କର୍ଣ୍ଣାଟକ କୁରୁକ୍ଷେତ୍ର: ଆରମ୍ଭ ହେଲା ଭୋଟ୍ ଗଣତି ପ୍ରକ୍ରିୟା । ୩୮ଟି କେନ୍ଦ୍ରରେ ଚାଲିଛି ଭୋଟଗଣନା । ଦିନ ୧୨ଟା ସୁଦ୍ଧା ହୋଇପାରେ ସ୍ପଷ୍ଟ

31

କନକ ବ୍ୟୁରୋ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଛି । ସକାଳ ୮ଟାରୁ ରାଜ୍ୟର ୩୮ଟି କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ ହୋଇଛି ବୋଲି ନିର୍ବାଚନ କମିସନ କହିଛନ୍ତି। ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣାନା ଆରମ୍ଭ ହୋଇଥିଲା। ଏହା ପରେ ଇଭିଏମ ଭୋଟ୍ ଗଣତି ଆରମ୍ଭ ହୋଇଛି।

ରାଜ୍ୟରେ ମୋଟ ୨୨୨ଟି ବିଧାନସଭା ଆସନ ପାଇଁ ଗତ ଶନିବାର ଦିନ ମତଦାନ ହୋଇଥିବା ବେଳେ ଇଭିଏମରେ ମୋଟ ୨୬୫୪ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ବନ୍ଦ ହୋଇ ରହିଛି। ତେବେ ନିର୍ବାଚନ ପରବର୍ତ୍ତୀ ଏକଜିଟ ପୋଲରେ ରାଜ୍ୟରେ ଝୁଲା ବିଧାନସଭା ହେବା ବୋଲି ଅନୁମାନ କରାଯାଇଛି। କ୍ଷମତାସୀନ କଂଗ୍ରେସ ଦଳକୁ ସବୁଠୁ ଅଧିକ ଆସନ ମିଳିଲେ ମଧ୍ୟ ସରକାର ଗଢିବା ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହାସଲ କରିପାରିବ ନାହିଁ ବୋଲି ଏକଜିଟ ପୋଲ ଆକଳନରୁ ଜଣାପଡ଼ିଥିଲା। ତେବେ କଂଗ୍ରେସକୁ ଟକ୍କର ଦେଇ ବିଜେପି ମଧ୍ୟ ଏହାର ପାଖାପାଖି ପହଞ୍ଚିବା ସମ୍ଭାବନା ରହିଛି। ୩୦ରୁ ୪୦ ଆସନ ପାଇ ଜେଡିଏସ କିଙ୍ଗ ମେକର୍ ସାଜିବ ବୋଲି ଅଧିକାଂଶ ଏକଜିଟ୍ ପୋଲ୍ରୁ ଜଣାପଡ଼ିଥିଲା।

କେନ୍ଦ୍ରରେ ଥିବା ସରକାର କର୍ଣ୍ଣାଟକରେ କ୍ଷମତାକୁ ଆସିପାରୁ ନଥିବା ଧାରାକୁ କଂଗ୍ରେସ ୧୯୮୫ ମସିହାରୁ ଭାଙ୍ଗି ସାରିଥିବା ବେଳେ ଏହି ଧାରା ବଜାୟ ରହିବ ନା ମୋଦି ହାଓ୍ଵାର ପ୍ରଭାବରେ କଂଗ୍ରେସ ଗଡ଼ ଭୁଶୁଡ଼ିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ରାଜ୍ୟରେ ବିଜେପି-ଜେଡିଏସର ଗୁପ୍ତ ମେଣ୍ଟ ଥିବା ନେଇ ଚର୍ଚ୍ଚ ଜୋର ଧରିଥିବା ବେଳେ କଂଗ୍ରେସ ଦଳିତ କାର୍ଡ ଖେଳି ଜେଡିଏସକୁ ବିଜେପି ମୁହାଁ ହେବାରେ ଅଟକାଉଥିବା କୁହାଯାଉଛି।