ସାମ୍ବାଦିକ ସମ୍ମିଳନୀରେ ସଂଜ୍ଞାହୀନ ହେଲେ ପୁର୍ବତନ ମନ୍ତ୍ରୀ କପିଲ ମିଶ୍ରା ! ଦୁର୍ନୀତି ବିରେଧୀ ଲଢେଇ ଆରମ୍ଭ କରି ବୁଧବାରଠାରୁ ବସିଥିଲେ ଅନଶନରେ

46

କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆଉ ଏକ ଦୁର୍ନୀତି ଅଭିଯୋଗ । କେଜ୍ରିୱାଲ ଓ ଆମ ଆଦମୀ ପାର୍ଟି ବେଆଇନ ଭାବେ ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ଆଣିଲେ ନିଲମ୍ବିତ ମନ୍ତ୍ରୀ କପିଲ ମିଶ୍ରା । ସିବିଆଇ ତଦନ୍ତ ହେଲେ କେଜ୍ରିୱାଲଙ୍କୁ ଜେଲ ଯିବାକୁ ପଡିବ ବୋଲି ଚ୍ୟାଲେଞ୍ଜ ଦେଇଛନ୍ତି କପିଲ । ତେବେ ଦୁର୍ନୀତି ବିରେଧୀ ଲଢେଇ ଆରମ୍ଭ କରି ଅନଶନରେ ଥିବାରୁ ଆଜି ସାମ୍ବାଦିକ ସମ୍ମିଳନୀବେଳେ ଅଚେତ ହୋଇପଡିଥିଲେ କପିଲ ମିଶ୍ରା ।

ସୂଚନା ମୁତାବକ, ପ୍ରଥମେ ୨ କୋଟିର ଲାଂଚ ଓ ପରେ ୫୦ ଲକ୍ଷର ଜମି ଡିଲ ଅଭିଯୋଗ ଆଣିବା ପରେ ଆଜି ପାର୍ଟିକୁ ମିଳୁଥିବା ବେଆଇନ ଚାନ୍ଦା ପ୍ରସଙ୍ଗରେ ବଡ ଖୁଲାସା କରିବାକୁ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ କପିଲ ମିଶ୍ରା । ୨୦୧୩ରୁ ୨୦୧୬ ମଧ୍ୟରେ ଆମ ଆଦମୀ ପାର୍ଟିକୁ ମିଲିଥିବା ଚାନ୍ଦା ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ପାର୍ଟି ଚାନ୍ଦା ବିଶୟରେ ନିର୍ବାଚନ କମିଶନଙ୍କୁ ଦିଆଯାଇଥିବା ତଥ୍ୟ, ଦଳର ୱେବସାଇଟରେ ଦିଆଯାଇଥିବା ସୂଚନା ଏବଂ ବ୍ୟାଙ୍କରେ ପାର୍ଟି ନାଁରେ ଥିବା ଟଙ୍କା ଭିତରେ କିଭଳି ତାଳମେଳ ନାହିଁ ତାର ପ୍ରମାଣ ଦେଇଥିଲେ କପିଲ । ଏସବୁ ମାମଲାର ସିବିଆଇ ଅନୁସନ୍ଧାନ ପରେ କେଜ୍ରିୱାଲ ସିଧା ଜେଲ ଯିବେ ବୋଲି ଜୋରଦେଇ କହିଥିଲେ କପିଲ ।

ତେବେ ଦୁର୍ନୀତି ବିରୋଧୀ ଲଢେଇରୁ ରାଜନୀତିକୁ ଆସି ଦିଲ୍ଲୀ ଶାସନ କ୍ଷମତା ଅକ୍ତିଆର କରିଥିବା ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଦିନକୁ ଦିନ ନୂଆନୂଆ ଦୁର୍ନୀତି ଅଭିଯୋଗ ଆଣି ଅଡୁଆରେ ପକାଇଛନ୍ତି କପିଲ ମିଶ୍ରା । ଏସବୁ ଦୁର୍ନୀତି ଉପରୁ ପରଦା ହଟିଲେ ତାଙ୍କୁ ଜେଲର ଚାରିକାନ୍ଥ ଭିତରକୁ ଯିବାକୁ ପଡିବ ବୋଲି ଚ୍ୟାଲେଞ୍ଜ ଦେଇଛନ୍ତି ଦଳରୁ ନିଲମ୍ବିତ ମନ୍ତ୍ରୀ କପିଲ ମିଶ୍ରା ।