କମେଡି କିଙ୍ଗଙ୍କୁ ଲାଗିଲା ଆଉ ଏକ ଝଟକା ! ବନ୍ଦ ହେବ ଦ କପିଲ ଶର୍ମା ସୋ’

62

ଏଣିକି ଦର୍ଶକଙ୍କ ହସରେ ଲାଗିବ ବ୍ରେକ । ୱିକ୍ ଏଣ୍ଡରେ କମେଡି କିଙ୍ଗ କପିଲଙ୍କୁ ଆଉ ଦେଖିବାକୁ ପାଇବେନି ଦର୍ଶକ । ଲୋକଙ୍କୁ କମେଡି ମାଧ୍ୟମରେ ହସାଉଥିବା କପିଲଙ୍କ ସୋ’କିଛିଦିନ ଟିଭି ପରଦାରୁ ବ୍ରେକ ନେବାକୁ ଯାଉଛି । କମେଡି କିଙ୍ଗ କପିଲ ଶର୍ମା ଏବେ ପୂରା ଟେନସନରେ । ଲାଗୁଛି ଶନିଦେବ ତାଙ୍କ ପିଛା ଛାଡିବାକୁ ରାଜି ନାହାନ୍ତି । ଦ କପିଲ ଶର୍ମା ସୋ’ର ଟିଆରପି ଖସୁଥିବା ଦେଖି ଏହି ସୋ’କୁ କିଛି ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ଚ୍ୟାନେଲ କର୍ତ୍ତୃପକ୍ଷ । ଏହି ସୋ’ ବଦଳରେ ପୁଣିଥରେ ନୃତ୍ୟଭିତ୍ତିକ ସୋ’ ସୁପର ଡ୍ୟାନ୍ସର ପ୍ରସାରଣ କରିବାକୁ ନିଷ୍ପତି ନେଇଛନ୍ତି ଚ୍ୟାନେଲ କର୍ତ୍ତୃପକ୍ଷ ।

ଗତ କିଛିଦିନ ଧରି କପିଲ ଅସୁସ୍ଥ ଥିବାରୁ କପିଲ ଶର୍ମା ସୋ’ର କୌଣସି ନୂଆ ଏପିସୋଡର ସୁଟିଂ ହୋଇନାହିଁ । ଏପରିକି ଶାହାରୁଖ ଖାନ, ଅନୁଷ୍କା ଶର୍ମା, ଅଜୟ ଦେବଗନ ଓ ଅନୀଲ କପୁରଙ୍କ ଭଳି ସେଲିବ୍ରିଟିଙ୍କ ସହ ସୁଟିଂ ବାତିଲ କରି ଦେଇଥିଲେ କପିଲ । କିଛିଦିନ ପୂର୍ବେ ଚ୍ୟାନେଲ ତରଫରୁ ମଧ୍ୟ କପିଲଙ୍କ ପାଖକୁ ଏକ ନୋଟିସ ପଠାଯାଇଥିଲା । କପିଲ ଶର୍ମା ସୋ’ର କୌଣସି ନୂଆ ଏପିସୋଡ ସୁଟିଂ ହୋଇ ନଥିବାରୁ ଦର୍ଶକଙ୍କୁ ପୁରୂଣା ଏପିସୋଡ ଦେଖାଇ ବିରକ୍ତି କରାଇବାକୁ ଚାହୁଁନି ଚ୍ୟାନେଲ । ତେଣୁ ସେହି ସ୍ଥାନରେ ଏଣ୍ଟ୍ରି କରିବ ସୁପର ଡ୍ୟାନ୍ସର ସୋ’ ।

