରେ କରୁଣାନିଧିଙ୍କ ସମାଧି କରାଯାଉ । ଆଉ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଗତକାଲି ଡିଏମକେ ମୁଖ୍ୟ ଏମ.କରୁଣାନିଧିଙ୍କ ୯୪ ବର୍ଷ ବୟସରେ ପରଲୋକ ହୋଇଥିଲା ।

ସମୁଦ୍ର କୂଳର ୨ ଶହ ମିଟର ଯାଏଁ କୌଣସି ନିର୍ମାଣ ହୋଇପାରିବ ନାହିଁ ବୋଲି ଆଇନ ରହିଛି । ୧୯୯୯ର ଉପକୂଳ ରେଗୁଲେଟେରୀ ଜୋନ ଆଇନକୁ ୨୦୧୧ରେ ସଂଶୋଧନ କରାଯାଇ ଏ ସମ୍ପର୍କରେ ନୂଆ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଏହି ଅନୁସାରେ ମରିନା ବିଚରେ ୨୦୦ ମିଟର ମଧ୍ୟରେ କୌଣସି ସମାଧୀସ୍ଥଳ ବା ନିର୍ମାଣ ହୋଇପାରିବ ନାହିଁ । ହେଲେ ବର୍ତମାନ ସେଠାରେ ଆଇନକୁ ଉଲ୍ଲଙ୍ଘନ କରାଯାଇ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସମାଧି କରାଯାଇଛି । ଏହାକୁ ଡିଏମକେ ଇସ୍୍ୟୁ କରି କରୁଣାନିଧିଙ୍କ ସମାଧି ମଧ୍ୟ କରିବାକୁ ଚାହୁଁଛି । ଏପଟେ ମରିନା ବିଚରେ ଅବୈଧ ନିର୍ମାଣକୁ ହଟାଇବା ପାଇଁ ମାଡ୍ରାସ ହାଇକୋର୍ଟରେ ଏକାଧିକ ମାମଲା ଚାଲିଛି ଓ ଏହାର ଶୁଣାଣି ମଧ୍ୟ ହାଇକୋର୍ଟ କରୁଛନ୍ତି । ତେଣୁ ଆଇନଗତ ଦୃଷ୍ଟିରୁ ତାମିଲନାଡୁ ସରକାର ମରିନା ବିଚରେ କରୁଣାନିଧିଙ୍କ ସମାଧିସ୍ଥଳ ପାଇଁ ରାଜି ହେଉନାହାନ୍ତି ।