ଅମର ଯବାନ ଜ୍ୟୋତିରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ! ୧୯୯୯ରେ ଷାଠିଏ ଦିନ ଯୁଦ୍ଧରେ ପାକ୍ ଅନୁପ୍ରବେଶକାରୀଙ୍କୁ ଦୃଢ ଜବାବ ଦେଇଥିଲା ଭାରତ ।

177

ଇତିହାସରେ ଭାରତ ଏବଂ ଭାରତୀୟଙ୍କ ପାଇଁ ଆଜି ହେଉଛି ଏକ ସୁବର୍ଣ୍ଣ ଦିବସ । ୧୯ ବର୍ଷ ପୂର୍ବେ ଆଜିର ଦିନରେ ଭାରତମାତାର ସୁପୁତ୍ର ବୀର ଯବାନ ପାକିସ୍ଥାନ ସେନାକୁ ହରାଇ କାରଗିଲ୍ ଶିଖରରେ ତ୍ରିରଙ୍ଗା ପତକାକୁ ଉଡାଇଥିଲେ । ତେଣୁ ଜୁଲାଇ ୨୬ ତାରିଖକୁ ଭାରତରେ କାରଗିଲ୍ ବିଜୟ ଦିବସ ରୂପେ ପାଳନ କରାଯାଏ । ରିପୋର୍ଟ ମୁତାବକ ୧୯୯୯ ମସିହାରେ ହୋଇଥିବା ଏହି ଯୁଦ୍ଧର ଭୂମିକା ପୂର୍ବରୁ ହିଁ ପ୍ଲାନ୍ କରାଯାଇଥିଲା ଏବଂ ୧୯୮୪ ମସିହାରେ ଘଟିଥିବା ଘଟଣା ଏହାର ମୁଖ୍ୟ ଭୂମିକା ନିଭାଇଥିଲା ।

ସେତେବେଳେ ପାକିସ୍ଥାନର ରାଷ୍ଟ୍ରପତି ଜେନେରାଲ୍ ଜିୟା ଉଲ୍ ହକ୍ ଥିଲେ ଏବଂ ତାଙ୍କ କାର୍ଯ୍ୟକାଳ ସମୟରେ ଅପରେସନ୍ ମେଘଦୂତ ଜରିଆରେ ସିଆଚିନରେ ଆଗୁଆ ସ୍ଥାନ ଅକ୍ତିଆର କରିଥିଲେ ।
ସିଆଚିନ୍ ଅପରେସନ୍ ପରେ ୧୯୮୭ ରେ ପାକ୍ ସେନାର ଜଣେ ବରିଷ୍ଠ ଅଧିକାରୀ ଜିୟାଙ୍କ ଆଗରେ ଏକ ପ୍ରସ୍ତାବ ରଖିଥିଲେ । ପ୍ଲାନ୍ ମୁତାବକ କାରଗିଲ୍ ପାହାଡ ଉପରୁ ଜାତୀୟ ରାଜପଥ ଦେଖାଯାଏ ଏବଂ ଏହା ଲେହ୍-ଲଦାଖକୁ ଯୋଡିଥାଏ । ଏହି ରୋଡରେ ସିଆଚିନର ସପ୍ଲାଏ ଲାଇନ୍ ମଧ୍ୟ ଯାଇଥାଏ ।

ସେତେବେଳେ ଆଫଗାନିସ୍ତାନରେ ପାକିସ୍ତାନର ଏକ ମୋର୍ଚ୍ଚା ଖୋଲାଯାଇଥିଲା ଯେଉଁଥିପାଇଁ ଜିୟା ଭାରତ ସହ ଯୁଦ୍ଧ କରିବା ସପକ୍ଷରେ ନଥିଲା । ଏହାପରେ କାରଗିଲ୍ ଯୁଦ୍ଧର ପ୍ରସ୍ତାବ ବେନେଜିର ଭୁଟ୍ଟୋଙ୍କ ପାଖରେ ମଧ୍ୟ ରଖାଯାଇଥିଲା । ଡାଇରେକ୍ଟର ଜେନେରାଲ୍ ଅଫ୍ ମିଲେଟ୍ରୀ ଅପରେସନ୍ ମୁସରଫ୍ ଭୁଟ୍ଟୋଙ୍କ ଆଗରେ ଶ୍ରୀନଗରକୁ ଅକ୍ତିଆର କରିବା ପାଇଁ ଏହି ଯୁଦ୍ଧ ପାଇଁ ମଞ୍ଜୁରୀ ଦେବାକୁ କହିଥିଲେ । କିନ୍ତୁ ଭୁଟ୍ଟୋ କାଶ୍ମୀର ହାତରୁ ଚାଲିଯିବା ଭୟରେ ଏଥିପାଇଁ ଅନୁମତୀ ଦେଇ ନଥିଲେ ।

୧୯୯୯ ମସିହାରେ କାରଗିଲ୍ ଯୁଦ୍ଧର କିଛି ସପ୍ତାହ ପୂର୍ବରୁ ଜେନେରାଲ୍ ପରବେଶ ମୁସରଫ୍ ହେଲିକ୍ୟାପ୍ଟରରେ ଭାରତର ଭୁଭାଗଠାରୁ ୧୧ କିମି ଭିତର ଏକ ସ୍ଥଳଭାଗରେ ଗୋଟିଏ ରାତି ବିତାଇଥିଲେ । ତେବେ ୨୦୧୦ ମସିହାରେ ପାକିସ୍ଥାନ ତରଫରୁ କୁହାଯାଇଥିଲା ଯେ କାରଗିଲ ଯୁଦ୍ଧରେ ପାକିସ୍ଥାନର ୪୫୩ ଜଣ ଯବାନ ସହିଦ୍ ହୋଇଥିଲେ । ତେବେ ୨୪ ଜୁନ୍ ୧୯୯୯ ମସିହାରେ ଯୁଦ୍ଧ ଯେତେବେଳେ ଚରମ ସୀମାରେ ଥିଲା ସେତେବେଳେ ଭାରତୀୟ ବାୟୁ ସେନା ପକ୍ଷରୁ ଏଲଓସିର ଗଗନ ଉପରେ ବାୟୁସେନାର ଉଡାଣ ଦେଖାଗଲା ଏବଂ କିଛି ମୁହୂର୍ତ୍ତ ମଧ୍ୟରେ ଭାରତୀୟ ସେନାଙ୍କ କାରଗିଲ୍ ବିଜୟର ଧ୍ୱନି ଏବଂ ପତକା କାରଗିଲ୍ ପାହାଡର ଶୀର୍ଷରେ ଫରଫର ହୋଇ ଉଡୁଥିଲା । ଚାରିଆଡ “ବନ୍ଦେ ମାତରମ୍” ଏବଂ “ଭାରତ ମାତା କି ଜୟ”ର ନାରାରେ ଫାଟି ପଡୁଥିଲା ।