ସିନେମା ସଂଳାପ ଲେଖକରୁ ରାଜନୀତିରେ ପାଦ ରଖିଥିଲେ କରୁଣାନିଧି : ପାଂଚ ପାଂଚ ଥର ହୋଇଥିଲେ ତାମିଲନାଡୁର ମୁଖ୍ୟମନ୍ତ୍ରୀ

42

କନକ ବ୍ୟୁରୋ : ପରପାରିରେ ଦକ୍ଷିଣ ରାଜନୀତିର ଭିଷ୍ମ ପିତାମହ । ୯୪ବର୍ଷରେ ତାମିଲନାଡୁ ପୂର୍ବ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମ କରୁଣାନିଧିଙ୍କ ଦେହାନ୍ତ ହୋଇଛି । ଏହାପରେ ସାରା ରାଜ୍ୟରେ ଶୋକର ବାତାବରଣ ଦେଖାଦେଇଛି । ଚେନ୍ନାଇର କାବେରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ କରୁଣାନିଧି । ମଲଟି ଅର୍ଗାନ ଫେଲ୍ୟୁର ଯୋଗୁଁ କରୁଣାନିଧିଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ସେପଟେ କରୁଣାନିଧିଙ୍କ ପରଲୋକ ପରେ କାବେରୀ ହସପିଟାଲ ସମ୍ନାରେ ପ୍ରଶସଂକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ହସପିଟାଲର ସୂଚନା ଅନୁଯାୟୀ ସଂଧ୍ୟା ୬ଟା ୧୦ ମିନିଟରେ କରୁଣାନିଧିଙ୍କ ପରଲୋକ ହୋଇଛି । ପୂର୍ବରୁ ତାମିଲନାଡୁର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମ୍ କରୁଣାନିଧିଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଅନେକ ନେତା ମନ୍ତ୍ରୀ ହସପିଟାଲକୁ ଯାଇ ଭେଟିଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗୁଡୁଥିବା ଖବର ପ୍ରଚାର ହେବା ପରଠାରୁ ହସପିଟାଲ ସାମ୍ନାରେ ହଜାର ହଜାର ସମର୍ଥକଙ୍କ ଭିଡ ଜମିଥିଲା । କରୁଣାନିଧିଙ୍କ ପତ୍ନୀ ଦୟାଲୁ ଆମ୍ମାଲ ପ୍ରଥମ ଥର ପାଇଁ ଆଜି ହସ୍ପିଟାଲକୁ ଆସି କରୁଣାନିଧିଙ୍କୁ ଭେଟିଥିଲେ । ପୁଅ ଏମ.କେ. ତାମିଲାରାସୁ ତାଙ୍କୁ ହ୍ୱିଲଚେୟାରରେ ହସ୍ପିଟାଲ ଆଣିଥିଲେ । ଅନ୍ୟ ପରିବାର ସଦସ୍ୟ ଏବଂ ଦଳର ବରିଷ୍ଠ ନେତାମାନେ ମଧ୍ୟ ହସ୍ପିଟାଲରେ ଉପସ୍ଥିତ ଅଛନ୍ତି ।

ରାଜନୀତିର ଶିଖର ଛୁଇଁଥିବା କରୁଣାନିଧି ତାମିଲ ସାହିତ୍ୟରେ ନିଜ ଉଲ୍ଲେଖନୀୟ ଯୋଗଦାନ ପାଇଁ ଖୁବ୍ ପ୍ରସିଦ୍ଧ ଥିଲେ । କବିତା, ସଂଲାପ, ଉପନ୍ୟାସ, ଐତିହାସିକ ଉପନ୍ୟାସ, ମଂଚ ନାଟକ ଓ ଗୀତ ଲେଖିବାରେ ମାହିର ଥିଲେ କରୁଣାନିଧି । ତାମିଲ ଭାଷାରେ ଅନେକ ଲୋକପ୍ରିୟ ପୁସ୍ତକର ରଚୟିତା ଥିଲେ ଏମ କରୁଣାନିଧି । ଏହା ବ୍ୟତୀତ କଳା ପ୍ରତି ମଧ୍ୟ ଥିଲା ତାଙ୍କର ଅହେତୁକ ଦୁର୍ବଳତା । ଖବର କାଗଜ ସମ୍ପାଦକ ଓ ପ୍ରଶାସକ ଭାବେ ମଧ୍ୟ କରୁଣାନିଧି ଥିଲେ ବିଶେଷ ଲୋକପ୍ରିୟ । ଭାଷା ଆଧାରରେ ତାମିଲନାଡୁକୁ ଗୁରୁତ୍ୱ ଦେବା ତାଙ୍କୁ ଘରେ ଘରେ ଲୋକପ୍ରିୟତା ଆଣି ଦେଇଥିଲା ।

