କର୍ଣ୍ଣାଟକ ଦଖଲ ଅଭିଯାନରେ ଆଗେଇ ଚାଲିଛି ବିଜେପି ! ଟ୍ରେଣ୍ଡରେ କାହାକୁ ମିଳୁନି ସ୍ପଷ୍ଟ ବହୁମତ, କଂଗ୍ରେସ ହାତରୁ ଖସିଯିବ କି ଆଉ ଏକ ରାଜ୍ୟ ?

42

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତିଜାରି ରହିଛି । ପ୍ରଥମ ପର୍ଯ୍ୟାୟରେ ଟ୍ରେଣ୍ଡରେ ବିଜେପି ବଡ଼ ଦଳ ଭାବେ ଉଭା ହୋଇଛି । ମୋଟ ୧୧୨ଟି ସିଟରେ ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ । ମ୍ୟାଜିକ ନମ୍ବର ହାସଲ କରିନଥିଲେ ମଧ୍ୟ ବିଜେପି ସ୍ୱାଧୀନ ପ୍ରାର୍ଥୀଙ୍କ ସହାୟତାରେ ସରକାର ଗଢ଼ିପାରେ । ଏଥିପାଇଁ ଦିଲ୍ଲୀରୁ ପ୍ରସ୍ତୁତ ହୋଇସାରିଛି ବ୍ଲୁ ପ୍ରିଣ୍ଟ ।ଏ ହାସହ ସରକାର ଗଢ଼ିବାକୁ ଜେଡ଼ିଏସର ଆବଶ୍ୟକତା ପଡ଼ିବ ନାହିଁ । ଅନ୍ୟପଟେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଲାଗିଛି ବଡ଼ ଝଟକା । ଚାଲିଥିବା ଟ୍ରେଣ୍ଡ ଅନୁଯାୟୀ କଂଗ୍ରେସ ମାତ୍ର ୬୮ଟି ସିଟରେ ଆଗୁଆ ରହିଛି । ଏହାସହ କଂଗ୍ରେସର କର୍ଣ୍ଣାଟକ ଦଖଲ ଅଭିଯାନରେ ଲାଗିଛି ବ୍ରେକ ।

ଅନ୍ୟପଟେ କର୍ଣ୍ଣାଟକ ନିର୍ବାଚନରେ ଜେଡ଼ିଏସ କିଙ୍ଗମେକର ଭୂମିକା ତୁଲାଇବ ବୋଲି ଯେଉଁ ଚର୍ଚ୍ଚା ଚାଲୁଥିଲା ସେଥିରେ ଏକରକମ ପୂର୍ଣ୍ଣଛେଦ ପଡ଼ିଛି । ଜେଡ଼ିଏସ ମାତ୍ର ୪୦ଟି ସିଟରେ ଆଗୁଆ ରହିଛି । ଏହାସହ ଜେଡ଼ିଏମ ମୁଖ୍ୟ କୁମାରସ୍ୱାମୀଙ୍କ ମୁଖ୍ୟମନ୍ତ୍ରୀ ହେବା ସ୍ୱପ୍ନ ଧୂଳିସାତ ହୋଇଛି । କର୍ଣ୍ଣାଟକ ଟ୍ରେଣ୍ଡ ସାମ୍ନାକୁ ଆସିବା ପରେ ବିଜେପି କର୍ଣ୍ଣାଟକ ପାଇଁ ଦୁଇ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛି । ଏହାସହ ଆଜି ସନ୍ଧ୍ୟାରେ ବିଜେପିର ସଂସଦୀୟ ଦଳ ବୈଠକ ବସିବା ନେଇ ସ୍ଥିର କରାଯାଇଛି । ଏହା ମଧ୍ୟରେ କଂଗ୍ରେସକୁ କଟାକ୍ଷ କରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ କହିଛନ୍ତି ଏଣିକି ଦେଶରେ କଂଗ୍ରେସ ଖୋଜିବା ଅଭିଯାନ ଆରମ୍ଭ ହେବ । ଏହାସହ କଂଗ୍ରେସ ହାତରୁ ଆଉ ଏକ ରାଜ୍ୟ ଛଡ଼ାଇଆଣିଛି ବିଜେପି । ପୂରା ଦେଶରେ ଗେରୁଆ ବାନା ଉଡ଼ାଇବାକୁ ଲକ୍ଷ୍ୟ ରଖିଥିବା ବିଜେପି ଏବେ ଗୋଟିଏ ପରେ ଗୋଟିଏ ପାଦ ଆଗକୁ ବଢ଼ାଇଚାଲିଛି । ଯଦି କର୍ଣ୍ଣାଟକ ନିର୍ବାଚନରେ ବିଜେପି ସ୍ପଷ୍ଟ ବହୁମତ ହାସଲ କରେ ତେବେ ପୂରା ଦେଶରେ ଏବେ ମାତ୍ର ୩ଟି ରାଜ୍ୟରେ କଂଗ୍ରେସ ସରକାର ସୀମିତ ରହିବ । ଆଉ ୨୨ଟି ରାଜ୍ୟରେ ଗେରୁଆ ବାନା ଉଡ଼଼ାଇବାରେ ସକ୍ଷମ ହେବ ବିଜେପି ।