ଦିଲ୍ଲୀ ରାଜନୀତିରେ ପିଟାପିଟି ! ତେଜିଲା କପିଲ- କେଜ୍ରିୱାଲ୍ ଦୁର୍ନୀତି ଯୁଦ୍ଧ

127

କନକ ବ୍ୟୁରୋ : ପ୍ରଥମେ ଅଭିଯୋଗ, ପରେ ଅନଶନରେ ବସିଲେ । ଆଉ ଏବେ ଆକ୍ରମଣର ଶିକାର ହୋଇଛନ୍ତି ଆମ ଆଦମୀ ପାର୍ଟିର ପୂର୍ବତନ ମନ୍ତ୍ରୀ କପିଲ ମିଶ୍ରା । ଆମରଣ ଅନଶନ ଆରମ୍ଭ କରିଥିବା କପିଲଙ୍କ ଉପରେ ଆଜି ଆକ୍ରମଣ ହୋଇଛି । ଏହି ଆକ୍ରମଣ ପୁରା ଘଟଣାରେ ଭିନ୍ନମୋଡ ଦେଇଛି । ଅଭିଯୁକ୍ତ ଜଣକ କପିଲଙ୍କୁ ଟଣାଓଟରା କରିବା ସହ ସାର୍ଟ ଚିରି ଦେଇଛନ୍ତି । ଆକ୍ରମଣକାରୀ ନିଜକୁ ଆପର ସଦସ୍ୟ କହି ଆକ୍ରମଣ କରିଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ ।

ଘଟଣା ପରେ ଉପସ୍ଥିତ କପିଲଙ୍କ ସମର୍ଥକମାନେ ଅଭିଯୁକ୍ତଙ୍କୁ ନିଧୁର୍ମ ମାଡ ମାରିଥିବା ଜଣାପଡିଛି । ଆପ୍ ନେତାମାନଙ୍କ ବିଦେଶ ଯାତ୍ରାର ବିବରଣୀ ସାର୍ବଜନିନ କରିବା ଦାବି ନେଇ ଅନଶନ ଆରମ୍ଭ କରିଦେଇଛନ୍ତି କପିଲ ମିଶ୍ରା । ଆମ ଆଦମୀ ପାର୍ଟିର ୫ ନେତା ସଂଜୟ ସିଂହ, ଆଶୀଷ ଖେତାନ, ସତ୍ୟେନ୍ଦ୍ର ଜୈନ ରାଘବ ଚଡା ଓ ଦୁର୍ଗେଶ ପାଠକଙ୍କ ବିଦେଶ ଯାତ୍ରାର ସବିଶେଷ ତଥ୍ୟ ମାଗିଛନ୍ତି କପିଲ ମିଶ୍ରା । ଯେପର୍ଯ୍ୟନ୍ତ ଅରବିନ୍ଦ କେଜରିୱାଲ ଏହି ନେତାମାନଙ୍କ ବିଦେଶ ଯାତ୍ରା ସମ୍ବନ୍ଧୀୟ ବିବରଣୀ ପ୍ରଦାନ ନକରିଛନ୍ତିି ସେପର୍ଯ୍ୟନ୍ତ ସେ ଆମରଣ ଅନଶନ ଜାରି ରହିବ ବୋଲି କପିଲ ମିଶ୍ରା କହିଛନ୍ତି ।

ସେପଟେ କପିଳ ମିଶ୍ରାଙ୍କ ଆକ୍ରମଣ ଘଟଣାକୁ ନେଇ ବିଜେପି ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି ଆମ ଆଦମୀ ପାର୍ଟି । ଏନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ପ୍ରମାଣ ରଖିଛନ୍ତ ଆପ ମୁଖପାତ୍ର ସଂଜୟ ସିଂ । ଆପକୁ ବଦନାମ କରିବା ପାଇଁ ବିଜେପି ଷଡଯନ୍ତ୍ର କରୁଥିବା ସେ ଅଭିଯୋଗ କରିଛନ୍ତି । ଏଥିସହ ଅଭିଯୁକ୍ତ ଜଣକ ବିଜେପି ଯୁବ ମୋର୍ଚ୍ଚା ଜଣେ ସଦସ୍ୟ ବୋଲି ସଂଜୟ ସିଂ କହିଛନ୍ତି ।