ତାମିଲ ରାଜନୀତିର ଦୁଇ ମହାନ ତାରକା ଜୟଲଳିତା ଓ କରୁଣାନିଧି । ଉଭୟଙ୍କ ମଧ୍ୟରେ ଅନେକ ପ୍ରସଙ୍ଗକୁ ନେଇ ମତଭେଦ ଦେଖିବାକୁ ମିଳିଥିଲା । ଜୟଲଳିତା ଥିଲେ କଳାକାର । କରୁଣାନିଧି ଥିଲେ ଜଣେ କବି । ଲୋକପ୍ରିୟତା ଦୃଷ୍ଟିରୁ କେହି କାହାରିକୁ କମ୍ ନଥିଲେ । ଭଲ ବକ୍ତା ଭାବେ ମଧ୍ୟ କରୁଣାନିଧିଙ୍କ ରହିଥିଲା ସ୍ୱତନ୍ତ୍ର ପରିଚୟ । କୁହାଯାଏ ଅତିତରେ କରୁଣାନିଧିଙ୍କ କବିତା ଶୁଣିବାକୁ ଜୟଲଳିତା ମଧ୍ୟ ଅପେକ୍ଷା କରୁଥିଲେ । ତାମିଲ ରାଜନୀତି ସହ ଜଡିତ ଲୋକ ଖୁବ ଭଲ ଭାବରେ ଜାଣନ୍ତି ଯେ, ରାଜନୀତିକୁ ନେଇ ଉଭୟେ କିପରି ଶତ୍ରୁତା ରହିଥିଲା ।

କରୁଣାନିଧିଙ୍କ ଜନ୍ମ ୧୯୨୪ ଜୁନ୍ ୩ ତାରିଖରେ ବ୍ରିଟିଶ ଶାସନାଧିନ ଭାରତର ନାଗାପଟ୍ଟନମ ତିରୁକ୍କୁଭଲଇରେ ହୋଇଥିଲା । ଇସାଇ ବିଲ୍ଲାଲୋର ସମ୍ପ୍ରଦାୟରେ ତାଙ୍କ ଜନ୍ମ ହୋଇଥିଲା । ୧୪ବର୍ଷ ବୟସରେ ସେ ରାଜନୀତିରେ ପାଦ ଦେଇଥିଲେ । ତେବେ ପୂର୍ବରୁ ଫିଲ୍ମରେ ସଂଲାପ ଲେଖି ଚର୍ଚ୍ଚାକୁ ଆସିଥିଲେ କରୁଣାନିଧି । ରାଜନୀତିକୁ ଆସିବା ପରେ ମନ୍ନାୱର ନେସନ ନାମକ ଏକ ହାତଲେଖା ଖବର କାଗଜ ସେ ପ୍ରକାଶିତ କରିଥିଲେ । ଏହାପରେ ତାମିଲ ମନ୍ନାୱର ମନ୍ଦ୍ରମ ନାମକ ଛାତ୍ର ସଂଗଠନ ସ୍ଥାପନ କରି ଦ୍ରାବିଡ ଆନ୍ଦୋଳନର ମୁଳଦୁଆ ପକାଇଥିଲେ । କିଛି ଦିନ ପରେ ଡିଏମକେ ଦଳର ଆନୁଷ୍ଠାନିକ ମୁଖପାତ୍ର ଭାବେ ମନ୍ନାୱର ନେସନ ମୁରାସୋଲି ନାଁରେ ସାମ୍ନାକୁ ଆସିଥିଲା । ହିନ୍ଦୀ ବିରୋଧୀ ଆନ୍ଦୋଳନକୁ ତେଜିବାରେ କରୁଣାନିଧି ପ୍ରଚ୍ଛନ୍ନ ଭୂମିକା ଗ୍ରହଣ କରିଥିଲେ । ୧୯୫୭ମସିହାରେ ତାମିଲନାଡୁ ବିଧାନସଭା ପାଇଁ ସେ ପ୍ରଥମ ଥର ପାଇଁ ନିବାର୍ଚିତ ହୋଇଥିଲେ । ୧୯୬୧ ମସିହାରେ ଡିଏମକେର କୋଷାଧ୍ୟକ୍ଷ ଭାବେ ତାଙ୍କୁ ଚୟନ କରାଯାଇଥିଲା । ୧୯୬୬ମସିହାରେ ଡିଏମକେ କ୍ଷମତାକୁ ଆସିବା ପରେ ସେ ମନ୍ତ୍ରୀ ପଦ ପାଇଥିଲେ । ୧୯୬୯ରେ କରୁଣାନିଧିଙ୍କୁ ମିଳିଥିଲା ତାମିଲନାଡୁର ମୁଖ୍ୟମନ୍ତ୍ରୀ ପଦ । ଏହାପରେ ୧୯୭୧, ୧୯୮୯, ୧୯୯୬ ଓ ୨୦୦୬ରେ କରୁଣାନିଧି ତାମିଲନାଡୁର ମୁଖ୍ୟମନ୍ତ୍ରୀ ପଦ ପାଇଥିଲେ । ତାଙ୍କ ଜୀବନ କାଳରେ ସେ ଯେତିକି ଥର ନିର୍ବାଚନ ଲଢିଛନ୍ତି ସେ ସବୁବେଳେ ବିଜୟୀ ହିଁ ରହିଛନ୍ତି । ସେ ଗୋଟିଏ ହେଲେ ନିର୍ବାଚନରେ ହାରିନଥିଲେ ।