୨୫ ବର୍ଷ ହେଲା ଶିକୁଳିରେ ବନ୍ଧା ହୋଇଛନ୍ତି କରଂଜିଆର ଝିଅ ବାସନ୍ତୀ : ମାନସିକ ବିକାରଗ୍ରସ୍ତ ହୋଇଥିବା ଯୋଗୁଁ ବାନ୍ଧି ରଖିଛନ୍ତି ପରିବାର ଲୋକେ

50

କନକ ବ୍ୟୁରୋ : ଯୌବନ ବିତୁଛି ଲୁହା ଶିକୁଳିରେ । ଶିକୁଳିରେ ବନ୍ଧା ପଡିଛି ଯୁବତୀଙ୍କ ଜୀବନ । ୨୫ ବର୍ଷ ହେଲା ମୁକ୍ତି ଅପେକ୍ଷା କରିଛନ୍ତି ମୟୂରଭଂଜ କରଂଜିଆର ଝିଅ ବାସନ୍ତୀ ହୋ । ମାନସିକ ବିକାରଗ୍ରସ୍ତ ହୋଇଥିବା ଯୋଗୁଁ ବାନ୍ଧି ରଖିଛନ୍ତି ପରିବାର ଲୋକେ ।

ମନକୁ ମନ କ’ଣ ଗୁଣୁ ଗୁଣୁ ହେବା ସହ ଝୁଲି ଝୁଲି ହାତ ଯୋଡ଼ି ନମସ୍କାର କରୁଛନ୍ତି ୨୫ ବର୍ଷିୟ ବାସନ୍ତୀ । ବିବାହ କରି ଘର ସଂସାର କରିବା ବୟସରେ ଶିକୁଳି ହିଁ ଏକମାତ୍ର ଶାହା ପାଲଟିଛି । ମୟୁରଭଂଜ କରଂଜିଆ ବ୍ଲକ ସରାସପୋଷୀ ଗାଁର ମଙ୍ଗୁଳି ହୋଙ୍କ ଝିଅ ବାସନ୍ତୀ ହୋ । ୪ ଭାଇରେ ଗୋଟିଏ ଭଉଣୀ ବାସନ୍ତୀ ୧୦ ବର୍ଷ ବୟସରୁ ମାନସିକ ବିକାରଗ୍ରସ୍ତ ହୋଇଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

ବୟସ ବଢ଼ିବା ସହ ବାସନ୍ତୀଙ୍କ ରୋଗ ବି ବଢୁଛି, ତେଣୁ ବାଧ୍ୟ ହୋଇ ଶିକୁଳିରେ ବାନ୍ଧି ଦେଇଛନ୍ତି ପରିବାର ଲୋକ । ବାସନ୍ତୀଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ଏନେଇ ଉପଜିଲ୍ଲାପାଳ କ୍ୟାମେରା ସାମ୍ନାରେ କିଛି କହିନଥିଲେ ବି ବାସନ୍ତିଙ୍କୁ ସହାୟତା ଦେବା ପାଇଁ ପରୋକ୍ଷରେ ପ୍ରତିଶୃତି ଦେଇଛନ୍ତି । ସେପଟେ ବ୍ଲକ ଅଧିକାରୀ କହିଛନ୍ତି ଯଥା ସମ୍ଭବ ବାସନ୍ତୀଙ୍କୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଗରିବ ଲୋକଙ୍କ ସ୍ୱାସ୍ଥ୍ୟସେବା ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ବାସନ୍ତୀଙ୍କ ପାଖରେ ପହଂଚି ପାରିନି କୌଣସି ଯୋଜନା ।