କ୍ରିକେଟ ପରେ ଏବେ ଗଲ୍ଫରେ କମାଲ ଦେଖାଇବେ କପିଲ ଦେବ ! କ୍ରିକେଟରୁ ଅବସର ନେବାର ୨୪ ବର୍ଷ ପରେ ଭାରତ ପାଇଁ ଖେଳିବେ ଗଲ୍ଫ ଟୁର୍ଣ୍ଣାମେଣ୍ଟ ।

45

ମନେପଡେ ୧୯୮୩ କ୍ରିକେଟ ବିଶ୍ୱକପର ଫାଇନାଲ ମ୍ୟାଚ୍ । ଜୁନରେ ହୋଇଥିବା ଆଇସିସିର ଫାଇନାଲ ମ୍ୟାଚରେ କପିଳ ଦେବଙ୍କ ନେତୃତ୍ୱରେ ଭାରତ ୪୩ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଭାରତକୁ ଚାମ୍ପିଅନ୍ କରାଇଥିଲେ । ଏହା ଥିଲା ଭାରତ ପାଇଁ ପ୍ରଥମ ବିଶ୍ୱକପ୍ ଚାମ୍ପିଅନ୍ ଟ୍ରଫି । ଭାରତୀୟ କ୍ରିକେଟରୁ କପିଳ ଦେବ ୨୪ ବର୍ଷ ତଳେ ଅବସର ନେଇ ସାରିଛନ୍ତି । ସେ ଏବେ ୫୯ ବର୍ଷ ବୟସରେ ଜାପାନରେ ହେବାକୁ ଗଲ୍ଫ ଟୁର୍ଣ୍ଣାମେଣ୍ଟରେ ଭାରତ ପକ୍ଷରୁ ମ୍ୟାଚ ଖେଳିବେ ।

ଅଲରାଉଣ୍ଡର କପିଳ ଦେବଙ୍କୁ ଜାତୀୟ ଟିମରେ ଖେଳିବାର ସୁଯୋଗ ମିଳିଛି । ଭାରତୀୟ ଟିମ୍ ଜାପାନରେ ଅନୁଷ୍ଠିତ ହେବାକୁ ୨୦୧୮ ଏସିଆ ପେସିଫିକ୍ ସିନିୟର ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛି । ଚଳିତ ମାସର ଆରମ୍ଭରୁ ନୋଏଡାର ଜେପି ଗ୍ରୀନ ଗଲ୍ଫ କୋର୍ସରେ ଅନୁଷ୍ଠିତ ଅଖିଳ ଭାରତୀୟ ବରିଷ୍ଠ ଟୁର୍ଣ୍ଣାମେଣ୍ଟରେ କପିଳ ଦେବଙ୍କୁ ଚୟନ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟ ଆଗାମୀ ୧୭ରୁ ୧୯ ପର୍ୟ୍ୟନ୍ତ ଜାପାନର ମିଆଜାକିସ୍ଥିତ ଟମ୍ ଓ୍ଵାଟସନ୍ ଗଲ୍ଫ କ୍ଲବରେ ଖେଳାଯିବ । ଏସିଆ ପେସିଫିକ୍ ସିନିଅର ପ୍ରତିଯୋଗିତାରେ ୫୫ ବର୍ଷରୁ ଅଧିକ ବୟସର ଖେଳାଳିଙ୍କୁ ସୁଯୋଗ ମିଳିଥାଏ । କପିଳ ଦେବ ୨୦୧୫ରେ ଚୀନରେ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ ।

କ୍ରିକେଟରୁ ଅବସର ନେବା ପରେ କପିଳ ଦେବ ଅନ୍ୟ କୌଣସି ଖେଳ ପ୍ରତି ଆଗ୍ରହ ଦେଖାଇ ନାହାନ୍ତି । ମାତ୍ର ଗଲ୍ଫ ପ୍ରତି ସେ ଆକର୍ଷିତ ହୋଇଛନ୍ତି । କପିଳ କହିଛନ୍ତି, ମୋର ଜଣେ ବନ୍ଧୁ ଗଲ୍ଫ ଖେଳିବାକୁ କହିଥିଲେ । ମାତ୍ର କ୍ରିକେଟ ବ୍ୟତୀତ ଅନ୍ୟ କୌଣସି ଖେଳ ଖେଳିବା ଆସେ ନାହିଁ । ଗଲ୍ଫ ଏକ ମାଇଣ୍ଡ ଗେମ୍, ଯେଉଁଥିରେ କି ଶରୀରକୁ ନିୟନ୍ତ୍ରଣ ରଖିବାକୁ ପଡ଼ିଥାଏ । ଏହି ଖେଳ ଖେଳିବା ସମୟରେ ଶରୀରକୁ ନିୟନ୍ତ୍ରଣ ରଖିବାକୁ ପଡ଼ିଥାଏ ବୋଲି କପିଳ କହିଛନ୍ତି । ସୂଚନାଯୋଗ୍ୟ କପିଳ ଦେବ ଭାରତ ପାଇଁ ୧୩୧ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ସେ ୪୩୪ଟି ଟେଷ୍ଟ ଓ୍ଵିକେଟ ନେଇଛନ୍ତି । ସେହିଭଳି ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ସେ ୨୫୩ଟି ଓ୍ଵିକେଟ ନେଇଥିବା ବେଳେ ୨୨୫ଟି ମ୍ୟାଚ ଖେଳିଛନ୍ତି ।