କର୍ଣ୍ଣାଟକରେ ସରକାର ଗଢିବା ଆଶାରେ ଭାରତୀୟ ଜନତାପାର୍ଟି ! ୟେଦୁରପ୍ପା କହିଲେ ବଜେଟ ଆସିବା ପର୍ଯ୍ୟନ୍ତ କରିବୁ ଅପେକ୍ଷା ?

38

କନକ ବ୍ୟୁରୋ : କର୍ଣ୍ଣାଟକ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । କଂଗ୍ରେସ ସହ ମେଣ୍ଟ କରି ସରକାର ଗଠନ କରିବା ପରେ ଜେଡିଏସ ଦଳ ଭିତରେ ଥମିବାରେ ନା ଧରୁନି କନ୍ଦଳ । ସମସ୍ତେ କ୍ଷମତା ପାଇଁ ବିକଳ । ଯାହାକୁ କ୍ଷମତା ନ ମିଳିଛି ସେ ଦଳରୁ ବାହାରି ଯିବା ଲାଗି ଧମକ ମଧ୍ୟ ଦେଉଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଏ ପଟେ ବିଜେପି ସେଠାରେ ସରକାର ଗଠନ କରିବା ଲାଗି ଅଣ୍ଟାମଧ୍ୟ ଭିଡୁଥିବା ଚର୍ଚ୍ଚା ହେଉଛି ।

ଠିକ୍ ଏତିକି ବେଳେ କର୍ଣ୍ଣାଟକର ବିଜେପି ରାଜ୍ୟ ସଭାପତି ବି. ଏସ ୟେଦୁରୁପ୍ପା ଶନିବାର କହିଛନ୍ତି ଯେ, ଯେଉଁ କଂଗ୍ରେସ ଓ ଜେଡିଏସ ନେତା ଆମ ଦଳରେ ସାମିଲ ହେବା ଲାଗି ଚାହୁଁଛନ୍ତି ସେମାନଙ୍କୁ ସ୍ୱାଗତ । ଏହା ସହ ୟେଦୁରୁପ୍ପା କହିଛନ୍ତି ବିଜେପିର କୈାଣସି ନେତା ଡରିବାର ଆବଶ୍ୟକତା ନାହିଁ । କାରଣ ଅନ୍ୟ ଲୋକ ଆମ ଦଳକୁ ଆସିଲେ ବି ଦଳରେ ପୂର୍ବରୁ ଥିବା ଲୋକମାନଙ୍କର ସ୍ଥାନ ସେମାନଙ୍କୁ ମିଳିବ । ସେମାନେ ଆସିଲେ ଆମେ ସେମାନଙ୍କ ସହ ମିଶିକି ଅଧିକ କାମ କରିବା ।

ୟେଦୁରୁପ୍ପା ଶୁକ୍ରବାର ଦିନ ଦାବି କରିଛନ୍ତି ଯେ, ଆମ ଦଳରେ ବିରୋଧୀ ଦଳର ଅନେକ ନେତା ମିଶିବା ନେଇ ପ୍ରସ୍ତୁତ ହେଲେଣି । ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସେ ଏହା କହିଛନ୍ତି । ଏହା ସହ ଜେଡିଏସ ଓ କଂଗ୍ରେସର ମେଣ୍ଟଣ୍ଟ ସରକାରକୁ ଅପବିତ୍ର ମଧ୍ୟ କହିଥିବା ଜଣାପଡିଛି ।

“ମେଣ୍ଟ ସରକାର ଯେପରି ଭାବରେ କାମ କରୁଛି ତାହା ଦେଖିଲେ ସ୍ପଷ୍ଟ ଭାବରେ ଜଣାପଡୁଛି ଯେ, ଆଗାମୀ ୫ ବର୍ଷ ଏ ସରକାରରେ ତିଷ୍ଠି ପାରିବେ ନାହିଁ । ତେଣୁ ଆମେ ବଜେଟ ଅଧିବେଶନ ପରେ ହିଁ କିଛି ପଦକ୍ଷେପ ନେବୁ । ସେମାନେ ଯେପରି ଭାବରେ ତରତର ହୋଇ କାମ କରୁଛନ୍ତି । ଆମେ ସେପରି କେବେ ବି କରିବୁ ନାହିଁ । ଠିକ ସମୟ ଆସିଲେ ଠିକ କାମ କରିବୁ” ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ୟେଦୁରୁପ୍ପା କହିଛନ୍ତି ।

ନିଜ ଦଳୀୟ କର୍ମୀଙ୍କୁ ଦେଲେ ୨୦୧୯ ନିର୍ବାଚନୀ ମନ୍ତ୍ର

ଦଳୀୟ ନେତାମାନଙ୍କୁ ଉଚ୍ଛାହିତ କରିବା ଲାଗି ୨୦୧୯ ରେ ୨୮ ଟି ଲୋକସଭା ସିଟରୁ ୨୫ ଟି ରେ ବିଜେପି ନିଶ୍ଚୟ ଭାବରେ ଜିତିବ ବୋଲି ୟେଦୁରୁପ୍ପା କହିଛନ୍ତି । ନିଜ ଭାଷଣରେ ମେଣ୍ଟ ସରକାରକୁ ସମାଲୋଚନା ମଧ୍ୟ କରିଛନ୍ତି । ଆମ ଦଳକୁ ଆସିଲେ ଆତ୍ମସମ୍ମାନ ସହ କାମ କରିବା ଲାଗି ସୁଯୋଗ ପାଇପାରିବ ବୋଲି ଅନ୍ୟ ଦଳ ନେତାଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି । ବିଜେପି ନିଶ୍ଚୟ ଭାବରେ ସରକାର କରିବ ବୋଲି ସେ ଦୃଢ ଦାବି କରିଆସୁଛନ୍ତି ।

ଅମିତ ଶାହାଙ୍କୁ ଭେଟିଲା ପରେ ୟେଦୁରୁପ୍ପାଙ୍କ ବଢିଲା ମନୋବଳ

ଅହମ୍ମଦାବାଦଠାରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କୁ ଭେଟିଲା ପରେ ସେ ବାରମ୍ବାର କହି ଆସୁଛନ୍ତି କି ବିରୋଧୀମାନେ ସେମାନଙ୍କ ଦଳକୁ ଆସିବାକୁ ଅପେକ୍ଷା କରି ବସିଛନ୍ତି । ତେବେ କେଉଁ ନେତା ଆସିବେ ବୋଲି ପଚାରିଲେ ଅପେକ୍ଷା କରନ୍ତୁ ବଳେ ଦେଖିବେ ବୋଲି ୟେଦୁରୁପ୍ପା କହୁଛନ୍ତି । ବିଧାନ ସଭାରେ ଆମେ ସଂଖ୍ୟା ଗରିଷ୍ଠତା ଦେଖାଇ ପାରିନାହୁଁ । କିନ୍ତୁ ଅଗାମୀ ଦିନରେ ଆମେ ମାନେ ନିଶ୍ଚୟ ଭାବରେ ସରକାର ଗଠନ କରିବୁ ବୋଲି ସେ ଦାବୀର ସହ କହିଛନ୍ତି ।