କରଞ୍ଜିଆରେ ଅନ୍ଧବିଶ୍ୱାସର କାହାଣୀ! ରୋଗୀଙ୍କୁ ଦିଆଯାଉଛି ତତଲା ଟକ୍ ଟକ୍ ହୋଇ ଫୁଟୁଥିବା ତେଲ ଚେଙ୍କ

50

କନକ ବ୍ୟୁରୋ : ଆଦିବାସୀ ଅଧ୍ୟୁଷିତ ମୟୁରଭଂଜ ଜିଲ୍ଲା କରଂଜିଆ ଉପଖଣ୍ଡରେ ଏବେ ବି ଚାଲିଛି ଚେଙ୍କ ଚିକିତ୍ସା । ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଚେଙ୍କ ଚିକିତ୍ସାକୁ ବିଶ୍ୱାସ କରୁଛନ୍ତି ଆଦିବାସୀ ଅଂଚଳର ମଣିଷ । ଆଉ କିଛି ଲୋକଙ୍କ ନିଚ ମାନସିକତା ଆଗରେ ବନ୍ଧା ପଡିଛି ଚିକିତ୍ସା ବିଜ୍ଞାନ ।

ଏବେ ବି ଚାଲିଛି ଚେଙ୍କ ଚିକିତ୍ସା । ଆଉ ଲୋକଙ୍କ ଅନ୍ଧବିଶ୍ୱାସ ଆଗରେ ବନ୍ଧା ପଡିଛି ଚିକିତ୍ସା ବିଜ୍ଞାନ । ଏ କଥା ଆମେ କହୁନୁ, ତତଲା ତେଲରେ ଚିକିତ୍ସାର ଦୃଶ୍ୟ ସାମ୍ନାକୁ ଆସିବା ପରେ ଆମ ମନରେ ଏଭଳି ପ୍ରଶ୍ନ ଠିଆ କରିଛି । ଖଟିଆରେ ଜଣେ ଶୋଇଛନ୍ତି ଆଉ ଦିଶାରୀ ତାଙ୍କ ପିଠିରେ ତତଲା ତେଲ ଚେଙ୍କ ଦେଉଛନ୍ତି । ଟକ୍ ଟକ୍ ହୋଇ ଫୁଟୁଥିବା ତେଲରେ କାଠି ବୁଡାଇ ଗଣ୍ଠି ଯନ୍ତ୍ରଣା ଭୋଗୁଥିବା ବ୍ୟକ୍ତିଙ୍କୁ ଦେଉଛନ୍ତି ଦିଶାରୀ । ଏଭଳି ଘଟଣା ମୟୁରଭଂଜ ଜିଲ୍ଲା କରଂଜିଆ ଉପଖଣ୍ଡରେ ଦେଖିବାକୁ ମିଳିଛି ।

ଗରମ ତେଲ ଚେଙ୍କ ନେବା ଦ୍ୱାରା ଗଣ୍ଠି ବିନ୍ଦା ଓ ପାରାଲିସିସ୍ ଭଳି ଗୋରରୁ ଉପଶମ ମିଳୁଥିବା କହିଛନ୍ତି ରୋଗୀ । ସେପଟେ ଏହା ଲୋକଙ୍କ ଅନ୍ଧବିଶ୍ୱାସ ବୋଲି କହିଛନ୍ତି ଡାକ୍ତର ଦକ୍ଷିଣା ରଂଜନ ଟୁଡୁ । ଗାଁ ଗାଁରେ ସ୍ୱାସ୍ଥ୍ୟ ସେବା ପହଂଚାଇବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି । ହେଲେ ଆଦିବାସୀ ବହୁଳ ଅଂଚଳରେ କିଛି ଲୋକଙ୍କ ମାନସିକତା ପାଖରେ ବନ୍ଧା ପଡିଛି ଚିକିତ୍ସା ବିଜ୍ଞାନ ।