କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆଜି ହୋଇପାରେ ତାରିଖ ଘୋଷଣା !ଦିନ ୧୧ଟାରେ ମୁଖ୍ୟ ନିର୍ବାଚନ କମିଶନଙ୍କ ସାମ୍ବାଦିକ ସମ୍ମିଳନୀ

48

କନକ ବ୍ୟୁରୋ : ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ହୋଇପାରେ ତାରିଖ ଘୋଷଣା । ଆଜି ନିର୍ବାଚନ କମିଶନ ନିର୍ବାଚନ ତାରିଖ ନେଇ ଘୋଷଣା କରିବାର ସମ୍ଭାବନା ରହିଛି । ଆସନ୍ତା ଜୁନ୍ ୩ ତାରିଖରେ କର୍ଣ୍ଣାଟକରେ ସିଦ୍ଧରମେୟା ସରକାରଙ୍କ କାର୍ଯ୍ୟକାଳ ଶେଷ ହେବ । କର୍ଣ୍ଣାଟକ ବିଧାନସଭାର ମୋଟ୍ ସଦସ୍ୟ ସଂଖ୍ୟା ୨୨୫ । ଏଥିରୁ ୨୨୪ ସିଟରେ ନିର୍ବାଚନ କରାଯାଇଥାଏ । ବାକି ଗୋଟିଏ ଆସନ ପାଇଁ ଜଣେ ଆଂଗ୍ଲୋ ଇଣ୍ଡିଆନ ମନୋନୀତ ହୋଇଥାନ୍ତି । ଗୁଜୁରାଟ ନିର୍ବାଚନ ପରେ ଉଭୟ ବିଜେପି ଓ କଂଗ୍ରେସ କର୍ଣ୍ଣାଟକକୁ ଫୋକସରେ ରଖିଛନ୍ତି । ସେଥପାଇଁ ଲଗାତାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ, ୟୁପି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ଗସ୍ତ କରିଛନ୍ତି । କର୍ଣ୍ଣାଟକରେ ଚଳିତ ନିର୍ବାଚନରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କରର ହେବାର ସମ୍ଭାବନା ରହିଛି ।

ଗୋଟିଏ ପରେ ଗୋଟିଏ ଦେଶର ୨୧ଟି ରାଜ୍ୟ ଦଖଲ କରିସାରିଥିବା ବିଜେପି ଏବେ କର୍ଣ୍ଣାଟକ ଦଖଲ ଅଭିଯାନ ଆରମ୍ଭ କରିଛି । ସେପଟେ ରାଜ୍ୟର ଶାସକ ଦଳ କଂଗ୍ରେସ କ୍ଷମତା ବଜାୟ ରଖିବାକୁ ସମସ୍ତ ପ୍ରୟାସ ଜାରି ରଖିଛି। ଏବେ କେବଳ ମାତ୍ର ଦୁଇଟି ବଡ଼ ରାଜ୍ୟ କର୍ଣ୍ଣାଟକ ଓ ପଂଜାବ କଂଗ୍ରେସ ହାତରେ ରହିଛି । ବିଜେପି କର୍ଣ୍ଣାଟକ ପାଇଁ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିସାରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦୁରପ୍ପାଙ୍କ ନେତୃତ୍ୱରେ ବିଜେପି ନିର୍ବାଚନ ଲଢ଼ିବ ବୋଲି ଦଳ ଅଧ୍ୟକ୍ଷ ଅମିତ ଶାହ ଘୋଷଣା କରିସାରିଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ନିର୍ବାଚନ ବିଜେପି ପାଇଁ ସବୁଠାରୁ ବଡ଼ ଚ୍ୟାଲେଂଜ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ କଂଗ୍ରେସ ତା’ର ଗଡ଼ ବଜାୟ ରଖିବା ପାଇଁ ମଧ୍ୟ ପୁରା ଚେଷ୍ଟା ଚଳାଇଛି ।