କିଏ ଜିତିବ କର୍ଣ୍ଣାଟକ ବାଜି? ଏକଜିଟ୍ ପୋଲ କହିଲା ଝୁଲା ସରକାର । ହେଲେ ତିନି ପ୍ରମୁଖ ଦଳର ଦୃଢ଼ୋକ୍ତି, ଆମେ ଗଢିବୁ ସରକାର

26

କନକ ବ୍ୟୁରୋ: ପ୍ରାୟ ଦେଢ଼ ମାସ ଧରି କର୍ଣ୍ଣାଟକରେ ଚାଲିଥିବା କସରତର ପରିଣାମ କ’ଣ ହେବ ତାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଏହି ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି କର୍ଣ୍ଣାଟକ ଫଳାଫଳ ପୂର୍ବରୁ ଆସିଥିବା ଏକଜିଟ୍ ପୋଲର ରିପୋର୍ଟ । ଏସବୁ ଭିତରେ ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଏବଂ ଜେଡିଏସର ଦାବି, ଏକାକୀ ସରକାର ଗଢ଼ିବେ । ସରକାର ଗଢ଼ିବାକୁ ଦୃଢ଼ ନିଶ୍ଚିତ ଥିବା ସିଦ୍ଦରମେୟା ଗୋଟିଏ ପାଦ ଆଗକୁ ଯାଇ କହିଛନ୍ତି-ହାଇକମାଣ୍ଡ ଚାହିଁଲେ ଦଳିତ ମୁଖ୍ୟମନ୍ତ୍ରୀଙ୍କ ପାଇଁ ପଦ ଛାଡ଼ିବାକୁ ରାଜି । ହେଲେ ଫଳାଫଳ ଘୋଷଣା ପରେ ଜଣାପଡ଼ିବ କାହାର କେତେ ଦମ୍ ?

କର୍ଣ୍ଣାଟକ ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ଯେଉଁ ପ୍ରମୁଖ ୯ଟି ଏଗ୍ଜିଟ୍ ପୋଲର ରିପୋର୍ଟ ସାମ୍ନାକୁ ଆସିଛି, ସେଥିରେ କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ମିଳୁନି । ୯ଟିରୁ ୫ଟି ସର୍ଭେ ରିପୋର୍ଟର ଆକଳନ କହୁଛି ବିଜେପି ଏକକ ସଂଖ୍ୟା ଗରିଷ୍ଠ ଦଳର ଆସନ ପାଉଥିବା ବେଳେ ୪ଟିରେ କଂଗ୍ରେସକୁ ମିଳୁଛି ଏକକ ସଂଖ୍ୟାଗରିଷ୍ଠ ଦଳର ମାନ୍ୟତା । ଆଉ ଯଦି ଏହା ହୁଏ, ସରକାର ଗଢ଼ିବାର ଚାବିକାଠି ହେବ ଜେଡିଏସ୍ ହାତରେ ।

ହେଲେ ଏହି ସବୁ ଏକଜିଟ୍ ପୋଲ ସର୍ଭେକୁ-ୱିକେଣ୍ଡ ଏଂଟରଟେନମେଂଟ୍ ବା ସାପ୍ତାହିକ ମନୋରଂଜନ କହି ଉଡାଇ ଦେଇଛନ୍ତି-ସିଦ୍ଦାରମେୟା । ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବି.ଏସ୍ ୟେଦ୍ଦୁରପ୍ପା ୧୨୫ରୁ ୧୩୦ ଆସନ ସହ ସରକାର ଗଢ଼ିବୁ ବୋଲି ଦାବି କରିଛନ୍ତି । ଜେଡିଏସ୍ ମଧ୍ୟ ଏକାକୀ ମ୍ୟାଜିକ୍ ନମ୍ବର ଛୁଇଁବ ବୋଲି ଦୃଢ଼କ୍ତି କରିଛନ୍ତି କର୍ଣ୍ଣାଟକ ଜେଡିଏସ୍ ମୁଖ୍ୟ ଏଜ୍ଡି କୁମାର ସ୍ୱାମୀ ।

ଏହି ସବୁ ଆକଳନ ଏବଂ ଦୃଢ଼କ୍ତି ଭିତରେ କର୍ଣ୍ଣାଟକର ଗଣିତ କହୁଛି-ମୋଟ୍ ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ସଂଖ୍ୟା ଗରିଷ୍ଠତା ପାଇଁ ଆବଶ୍ୟକ ୧୧୩ଟି ଆସନ । ତେବେ ଚଳିତ ନିର୍ବାଚନରେ ୨୨୨ଟି ଆସନ ପାଇଁ ମତଦାନ ହୋଇଛି । ଅର୍ଥାତ୍ ବର୍ତମାନ ପରିପ୍ରେକ୍ଷୀରେ ସରକାର ଗଢ଼ିବା ପାଇଁ କୌଣସି ଦଳକୁ ଅନ୍ୟୁନ ୧୧୨ଟି ଆସନ ଆବଶ୍ୟକ । ଜାତୀୟ ରାଜନୀତିକୁ ପ୍ରଭାବିତ କରୁଥିବା କର୍ଣ୍ଣାଟକ ନିର୍ବାଚନ ଫଳାଫଳରେ ୩ଟି ପ୍ରମୁଖ ଚେହେରା ମଧ୍ୟରେ ବାଜି ଲାଗିଛି ।

କଂଗ୍ରେସର ସିଦ୍ଦାରମେୟା, ବିଜେପିର ୟେଦୁରପ୍ପା ଏବଂ ଜେଡିଏସର ଏଚଡି ଦେବେଗୌଡ଼ା । ୨୦୧୯ ନିର୍ବାଚନ ପୂର୍ବରୁ ମୋଦି ଓ ବିଜେପି ପାଇଁ କର୍ଣ୍ଣାଟକ ନିର୍ବାଚନ ଯେତିକି ଗୁରୁତ୍ୱପୂର୍ଣ୍ଣ, କଂଗ୍ରେସର ନବନିଯୁକ୍ତ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ପାଇଁ ଠିକ୍ ସେତିକି ମହତ୍ୱପୂର୍ଣ୍ଣ । ସେହିପରି ଏହି ନିର୍ବାଚନ ଉପରେ ଦେଶର ପ୍ରମୁଖ ସେକୁଲାର ଫୋର୍ସଗୁଡ଼ିକର ନଜର ରହିଛି ।