ୟେଦ୍ୟୁରପ୍ପାଙ୍କ ଶପଥ ନେଇ କଂଗ୍ରେସର ବିରୋଧ ! ଏପଟେ ୨ କଂଗ୍ରେସ ବିଧାୟକ ଗାଏବ, ରାହୁଲ ଗାନ୍ଧିଙ୍କ ଟ୍ୱିଟ୍, ସମ୍ବିଧାନର ମଜା ଉଡାଉଛି ବିଜେପି

46

କନକ ବ୍ୟୁରୋ : ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ କଂଗ୍ରେସ ପ୍ରତିବାଦ ଆରମ୍ଭ କରିଛି । ବେଙ୍ଗାଲୁରୁରେ ବିଧାନସଭା ସମ୍ମୁଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ବରିଷ୍ଠ ନେତା ଗୁଲାମନବୀ ଆଜାଦ ଓ ଅନ୍ୟ ବରିଷ୍ଠ ନେତା ବିରୋଧ ପ୍ରଦର୍ଶନ କରିଛନ୍ତି । କଂଗ୍ରେସ ତାର ବିଧାୟକଙ୍କୁ ବେଙ୍ଗାଲୁରୁର ଏକ ରିସୋର୍ଟରେ ରଖିଛି । ଶପଥ ଗ୍ରହଣ ପରେ ରିସୋର୍ଟ ବାହାରୁ ଯୁବ କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତା ବିରୋଧ ପ୍ରଦର୍ଶନ କରିଥିଲେ । ସେପଟେ କଂଗ୍ରେସର ଦୁଇ ଜଣ ବିଧାୟକଙ୍କ କୌଣସି ପତ୍ତା ମିଳୁନାହିଁ । ଦୁଇ ବିଧାୟକ ଆନନ୍ଦ ସିଂ ଓ ପ୍ରତାପ ଗୌଡା ପାଟିଲ କୁଆଡେ ଚାଲିଯାଇଛନ୍ତି ।

ତୃତୀୟ ଥର ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେଲେ ୟେଦ୍ୟୁରପ୍ପା । ହାଇଭୋଲଟେଜ ଡ୍ରାମା ଭିତରେ ଆଜି ସକାଳ ୯ଟାରେ ମୁ୍ଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଜେପି ନେତା ବି.ଏସ. ୟେଦ୍ୟୁରପ୍ପା । କର୍ଣାଟକ ରାଜଭବନରେ ଅନୁଷ୍ଠିତ ହୋଇଛି ଶପଥ ଗ୍ରହଣ ଉତ୍ସବ । ରାଜ୍ୟପାଳ ବାଜୁଭାଇ ବାଲା ୟେଦ୍ୟୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଛନ୍ତି । ଶପଥ ଉତ୍ସବରେ ୩ ଜଣ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇଛନ୍ତି । ଏହା ସହ ବହୁ ବରିଷ୍ଠ ବିଜେପି ନେତା, ଦଳୀୟ କର୍ମୀ ଓ ସମର୍ଥକ ମଧ୍ୟ ଶପଥ ନେଇଛନ୍ତି ୟେଦ୍ୟୁରପ୍ପା ।

ସୂଚନାଯୋଗ୍ୟ ବିଏସ ୟେଦ୍ୟୁରପ୍ପା ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପୂର୍ବରୁ ମଧ୍ୟ ଦୁଇ ଦୁଇ ଥର ସେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ଏଥିର ସେ ବିଜେପିରୁ ମୁଖ୍ୟମନ୍ତ୍ରୀ ପ୍ର ର୍ଥୀ ଭାବେ ନିର୍ବାଚନ ଲଢିଥିଲେ । ମେ ୧୨ରେ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ଫଳାଫଳ ବାହାରିଥିଲା ମେ ୧୫ ତାରିଖରେ । ଏଥିରେ ବିଜେପିକୁ ଅଧିକ ଆସନ ମିଳିଥିଲା । ତା ପଛକୁ କଂଗ୍ରେସ ଓ ତା ପଛକୁ ରହିଛି ଜେଡିଏସ । ଗତ ୨୦୧୩ରେ ୟେଦୁୟୁରପ୍ପା ବିଜେପିରୁ ଓହରି ଅଲଗା ଦଳ ଗଠନ କରି ନିର୍ବାଚନ ଲଢିଥିଲେ । ସେତେବେଳେ କିନ୍ତୁ ବିଜେପିକୁ ପରାଜୟର ସ୍ୱାଦ ଚାଖିବାକୁ ପଡିଥିଲା । ଏବଂ ସରକାର ଗଢିବାରେ ସକ୍ଷମ ହୋଇଥିଲା କଂଗ୍ରେସ । ସିଦ୍ଧରମୈୟା ହୋଇଥିଲେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ । କିନ୍ତୁ ଏଥିର ୟେଦ୍ୟୁରପ୍ପା ବିଜେପି ସହ ମିଶି ନିର୍ବାଚନ ଲଢିଥିଲେ । ବିଜେପିକୁ ମିଳିଛି ଅଧିକ ବହୁମତ । କିନ୍ତୁ ୧୧୨ ମ୍ୟାଜିକ ନମ୍ବର ଛୁଇଁପାରିନାହିଁ । ଆଉ ୮ଟି ବିଧାୟକଙ୍କ ସମର୍ଥନ ଆବଶ୍ୟକ ପଡୁଛି ।

ଆଜି ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ବିଜେପି କର୍ମୀ ଓ ସମର୍ଥକମାନେ ୟେଦ୍ୟୁରପ୍ପାଙ୍କ ବାସଭବନ ଆଗରେ ଭିଡ ଜମାଇଥିଲେ । ନିଜ ବାସଭବନରୁ ବାହାରିବା ପରେ କଡା ସୁରକ୍ଷା ବଳୟ ମଧ୍ୟରେ ରାଜଭବନ ଅଭିମୁଖେ ଯାଇଥିଲେ ୟେଦ୍ୟୁରପ୍ପା । ବିଜେପି କର୍ମୀ ଓ ସମର୍ଥକଙ୍କ ଗହଣରେ ରାଜଭବନରେ ପହଂଚିଥିଲେ କର୍ଣାଟକର ବରିଷ୍ଠ ବିଜେପି ନେତା ୟେଦ୍ୟୁରପ୍ପା । ଏହା ପୂର୍ବରୁ କର୍ଣ୍ଣାଟକର ମୁଖ୍ୟ ସଚିବ ଓ ଡିଜିପି ମଧ୍ୟ ୟେଦୁରପ୍ପାଙ୍କୁ ଭେଟିଥିଲେ । ସେପଟେ ଶପଥ ନେବା ପୂର୍ବରୁ ୟେଦୁରପ୍ପା ରାଧାକୃଷ୍ଣ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ଗତକାଲି ହାଇଭୋଲଟେଜ ବୈଠକ ପରେ କର୍ଣାଟକ ରାଜ୍ୟପାଳ ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପାଇଁ ଆମନ୍ତ୍ରିତ କରିଥିଲେ ।