କାବେରୀ ଜଳ ବିବାଦକୁ ନେଇ ତାମିଲନାଡୁ ଓ କର୍ଣ୍ଣାଟକରେ ଉତେଜନା : ବେଙ୍ଗାଲୁରୁ ଓ ଚେନ୍ନାଇରେ ଜଳିଲା ନିଆଁ

51

ପାଣି ପାଇଁ ଲଢେଇ । ଜୋରଧରିଛି କାବେରୀ ଜଳ ବିବାଦ। କର୍ଣ୍ଣାଟକରେ ଜଳୁଛି ନିଆଁ । ଏହାକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଫାୟାରିଂଗ କରୁଛି । ପୁଲିସ ଗୁଳିରେ ଜଣେ ଆନ୍ଦୋଳନକାରୀଙ୍କର ମୃତ୍ୟୁ ହୋଇଛି । ଘଟଣାକୁ ଗୁରୁତର ସହ ନେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଜୟଲଳିତାଙ୍କ ସହ ଆଲୋଚନା କରିଛନ୍ତି ।

କେନ୍ଦ୍ରରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବା ପାଇଁ ରାଜନାଥ ଉଭୟ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଛନ୍ତି । ରାଜରାସ୍ତାରେ ପଥର ମାଡ ସହ ଗାଡିରେ ଲଗାଇଲେ ନିଆଁ ଲଗାଇଦେଇଛନ୍ତି ଆନ୍ଦୋଳନକାରୀ । କାବେରୀ ନଦୀ ଜଳ ବଂଟନ ନେଇ କର୍ଣ୍ଣାଟକ ଓ ତାମିଲନାଡୁ ମଧ୍ୟରେ ବିବାଦ ହିଂସାର ରୂପ ନେଇଛି ।

ବେଙ୍ଗାଲୁରୁ ଓ ଚେନ୍ନାଇରେ ରାଜରାସ୍ତାରେ ଏହା ଭୟଙ୍କର ରୂପ ଦେଖିବାକୁ ମିଳିଛି। ତାମିଲନାଡୁ ନମ୍ବର ଥିବା ଗାଡିଗୁଡିକ ଉପରକୁ ପଥର ମାଡ କରିଛନ୍ତି । ବେଙ୍ଗାଲୁରୁରେ ପ୍ରାୟ ୩୫ଟି ବସକୁ ନିଆଁ ଲଗାଇଦେଇଛନ୍ତି ଆନ୍ଦୋଳନକାରୀ। ଏହା ପରେ ପରେ ବେଙ୍ଗାଲୁରୁରେ ୧୪୪ ଧାରା ଲାଗୁ କରାଯାଇଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରାୟ ୧୫ ହଜାର ପୁଲିସ କର୍ମୀଙ୍କୁ ନିୟୋଜିତ କରାଯାଇଛି। ଏହି ସ୍ଥିତି ସମୀକ୍ଷା ନେଇ ଆଜି ଦିନ ୧୧ଟା ବେଳେ ଏକ ଉଚ୍ଚସ୍ତରୀୟ ବୈଠକ ଡଳାଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ।

ତାମିଲନାଡୁରେ କର୍ଣ୍ଣାଟକର ଗାଡି ଓ କନ୍ନଡ ଲୋକଙ୍କ ବିରୋଧରେ ଅତ୍ୟାଚାର ହେଉଥିବା ଅଭିଯୋଗ କରିଛନ୍ତି କର୍ଣ୍ଣାଟକ ସରକାର । ଏନେଇ ରାଜ୍ୟ ସରକାର ଚିନ୍ତା ଜାହିର କରିବା ସହ ଲୋକ ଓ ସଂପତିର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ତାମିଲନାଡୁ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହା ସହ ଦୁଇ ରାଜ୍ୟର ମନ୍ତ୍ରୀସ୍ତରୀୟ ବୈଠକ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ତାଙ୍କୁ ଅନୁରୋଧ କରିବେ ବୋଲି ସୂଚନା ମିଳିଛି ।