ଆଜି ଶେଷ କର ଆସ୍ଥା ଭୋଟ୍ ! କର୍ଣ୍ଣାଟକ ନାଟକରେ ଯବନିକା ଟାଣିବାକୁ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ

263

କନକ ବ୍ୟୁରୋ: ରୋଚକ ମୋଡରେ କର୍ଣ୍ଣାଟକ ନାଟକ । ଆସ୍ଥା ଭୋଟ ଆଗରୁ ଗୃହରେ ଚାଲିଥିବା ‘ଅନୁପସ୍ଥିତ’ ନାଟକ ଦି ପାଦ ଆଗକୁ ବଢିଛି । ବିଧାନସଭାରେ ବାଗୀ ବିଧାୟକ ଅନୁପସ୍ଥିତ ଥିବାରୁ ତାହାକୁ ଆଳ କରି ନାଟକ ଚଳାଇଥିବା କଂଗ୍ରେସ-ଜେଡିଏସକୁ ବିରୋଧ କରି ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଛି ବିଜେପି । ଗୃହରେ ହେଉଥିବା ନାଟକ ସାରିବାକୁ କର୍ଣ୍ଣାଟକ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛି ବିଜେପି । ଆଉ ଏଥିପାଇଁ ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଭେଟିଛନ୍ତି ବିଜେପିର କିଛି ବିଧାୟକ ।


ଆଜି ବିଧାନସଭାରେ ଆସ୍ଥା ପରୀକ୍ଷା ଥିବା ବେଳେ ଏହାକୁ ଘୁଞ୍ଚାଇବାକୁ ବାଚସ୍ପତିଙ୍କୁ ଦାବି କରିଛି କଂଗ୍ରେସ । ଗୃହରେ ଆସ୍ଥା ଭୋଟର ତାରିଖ ଘୁଞ୍ଚାଇବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମେୟା ଅଡି ବସିଥିବା ବେଳେ ତାଙ୍କ ଦାବିକୁ ଚାଲେଞ୍ଚ କରି ରାଜ୍ୟପାଳଙ୍କ ପାଖରେ ଗୁହାରୀ କରିଛନ୍ତି ବିଜେପି ନେତା । ଆସ୍ଥା ଭୋଟକୁ ଆଜି ସାରିବାକୁ ରାଜ୍ୟପାଳଙ୍କୁ ବିଜେପି ନେତାଏ ଅନୁରୋଧ କରିଥିବା ବେଳେ ରାତି ୧୨ଟା ବରଂ ହେଉ ମାତ୍ର ଆଜି ଏ ନାଟକକୁ ସାରିବାକୁ ରାଜ୍ୟପାଳଙ୍କୁ ଦାବି କରିଛନ୍ତି ସେମାନେ ।


ତେବେ ବିଜେପି ସଦସ୍ୟ ଭେଟିବା ପରେ ବଡ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ । ଆଜି ଦିନ ଶେଷ ସୁଦ୍ଧା ଆସ୍ଥା ଭୋଟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ । କର୍ଣ୍ଣାଟକ ବିଧାନସଭାର ବାଚସ୍ପତି ରମେଶ କୁମାରଙ୍କୁ ନାଟକରେ ଶେଷ ଗାର ଟାଣିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ବାଜୁଭାଇ ବାଲା ।