ସରକାର ଗଲା, ବାଚସ୍ପତି ବି ଗଲେ ! ନୂଆ ସରକାର ଗଠନ ପରେ କର୍ଣ୍ଣାଟକ ବାଚସ୍ପତି ପଦରୁ ଇସ୍ତଫା ଦେଲେ ରମେଶ କୁମାର ।

429

କନକ ବ୍ୟୁରୋ : ଇସ୍ତଫା ଦେଲେ କର୍ଣ୍ଣାଟକ ବାଚସ୍ପତି । ଆଜି କର୍ଣ୍ଣାଟକ ରାଜନୀତିରେ ଦେଖିବାକୁ ମିଳିଛି ଦୁଇ ଦୁଇଟି ବଡ ଘଟଣା । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କ ସରକାର ଆସ୍ଥା ଭୋଟରେ ବିଜୟୀ ହୋଇଥିବା ବେଳେ ଅନ୍ୟପଟେ ବାଚସ୍ପତି ପଦରୁ ଆଜି ଇସ୍ତଫା ଦେଇଛନ୍ତି ରମେଶ କୁମାର । ଆସ୍ଥା ଭୋଟରେ ୟେଦ୍ୟୁରପ୍ପା ବିଜୟ ହେବା ପରେ ରମେଶ କୁମାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । କର୍ଣ୍ଣାଟକ ରାଜନୀତିରେ ହୋଇଥିବା ହଟଚମଟରେ ବାଚସ୍ପତିଙ୍କ ଭୂମିକାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । କୁହାଯାଉଥିଲା ଯଦି ୟେଦ୍ୟୁରପ୍ପା ଆସ୍ଥା ଭୋଟରେ ବିଜୟ ହୋଇଯାନ୍ତି ତେବେ ବାଚସ୍ପତି ପରିବର୍ତ୍ତନ ପାଇଁ ୟେଦୁରପ୍ପା ଉଦ୍ୟମ କରିବେ ।

କିନ୍ତୁ ୟେଦୁଙ୍କ ଉଦ୍ୟମ ପୂର୍ବରୁ ନିଜେ ଇସ୍ତଫା ଦେଇଛନ୍ତି ରମେଶ କୁମାର । କଂଗ୍ରେସର ଜଣେ ଟାଣୁଆ ବିଧାୟକ ଭାବେ ରମେଶ କୁମାର ବେଶ ଜଣାଶୁଣା । କର୍ଣ୍ଣାଟକର ଶ୍ରୀନିବାସପୁରରୁ ୬ ଥର ବିଧାୟକ ଥିବା ରମେଶ କୁମାର ସିଦ୍ଧରମେୟାଙ୍କ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବାବେଳେ କୁମାରସ୍ୱାମୀଙ୍କ ଓ କଂଗ୍ରେସ ଗଠବନ୍ଧନ ସରକାରରେ କର୍ଣ୍ଣାଟକ ବିଧାନସଭାର ବାଚସ୍ପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଏଠାରେ ସୂଚନା ଥାଉ କି ଆଜି ବିଧାନସଭାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପା ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିଛନ୍ତି ।