ମରିନା ବିଚରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ବିଦାୟ ନେଲେ ଦ୍ରାବିଡ ଯୋଦ୍ଧା : ରାଜନୈତିକ ଗୁରୁ ଆନ୍ନାଦୁରାଇଙ୍କ ସମାଧି ନିକଟରେ ଦିଆଗଲା କରୁଣାନିଧିଙ୍କ ସମାଧି

32

କନକ ବ୍ୟୁରୋ : ଚିରନିଦ୍ରାରେ କରୁଣାନିଧି । ଚେନ୍ନାଇର ମରିନା ବିଚରେ ଡିଏମକେ ସୁପ୍ରିମୋଙ୍କୁ ଦିଆଯାଇଛି ଅନ୍ତିମ ବିଦାୟ । ସଂପୂଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରୁଣାନିଧିଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଆଜି ସକାଳୁ ଶେଷ ଦର୍ଶନ ପରେ ହଜାର ହଜାର ସମର୍ଥକଙ୍କ ଗହଣରେ ସନ୍ଧ୍ୟା ୫ଟାରେ ଶେଷଯାତ୍ରାରେ ବାହାରିଥିଲା କରୁଣାନିଧିଙ୍କ ମରଶରୀର । ଜନସମୁଦ୍ର ପାଲଟିଯାଇଥିଲା ଚେନ୍ନାଇ ରାଜରାସ୍ତା । ମରିନା ବିଚରେ କରୁଣାନିଧିଙ୍କୁ ତାଙ୍କ ରାଜନୈତିକ ଗୁରୁ ଆନ୍ନାଦୁରାଙ୍କ ସମାଧି ନିକଟରେ ସମାଧି ଦିଆଯାଇଛି । ହଜାର ହଜାର ସମର୍ଥକ, ଶୁଭେଚ୍ଛୁ ଓ ତାମିଲବାସୀ, ଦକ୍ଷିଣ ଭାରତର ଏହି ସର୍ବାଧିକ ଲୋକପ୍ରିୟ ନେତାଙ୍କୁ ଶେଷ ବିଦାୟ ଜଣାଇଛନ୍ତି । କରୁଣାନିଧିଙ୍କ ପରଲୋକ ସହ ରାଜନୀତିରେ ପାଂଚ ଦଶନ୍ଦିର ଅବସାନ ଘଟିଛି ।

କରୁଣାନିଧିଙ୍କୁ ଝୁରୁଛି ତାମିଲନାଡୁ । ମଙ୍ଗଳବାର ଦେହାନ୍ତ ଖବର ଶୁଣିବା ମାତ୍ରେ ତାମିଲନାଡୁର ରାସ୍ତାକୁ ଓହ୍ଲାଇ ଆସିଥିଲେ କରୁଣାନିଧିଙ୍କ ଲକ୍ଷ ଲକ୍ଷ ସମର୍ଥକ । ପ୍ରିୟ ନେତାଙ୍କ ଶେଷ ଦର୍ଶନ ପାଇଁ ଚେନାଇ ଅଭିମୁଖେ ଛୁଟିଥିଲା ଜନତାଙ୍କ ସୁଅ । ଜନସମୁଦ୍ରରେ ପରିଣତ ହୋଇଥିଲା ଚେନାଇ ରାଜରାସ୍ତା । କେହି କେହି କୋହ ସମ୍ବରଣ କରିନପାରି ଭାବବିହ୍ୱଳ ହୋଇ କାନ୍ଦୁଥିଲେ । ଆଖିରୁ ଶୁଖୁ ନଥିଲା ଲୁହ । ଲାଗୁଥିଲା ସତେ ଯେମିତି କରୁଣାନିଧିଙ୍କ ପାଇଁ କାନ୍ଦୁଥିଲା ତାମିଲନାଡୁ । ଚେନାଇରେ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତିି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ବହୁ ତୁଙ୍ଗ ନେତା ।

କରୁଣାନିଧିଙ୍କ ମୃତ୍ୟୁ ପରେ କେଉଁଠି ଦିଆଯିବ ସମାଧି ତାକୁ ନେଇ ସୃଷ୍ଟି ହୋଇଥିଲା ବିବାଦ । ମାମଲା ପହଁଚିଥିଲା କୋର୍ଟରେ । ଡିଏମକେ ମରିନା ବିଚରେ ସମାଧି ଦେବାକୁ ଚାହୁଁଥିବାବେଳେ ଅନୁମତି ଦେଇନଥିଲେ ତାମିଲନାଡୁ ସରକାର । ତେବେ ମାଡ୍ରାସ ହାଇକୋର୍ଟ ଅନୁମତି ଦେବା ପରେ ମରିନା ବିଚରେ କରୁଣାନିଧିଙ୍କର ଅନ୍ତିମ ସଂସ୍କାର କରାଯାଇଛି । ତେବେ ପ୍ରଶ୍ନ ଉଠୁଛି କାହିଁକି ମରିନା ବିଚରେ କରୁଣାନିଧିଙ୍କ ସମାଧି ପାଇଁ ଦାବି କରୁଥିଲେ ତାଙ୍କ ସମର୍ଥକ । ଏହା ପଛରେ କଣ ରହିଛି କାରଣ । ସେହି କାରଣ ହେଉଛି ମରିନା ବିଚରେ ବର୍ତ୍ତମାନ ୩ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମାଧିପୀଠ ରହିଛି । ପ୍ରଥମେ ୧୯୬୯ରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ କାଞ୍ଜିବରମ ନଟରାଜନ ଅନ୍ନାଦୁରାଇଙ୍କର ସମାଧି ସ୍ଥାପନ ହୋଇଥିଲା । ଅନ୍ନାଦୁରାଇ ଥିଲେ ଦେଶର ପ୍ରଥମ ଅଣକଂଗ୍ରେସ ମୁଖ୍ୟମନ୍ତ୍ରୀ, ଡିଏମକେ ସଂସ୍ଥାପକ ଓ କରୁଣାନିଧିଙ୍କ ରାଜନୈତିକ ଗୁରୁ । ତାପରେ ମରିନା ବିଚରେ ୧୯୮୭ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ.ଜି. ରାମଚନ୍ଦ୍ରନ ଓ ୨୦୧୬ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କର ସ୍ଥାପନ କରାଯାଇଥିଲା ।