ଚ୍ୟାନେଲର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଏବେ କପିଲଙ୍କ ସୋ’ରେ ଭଲ ଟିଆରପି ଆସୁନାହିଁ । ତାଛଡା କପିଲ ଅସୁସ୍ଥ ଥିବାରୁ ଅନେକ ସମୟରେ ଏହି ସୋ’ର ସୁଟିଂ ବାତିଲ କରିବାକୁ ପଡୁଛି । ତେଣୁ ଏଭଳି ସ୍ଥିତିରୁ ବାହାରିବା ପାଇଁ ଚ୍ୟାନେଲ ଓ କପିଲଙ୍କ ମଧ୍ୟରେ ଏହି ସୋ’ କିଛିଦିନ ପାଇଁ ବନ୍ଦ ରଖିବାକୁ ବୁଝାମଣା ହୋଇଛି । କପିଲ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ପୁଣିଥରେ ଏହି ସୋ’ର ନୂଆ ଏପିସୋଡର ସୁଟିଂ ଆରମ୍ଭ ହେବ । ଚ୍ୟାନେଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଚ୍ୟାନେଲ ସହ କପିଲଙ୍କ ସର୍ମ୍ପକ ଭଲ ରହିଛି ।

କପିଲଙ୍କ ସୋ’ କିଛିଦିନ ପାଇଁ ବନ୍ଦ ହେବା ପରେ ଏହାର ସ୍ଥାନ ନେବ ଦ ଡ୍ରାମା କମ୍ପାନି । କ୍ରିର୍ଷ୍ଣା ଅଭିଷେକଙ୍କ ସୋ’ ଦ ଡ୍ରାମା କମ୍ପାନି ପୁର୍ବରୁ ରାତି ୮ଟା ସମୟରେ ପ୍ରସାରଣ କରାଯାଉଥିଲା । ତେବେ କପିଲଙ୍କ ସୋ’ ବନ୍ଦ ହେବା ପରେ ରାତି ୮ଟା ସମୟରେ ସୁପର ଡ୍ୟାନ୍ସର ସୋ’ ପ୍ରସାରିତ ହେବାକୁ ଥିବା ବେଳେ ରାତି ୯ଟାରେ ଦ ଡ୍ରାମା କମ୍ପାନି ସୋ’ ପ୍ରସାରଣ କରାଯିବ । ତେବେ କପିଲ ସୁସ୍ଥ ହେବା ପରେ ତାଙ୍କ ସୋ’ ଆଉ ପୂର୍ବ ଭଳି ୯ଟା ସମୟରେ ପ୍ରସାରଣ ନ ହୋଇ ରାତି ୧୦ଟାରେ ପ୍ରସାରିତ ହେବ ।

ଇଣ୍ଡିଆନ ଏକପ୍ରେସର ଏକ ଇଣ୍ଟରଭ୍ୟୁରେ ସୋନି ଇଭିପିର ମୁଖ୍ୟ ଦାନିସ ଖାନ କହିଥିଲେ ଯେ, କପିଲ ଓ ଚ୍ୟାନେଲ ମଧ୍ୟରେ କୌଣସି ତିକ୍ତତା ନାହିଁ । କମେଡି ଜଗତରେ କପିଲ ଜଣେ ଉଚ୍ଚକୋଟୀର କଳାକାର ।କପିଲଙ୍କୁ ନେଇ ଚ୍ୟାନେଲ ଗର୍ବିତ । ତା ଛଡା ଦ କପିଲ ଶର୍ମା ସୋ’ ଏକ ଲୋକପ୍ରିୟ ସୋ’ । ତେବେ କିଛିଦିନ ହେବ ସୋ’ର ଟିଆରପି କମିଛି । ଏହା ପାଇଁ ଚ୍ୟାନେଲ ଚିନ୍ତିତ ନୁୂହେଁ । ଏହି ସୋ’ ମାଧ୍ୟମରେ ସେ ଲକ୍ଷ ଲକ୍ଷ ଲୋକଙ୍କ ମୁହଁରେ ହସ ଫୁଟାଇଛନ୍ତି ।

କପିଲ ମଧ୍ୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ମୋତେ ଓ ମୋ ସୋ’କୁ ଭଲ ପାଉଥିବାରୁ ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ।  ଦୀର୍ଘ ଦେଢ ବର୍ଷ ଧରି ଦର୍ଶକଙ୍କ ଭଲ ପାଇବା ଯୋଗୁଁ ଆଜି ତାଙ୍କ ସୋ’ ଏଭଳି ଲୋକପ୍ରିୟ ହୋଇ ପାରିଛି । ତା ଛଡା ତାଙ୍କ ସୋ’ ଉପରେ ଭରସା କରିଥିବାରୁ ଚ୍ୟାନେଲ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି କପିଲ ।