ଲାଂଚ ନେଇଛନ୍ତି କେଜ୍ରିୱାଲ୍ ! ଆମ ଆଦମୀ ପାର୍ଟି ନେତାଙ୍କ ବିରୋଧରେ ସଙ୍ଗୀନ୍ ଅଭିଯୋଗ

31

କନକ ବ୍ୟୁରୋ : ଦୁର୍ନୀତି ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇ କ୍ଷମତାକୁ ଆସିଥିବା ‘ଆପ୍’କୁ ଏବେ ଗୋଡ଼ାଇଛି ଦୁର୍ନୀତି ଭୂତ । ଖୋଦ୍ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଆସିଛି ଲାଂଚ୍ ନେବାର ଅଭିଯୋଗ । ଆଉ ଏହି ଅଭିଯୋଗ ବିରୋଧୀ ଆଣି ନାହିଁନ୍ତି, ବରଂ ଅଭିଯୋଗ କରିଛନ୍ତି ମନ୍ତ୍ରୀମଣ୍ଡଳରୁ ବହିଷ୍କୃତ ହୋଇଥିବା ଆପ୍ ନେତାଙ୍କ କପିଲ୍ ମିଶ୍ର । ଯାହା ଦିଲ୍ଲୀ ରାଜନୀତିକୁ ଦୋହଲାଇ ଦେଇଛି ।

କପିଲଙ୍କ ଅଭିଯୋଗ ଅନୁସାରେ ଶୁକ୍ରବାର କେଜରିୱାଲଙ୍କୁ ତାଙ୍କ ବାସଭବନରେ ୨ କୋଟି ଟଙ୍କାର ଲାଂଚ ଦେଇଥିଲେ ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ, ଯେଉଁ ସତ୍ୟେନ୍ଦ୍ର ଜୈନଙ୍କ ନାଁରେ ମନି ଲଣ୍ଡରିଂ ମାମଲା ରହିଛି । ଏତେ ବଡ଼ ପରିମାଣର ନଗଦ ଟଙ୍କା ଦେଖି କପିଲ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କେଜରିୱାଲ କହିଥିଲେ- ରାଜନୀତିରେ ଏମିତି ହୁଏ । ସେ ବିଷୟରେ ପରେ କଥା ହେବା । ଦୁର୍ନୀତି ବିରୋଧରେ ନାରା ଦେଉଥିବା କେଜ୍ରିୱାଲଙ୍କର ଏହି ରୂପ ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିବା କହିଛନ୍ତି । ଏହାର ତଦନ୍ତ ପାଇଁ ସେ ଦିଲ୍ଲୀର ଉପରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । ତେବେ ଏହି ଅଭିଯୋଗକୁ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଖଣ୍ଡନ କରିଛନ୍ତି ।

ଅରବିନ୍ଦ କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବରଖାସ୍ତ କରାଯାଉ ବୋଲି ବିରୋଧୀ ଦଳ ଦାବି କରିବା ଆରମ୍ଭ କରିଛନ୍ତି । କପିଲ ମିଶ୍ରା ଆପର ଅନ୍ୟତମ ନେତା କୁମାର ବିଶ୍ୱାସଙ୍କ ନିକଟତର ବୋଲି ଜଣାଶୁଣା । ଦିଲ୍ଲୀ ପୌର ନିର୍ବାଚନରେ ଆପର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏବେ ଦଳ ଭିତରେ ଅନ୍ତଃକନ୍ଦଳ ବଢ଼ିବାରେ ଲାଗିଛି । ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ସୃଷ୍ଟି ହୋଇଥିବା ଏକ ଦଳ ଦିନକୁ ଦିନ ଦୁର୍ନୀତିରେ ଛନ୍ଦି ହୋଇଯିବା ଘଟଣା, ବିକଳ୍ପ ରାଜନୀତିର ଦ୍ୱାହି ଦେଉଥିବା ଆପ୍ ଦଳ ପାଇଁ ବିପଦ ଟାଣି ଆଣିଛି ।